କେନ୍ଦୁଝର ସ୍ୱାଭିମାନ ଅସ୍ମିତା ଲାଗି ଗଣଧାରଣା ସମାପ୍ତ 

କେନ୍ଦୁଝର : ଧରଣୀଧର ସ୍ୱୟଂ ଶାସିତ ସୁରକ୍ଷା ମଞ୍ଚ ପକ୍ଷରୁ ଚାଲିଥିବା ୩ ଦିନିଆ ଗଣଧାରଣା ସାମୟିକ ଭାବେ ସମାପ୍ତ ହୋଇଛି । ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏହି ଗଣଧାରଣା ଚାଲିଥିଲା ଜିଲ୍ଲା ସାରାରୁ ବୁଦ୍ଧିଜୀବୀ ଆସି ଏଥିରେ ସାମିଲ ହୋଇଥିଲେ । ଉଦେ୍ଦଶ୍ୟ ଥିଲା ଜିଲ୍ଲାର ସ୍ୱାଭିମାନ ତଥା ଅସ୍ମିତା ଧରଣୀଧର ସ୍ୱୟଂ ଶାସିତ କଲେଜର ସ୍ଥିତି ରକ୍ଷା କରି ପୂର୍ବ ଗୌରବ ଫେରାଇ ଆଣିବା । ଏଠାରୁ ଅନେକ ଛାତ୍ରଛାତ୍ରୀ ପାସ୍ କରି ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଛନ୍ତି । ହେଲେ ଏବେ ଧରଣୀଧର ବିଶ୍ୱବିଦ୍ୟାଳୟ ହେଲା ପରେ ଏହି ପୁରୁଣା କଲେଜକୁ ଚଞ୍ଚକତା କରି ଲୋପ କରିଦିଆଗଲା ବୋଲି ସରକାରୀ ଭାବେ କୁହାଯାଇଛି । ଫଳରେ ଧରଣୀଧର ସ୍ୱୟଂ ଶାସିତ କଲେଜ କାଗଜପତ୍ରରେ ନିଜ ଅସ୍ତିତ୍ୱ ହରାଇଛି । ବିଶ୍ୱବିଦ୍ୟାଳୟ ନାମରେ କଲେଜ ସମ୍ପତ୍ତି ହଡପ ହେବାରେ ଲାଗିଛି । ବିଶ୍ୱବିଦ୍ୟାଳୟ ନାମରେ ଓଏସଡି ପ୍ରତାପ ମହାନ୍ତି ଅତୀତର ବିଚିତ୍ରା ନନ୍ଦ ଦାସ ଭୂମିକା ନିଭାଉଛନ୍ତି ବୋଲି ମତ ପ୍ରକାଶ ପାଇଥିଲା । +୨ ଓ + ୩ ସ୍ତରରେ ପାଠ ପଢା ସ୍ଥାଣୁ ହୋଇଯାଇଛି । ୟୁଜିସି ଧରଣୀଧର ବିଶ୍ୱବିଦ୍ୟାଳୟକୁ ଷ୍ଟେଟ ୟୁନିଭରସିଟି କହିବା ବେଳେ, ଏବେ ଏହାକୁ ଧରଣୀଧର ସ୍ୱୟଂ ଶାସିତ କଲେଜ ଉନ୍ନତ ହୋଇ ବିଶ୍ୱବିଦ୍ୟାଳୟ ହେଲା ବୋଲି କହିବା ବେନିୟମ । ସବୁ ଅବ୍ୟବସ୍ଥାର କାରଣ ବିଶ୍ୱବିଦ୍ୟାଳୟ ଓଏସ୍ଡି ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ କାର୍ଯ୍ୟକାଳ ଅଗଷ୍ଟ ୬ରେ ସରୁଛି, ତେଣୁ ତାଙ୍କର କାର୍ଯ୍ୟକାଳ ଆଉ ନ ବଢେଇବାକୁ ଦାବି କରାଯାଇଛି । ସୁରକ୍ଷା ମଞ୍ଚ ଗଣଧାରଣ ବନ୍ଦ କରିଥିଲେ ମଧ୍ୟ ଜିଲ୍ଲାର ସ୍ୱାଭିମାନ ରକ୍ଷା ଲାଗି ଧରଣୀଧର ସ୍ୱୟଂ ଶାସିତ କଲେଜର ରକ୍ଷା ଲାଗି ସବୁ କଲେଜ ଯାଇ ପିଲାଙ୍କୁ ବୁଝାଇବା ସହ ବିଭିନ୍ନ ଅଂଚଳରେ ଏହି କଥା ଆଲୋଚନା କରିବାକୁ ନିଷ୍ପତ୍ତି ନିଆଯାଇଛି ।
ସେହିପରି ପୁରୁଣା ବଜାରର ସୁଲେଇ ଖମାରରେ ବିଶ୍ୱବିଦ୍ୟାଳୟ କୋଠା ଓ ଜମିରେ ଧରଣୀଧର ବିଶ୍ୱବିଦ୍ୟାଳୟର ସ୍ଥାୟୀ ମୁଖ୍ୟ ଦପ୍ତର ଅବିଳମ୍ବେ ଖୋଲିବାକୁ ବିଶ୍ୱବିଦ୍ୟାଳୟ କ୍ରିୟାନୁଷ୍ଠାନ କମିଟି ବିଭିନ୍ନ ନାଗରିକ କମିଟି ସହଯୋଗରେ ଗଣଧାରଣା କରିବ ବୋଲି ନିଷ୍ପତ୍ତି ଦୋହରାଇଛି । ତେବେ ସେଥିଲାଗି ସୁରକ୍ଷା ମଞ୍ଚ ଅଗଷ୍ଟ ୩ ଓ ୬ ତାରିଖକୁ ଅପେକ୍ଷା ରହିଛି । ଭରତ ପାତ୍ର, ସର୍ବଶ୍ରୀ ନିରଞ୍ଜନ ବାରିକ, ସତ୍ୟନାରାୟଣ ମିଶ୍ର, ଆଲୋକ ମିଶ୍ର, ଆଶିଷ ଚକ୍ରବର୍ତ୍ତୀ, ପ୍ରାଚୀବାଳା ସାହୁ, ସଂଗୀତା ସିଂହ, କୃଷ୍ଣଚନ୍ଦ୍ର ମହାନ୍ତି, ମାଧବ ସର୍ଦ୍ଦାର, ଡ. ବନବିହାରୀ ମିଶ୍ର, ଦିଲୀପ ସାହୁ, ଡ. କ୍ଷୀରୋଦ ଚନ୍ଦ୍ର ମିଶ୍ର, ନବ କିଶୋର ସାହୁ, ଲାଲ ମୋହନ ରାଉତ, ଦୀପକ ରାଜ, ସତ୍ୟଜିତ ମିଶ୍ର, ଶରତ ଚନ୍ଦ୍ର ପାତ୍ର, ରମେଶ ମହାନ୍ତ, ବାବାଜୀ ପାତ୍ର, ସୁପାଇ ମୁର୍ମୁ, ଇଂ. ପ୍ରଶାନ୍ତ ଦଳେଇ ନିଜର ଅଭିଭାଷଣ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ଅଧ୍ୟାପକ ରଞ୍ଜନ ପଣ୍ଡା, ପ୍ରତିଭା ମଞ୍ଜରୀ ନାୟକ, ରେବତୀ ସାହୁ, ପୂର୍ଣ୍ଣ ଦାସ, ଅଲେଖ ପାତ୍ର, ଜନାର୍ଦ୍ଦନ ନାୟକ, ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତଥିଲେ ।