ଗୋରୁ ଉଦ୍ଧାର; ପିକ୍ଅପ ଜବତ;୨ଅଟକ
ବଡ଼ଚଣା : ବଡ଼ଚଣା ଥାନା ପୁଲିସ ସୋମବାର ରାତିରେ ଦୁଇଟି ସ୍ଥାନରୁ ୨୩ଟି ବାଛୁରୀ-ଗୋରୁ ସହ ୩ଟି ଗାଡ଼ିକୁ ଜବଦ କରିଥିବା ବେଳେ ୨ଜଣଙ୍କୁ ଅଟକ ରଖଛି । ଖବର ମତେ ଗତକାଲି ବିଳମ୍ବିତ ରାତିରେ ଦୁଇଟି ପିକଅପରେ ଗୋ ଚାଲାଣ ହେଉଥିବା ଥାନା ଅଧିକାରିଣୀ ମଧୁସ୍ମିତା ବେହେରା ବିଶେଷ ସୂତ୍ରରୁ ଖବର ପାଇଥିଲେ । ସୁଙ୍ଗୁଡ଼ା ଛକ ନିକଟରେ ପୁଲିସ ଜଗି ରହିଥିବା ବେଳେ ଗୋଟିଏ ପିକଅପ ଗାଡିରେ ଅତି ଦୟନୀୟ ଅବସ୍ଥାରେ ୧୫ ବାଛୁରୀ ଚାଲାଣ ବେଳେ ଜବଦ କରିଥିଲେ । ଚାଳକ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲା । ଜବଦ ବାଛୁରୀକୁ ନିକଟସ୍ଥ ଗୋଶାଳାରେ ଛାଡିଥିଲେ । ସେହିପରି ଆଉ ଏକ ପିକଅପ ଗାଡିରେ ଭୁଷୁଣ୍ଡପୁର ପଞ୍ଚାୟତ ଖଟୁଆ ପଡାରୁ ୮ଗୋଟି ଗୋରୁ ଅତି ଦୟନୀୟ ଭାବେ ବୋଝଇ ହୋଇ ଆସୁଥିବାର ଖବର ପାଇ ଥାନା ଅଧିକାରିଣୀ ଖଟୁଆ ପଡାକୁ ଯାଇ ଉକ୍ତ ଗାଡିରେ ଥିବା ଗୋରୁ ଉଦ୍ଧାର କରିବା ସହ ଗାଡିଟିକୁ ଜବତ କରିଥିଲେ । ସେଥିରେ ଥିବା ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି । ଏକ ଧଳା ରଙ୍ଗର କାରଟି ଏହି ବେଆଇନ ଗୋଚାଲାଣରେ ସଂଶ୍ଲିଷ୍ଟ ଥିବା ଜାଣିପାରି ଉକ୍ତ ଗାଡିଟିକୁ ମଧ୍ୟ ଜବତ କରିଥିଲେ । ଗୋ ମାଫିଆ ପ୍ରତିଦିନ ନୂଆ ତରିକା ଓ ନୂଆ ନୂଆ ଗାଡିରେ ବଡ଼ଚଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ଗୋଚାଲାଣ କରୁଛନ୍ତି । କିଛି ଦିନ ହେବ ବଡ଼ଚଣା ପୁଲିସ ପ୍ରାୟ ୩ ଶହରୁ ଉର୍ଦ୍ଧ ଗୋରୁ ଉଦ୍ଧାର କରିବା ସହ ବହୁ ଗାଡି ମଧ୍ୟ ଜବତ କରିଛି ।