ଗ୍ରାମ୍ୟ ଜଙ୍ଗଲ ଜବରଦଖଲ ଉଚ୍ଛେଦ ଦାବି
ବନ୍ତ : ଭଦ୍ରକ ତହସିଲ ଅନ୍ତର୍ଗତ କାଉପୁର ରାଜସ୍ୱନିରୀକ୍ଷକ ସିରାପୁର ଗ୍ରାମରେ ଜୈନିକ ବ୍ୟକ୍ତି ଏକ ଗ୍ରାମ୍ୟ ଜଙ୍ଗଲ ଜମିକୁ ଦୀର୍ଘ ବର୍ଷଧରି ନିଜ ଅକ୍ତିଆରକୁ ନେବା ସହିତ ଏକ ପକା ଗୃହ ନିର୍ମାଣ କରିଥିବା ଅଭିଯୋଗ ହୋଇଛି । ଏହାର ଉଚ୍ଛେଦ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।
ଗ୍ରାମର ମଣିଭଦ୍ର ମହାରଣା, ଫକୀର ଭାରତୀ, ଗୋପୀ ବେହେରା, ପଦ୍ମଲୋଚନ ବେହେରା, ଲକ୍ଷ୍ମଣ ବେହେରା, ରମେଶ ସେଠୀ, ଭଗ ବେହେରା, ହେମନ୍ତ ଦୀକ୍ଷିତ, ଶ୍ରୀଧର ସେଠୀ, ଗୁରୁଚରଣ ମହାରଣା, ନୃସିଂହ ପୃଷ୍ଟି, କାଙ୍ଗାଳି ଦାସ ସମେତ ଗ୍ରାମବାସୀ ପ୍ରମୁଖ ଉଚ୍ଛେଦ ନିମନ୍ତେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ପ୍ରଶାସନ ଏହାକୁ ବିଚାରକୁ ନେଇ ୨୦୨୩ ମସିହାରେ ପ୍ରଶାସନିକ ଅଧିକାରୀ ମାନେ ଜେସିବମେସିନ ନେଇ ଉଚ୍ଛେଦ କରିବାକୁ ପହଞ୍ଚିଥିଲେ । ଏହି ଜଙ୍ଗଲ ଜମିକୁ ଅକ୍ତିଆର ଖାତା ନଂ ୪୭୭ ଏବଂ ଖସଡ଼ା ନଂ ୧୯୪ କରିଥିବା ଜୈନିକ ବ୍ୟକ୍ତି ପ୍ରଶାସନ ପାଖରେ ହାଇକୋର୍ଟଅଡର ନଂ ୫୧୮୭/୨୦୨୨ ଦେଖାଇ ଏକ ମାସ ସମୟ ନେଇଥିଲେ । ତେବେ ଏପର୍ଯ୍ୟନ୍ତ ଊଚ୍ଛେଦ ହୋଇନାହିଁ । ଘଟଣାକୁ ନେଇ ବାରମ୍ବାର ଗ୍ରାମବାସୀ ମାନେ ପ୍ରଶାସନକୁ ଅବଗତ କରାଇଥିବା ବେଳେ ପ୍ରଶାସନ କୌଣସି କର୍ଣ୍ଣପାତ କରୁନାହିଁ । ଏହି ଗ୍ରାମ୍ୟଜଙ୍ଗଲକୁ ଗ୍ରାମବାସୀଙ୍କ ହିତ ଦୃଷ୍ଟିରେ ରଖି ତୁରନ୍ତ ଉଚ୍ଛେଦ କରିବା ପାଇଁ ପ୍ରଶାସନ ପାଖରେ ଗ୍ରାମବାସୀଙ୍କ ଦାବି କରିଛନ୍ତି ।