ଗୋରୁ ଗାଈଙ୍କୁ ବଜବାଜିଆ ରୋଗ
ଆନନ୍ଦପୁର : ଆନନ୍ଦପୁର ବ୍ଲକ ଅନ୍ତର୍ଗତ କୋଡପଡା ଏବଂ ବାଉଁଶଗଡ଼ ପଞ୍ଚାୟତରେ ଗାଇମାନଙ୍କୁ ବଜବଜିଆ ରୋଗ ହୋଇ ୨୫ରୁ ଉର୍ଦ୍ଧ୍ୱ ଗାଇ ମୃତୁ୍ୟ ବରଣ କରିଥିବାର ଜଣାପଡିଛି । କେବଳ କୋଡପଡା ଏବଂ ବାଉଁଶଗଡ଼ ନୁହେଁ ଗୋଳାବନ୍ଧ, ଭୂଗୁପୁରୁ, ତନେଇପୁର, ଗୋହିରା ପଞ୍ଚାୟତର ଗୋହିରାବଣି, ବାଉଁଶଗଡ଼ ପଞ୍ଚାୟତର ବାଖିଡି, ଜଙ୍ଘାର, ସୁନ୍ଦରିଆ, କଲୋନୀସାହି, ଲୁଣୁସାହି ପ୍ରଭୃତି ଗ୍ରାମମାନଙ୍କରେ ମଧ୍ୟ ଶତାଧିକ ଗାଈ ବଜବଜିଆ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏପରି ସ୍ଥିତିରେ ମଧ୍ୟ ଆନନ୍ଦପୁର ସବ୍ଡିଭିଜନ ପ୍ରାଣୀ ଚିକିତ୍ସା ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଏପଟେ ପ୍ରାଣୀ ଚିକିତ୍ସା ବିଭାଗ ପାଖରେ ଇଞ୍ଜେକ୍ସନର ଅଭାବ ଥିବାରୁ ଜନସାଧାରଣ ବାଧ୍ୟହୋଇ ବାହାରୁ କିଣି ନିଜର ଗାଇଗୋରୁଙ୍କୁ ଚିକିତ୍ସା କରୁଥିବାର ଦେଖିବାକୁ ମିଳିଛି । ଏହି ବିଷୟରେ ଖବରପାଇ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଘଟଣା ସ୍ଥଳକୁ ଯାଇ ପରିଦର୍ଶନ କରିବା ସହ ବିଭାଗୀୟ କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରିବା ସହ ତୁରନ୍ତ ସେବା ଯୋଗାଇ ଦେବାକୁ ଦାବି କରିଛନ୍ତି ।