୬ଷ୍ଠ ବାର୍ଷିକ ଚନ୍ଦନଯାତ୍ରା ମହୋତ୍ସବ ଉଦ୍ୟାପିତ 

କବାଟବନ୍ଧ: ଯାଜପୁର ଜିଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ମଧୁପୁର ବେଢା ଶ୍ରୀଗୁରୁ ଆଶ୍ରମ ଆନୁକୂଲ୍ୟରେ ରାଜ୍ୟର ସର୍ବ ବୃହତ ପବିତ୍ର ଭାବଙ୍ଗ ପୁଷ୍କରିଣୀରେ ତିନିଦିନ ଧରି ଚାଲିଥିବା ୬ଷ୍ଠ ବାର୍ଷିକ ଚନ୍ଦନଯାତ୍ରା ମହୋତ୍ସବ ଉଦଯାପିତ ହୋଇଯାଇଛି । ଶ୍ରୀଗୁରୁ ଆଶ୍ରମର ବା ଜ୍ଞାନାନନ୍ଦ ସରସ୍ୱତୀ ମହାରାଜଙ୍କ ତତ୍ୱାବଧାନରେ ଆୟୋଜିତ ମହୋତ୍ସବର ପ୍ରଥମ ଦିନରେ ପ୍ରଭୁ ମଦନ ମୋହନଙ୍କୁ ସୁସଜ୍ଜିତ ବିମାନରେ ବିଜେ କରାଇ ଶୋଭାଯାତ୍ରାରେ ପବିତ୍ର ଭାବଙ୍ଗ ପୁଷ୍କରିଣୀ ପର୍ଯ୍ୟନ୍ତ ନିଆଯାଇଥିଲା । ପୁଷ୍କରିଣୀ କୂଳ ମଣ୍ଡପରେ ପ୍ରଭୁଙ୍କୁ ସ୍ତାପନ କରାଯିବା ପରେ ସନ୍ଧ୍ୟାରେ ପୁଷ୍କରିଣୀରେ ମହାଆଳତୀ ସମ୍ପର୍ଣ୍ଣ ହୋଇଥିଲା । ପରେ ପ୍ରଭୁଙ୍କୁ ସୁସଜ୍ଜିତ ନୌକାରେ ବିଜେକରାଯାଇ ଚନ୍ଦନ ଚାପ ଖେଳା ଯାଇଥିଲା । ମହୋତ୍ସବରେ ବିଭିନ୍ନ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାସହିତ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥ ଜଗତର ମଙ୍ଗଳ ପାଇଁ ସମବେତ ପ୍ରାର୍ଥନା ଓ ହୋମଯଜ୍ଞ ସମ୍ପର୍ଣ୍ଣ କରିଥିଲେ । ମଧୁପୁରଗଡ ରାଜାଙ୍କ ଦ୍ୱାରା ଖନନ ହୋଇଥିବା ୧୬୦ ଏକର ବିଶିଷ୍ଟ ଏହି ଐତିହାସିକ ପୁଷ୍କରିଣୀର ଐତିହ୍ୟକୁ ବିକଶିତ କରି ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକତାର ଅଭିବୃଦ୍ଧି ଘଟାଇବା ପାଇଁ ଶ୍ରୀଗୁରୁ ଆଶ୍ରମର ପ୍ରାଣ ପ୍ରତିଷ୍ଠାତା ବ୍ରହ୍ମଲୀନ ସ୍ୱାମୀ ମୌନାନନ୍ଦ ସରସ୍ୱତୀ ମହାରାଜ ପ୍ରଚେଷ୍ଟା କରିଥିଲେ । ସ୍ୱାମୀ ମୌନାନନ୍ଦଙ୍କ ଦେହାନ୍ତ ପରେ ତାଙ୍କର ଶିଶ୍ୟ ଜ୍ଞାନାନନ୍ଦ ବାବା ତାଙ୍କ ଗୁରୁଙ୍କ ସ୍ୱପ୍ନକୁ ସାକାର କରିବାକୁ ଯାଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ଗତ ୬ ବର୍ଷ ହେବ ଏଠାରେ ମହା ଆଡମ୍ବରରେ ଚନ୍ଦନଯାତ୍ରା ମହୋତ୍ସବ ଆୟୋଜିତ କରିଆସୁଛନ୍ତି । ପ୍ରଭୁ ମଦନମୋହନଙ୍କୁ ପୁଷ୍କରିଣୀର ଗଭୀର ନିଳ ଜଳରାଶିରେ ଚାପ ଖେଳା ଯାଇଥିଲା । ଏହି ଉପଲକ୍ଷେ ତିନିଦିନ ଧରି ସାଧୁ ପୂଜନ, ଲଉଡି ଖେଳ, ନାମ ସଂକୀର୍ତ୍ତନ, ଭଜନ ସମାରୋହ ସହିତ ଦିବ୍ୟାଙ୍ଗ କଳାକାରଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆସିଥିବା ସାଧୁସନ୍ଥ ପୁଷ୍କରିଣୀ କୂଳରେ ନିର୍ମିତ ଅସ୍ଥାୟି କୁଟିରେ ରାତ୍ରିଯାପନ କରି ଜଗତ ଜନଙ୍କ ଉଦ୍ଧାର ପାଇଁ ଅଖଣ୍ଡ ଧୂନି ଜାଳିବା ଦୃଶ୍ୟ ଉତ୍ସବସ୍ଥଳରେ ଆଧ୍ୟାତ୍ମିକ ପରିବେଶକୁ ବେଶ ଆକର୍ଷଣୀୟ କରିବା ସହ ଉପସ୍ଥିତ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କୁ ବିଭୂପ୍ରେମରେ ଉଦବୁଦ୍ଧ କରିଥିଲା । ଯାତ୍ରାସ୍ତଳରେ ପ୍ରତେହ ଅସମ୍ଭବ ଜନଗହଳି ପରିଲକ୍ଷିତ ହୋଇଥିଲା ।