ଉପ ଜିଲାପାଳଙ୍କ ନିଦେ୍ର୍ଦଶକୁ ବେଖାତିର୍ ଜନବସତିରେ ଟାୱାର ନିର୍ମାଣ; ଥାନା ସମ୍ମୁଖରେ ବୃଦ୍ଧାଙ୍କ ଆତ୍ମାହୁତି ଧମକ

ଉପ ଜିଲାପାଳଙ୍କ ନିଦେ୍ର୍ଦଶକୁ ବେଖାତିର୍ ଜନବସତିରେ ଟାୱାର ନିର୍ମାଣ; ଥାନା ସମ୍ମୁଖରେ ବୃଦ୍ଧାଙ୍କ ଆତ୍ମାହୁତି ଧମକ

ବ୍ରହ୍ମବରଦା :- ଉପ-ଜିଲାପାଳଙ୍କ ନିଦେ୍ର୍ଦଶକୁ ଅବମାନନା କରି ଜନବସତିପୂର୍ଣ୍ଣ ଗାଁ ମଝିରେ ଏୟାରଟେଲ କମ୍ପାନୀର ଏକ ୫-ଜି ଟାୱାରର ନିର୍ମାଣ କାର୍ଯ୍ୟ ଚାଲିଛି । ଏନେଇ ସ୍ଥାନୀୟ ପୁଲିସ ପ୍ରଶାସନର ଦ୍ୱାରସ୍ଥ ହେଲା ପରେ ବି କିଛି ଫରକ ପଡୁନି । ଟାୱାର ନିର୍ମାଣ କାର୍ଯ୍ୟ ବନ୍ଦ ନେଇ ଉପ-ଜିଲାପାଳଙ୍କ ଆଦେଶ ଥିଲେ ମଧ୍ୟ ସହଯୋଗ କରୁନି ସ୍ଥାନୀୟ ପୁଲିସ ପ୍ରଶାସନ । ଗୋଟିଏ ପଟେ ବ୍ରହ୍ମବରଦା ଥାନା ଅଧିକାରିଣୀ  ଅଂଶୁମାଳା ଦାସ ଟାୱାର ନିର୍ମାଣଧିନ ଅଞ୍ଚଳରେ୧୪୪ ଧାରା କଟକଣା ଲାଗୁ କରି କାର୍ଯ୍ୟ ବନ୍ଦ କରାଯାଇଥିବା କହୁଥିବା ବେଳେ ଅନ୍ୟପଟେ କିନ୍ତୁ ପୂର୍ବପରି କାର୍ଯ୍ୟ ଜାରି ରହିଥିବା ଅଭିଯୋଗ ହୋଇଛି । ଆଉ ନିର୍ମାଣ କାର୍ଯ୍ୟ ବନ୍ଦ ନ ହେଲେ କିମ୍ୱା ତାଙ୍କୁ ନ୍ୟାୟ ନ ମିଳିଲେ ଥାନା ସମ୍ମୁଖରେ ଆତ୍ମହୁତି ଦେବେ ବୋଲି ଧମକ ଦେଇଛନ୍ତି ବ୍ରହ୍ମବରଦା ଥାନା ଅନ୍ତର୍ଗତ ମହେଶ୍ୱରପୁର ପଞ୍ଚାୟତ ଚାନ୍ଦପୁର ଗ୍ରାମର ବୃଦ୍ଧା କାଞ୍ଚନବାଳା ପାଢୀ । ଅଭିଯୋଗ ଅନୁଯାୟୀ ଚାନ୍ଦପୁର ଗ୍ରାମର ସ୍ୱର୍ଗତ କୈଳାସ ଚନ୍ଦ୍ର ପାଢିଙ୍କ ସ୍ତ୍ରୀ କାଞ୍ଚନବାଳାଙ୍କ ଘର ନିକଟରେ ବିଜୟ କୁମାର ମିଶ୍ର ନାମକ ଜଣେ ବ୍ୟକ୍ତି ଚଞ୍ଚକତା କରି ଗାଁ ମଝିରେ ଏୟାରଟେଲ କମ୍ପାନୀ ୫-ଜିର ଏକ ଟାୱାର ବସାଇ ବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଜନବସତି ପୂର୍ଣ୍ଣ ସ୍ଥାନରେ ଉକ୍ତ ୫-ଜି ଟାୱାର ବସିବା ଦ୍ୱାରା ସେଥିରୁ ନିର୍ଗତ ଉଚ୍ଚ କ୍ଷମତା ସମ୍ପନ୍ନ ତରଙ୍ଗ ତାଙ୍କ ପରିବାର ଲୋକଙ୍କ ଜୀବନ ପ୍ରତି ନକାରାତ୍ମକ ପ୍ରଭାବ ପକାଇବା ସହ ସହ ଆଖପାଖ ଅଞ୍ଚଳରେ ବସବାସ କରୁଥିବା ପଡ଼ୋଶୀ ମାନଙ୍କର ମଧ୍ୟ ବହୁ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ବିଶେଷ କରି ଛୋଟ ଛୋଟ କୁନିକୁନି ପିଲା ମାନଙ୍କ ପ୍ରତି ଏହା ବହୁ ଘାତକ । ଯାହାକୁ ନେଇ କାଞ୍ଚନବାଳା ଦୀର୍ଘ ଏକମାସ ପୂର୍ବରୁ ବ୍ରହ୍ମବରଦା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଥାନା ଅଧିକାରୀଣୀ ଉକ୍ତ କଥାକୁ ଗୁରୁତ୍ୱ ନଦେଇ କୋର୍ଟର ଆଦେଶ ଆଣିବା ପାଇଁ ବୃଦ୍ଧାଙ୍କୁ କହିଥିଲେ । ପରେ ବୃଦ୍ଧା ଜଣକ ଯାଜପୁର ଉପ ଜିଲ୍ଲାପାଳଙ୍କ ନିକଟରୁ ଚିଠି ପତ୍ର ନମ୍ବର ୧୩୩୭୨/୨୪ ରେ ଏକ ନିଦେ୍ର୍ଦଶ ଆଣି ବ୍ରହ୍ମବରଦା ଥାନାରେ ଦେଇଥିଲେ । କିନ୍ତୁ ଏହି କୋର୍ଟ ଆଦେଶକୁ ମଧ୍ୟ ବ୍ରହ୍ମବରଦା ଥାନା ଅଧିକାରୀଣୀ ଗ୍ରହଣ କରି ନଥିବା ବେଳେ କୋର୍ଟ ଆମ ପାଖକୁ ପୋଷ୍ଟ ଜରିଆରେ ଆଦେଶ ପଠାଇଲେ ଆମ୍ଭେ ଯାଇ ଏହା ବିଷୟରେ ପଦକ୍ଷେପ ନେବୁ ବୋଲି କହି ବୃଦ୍ଧାଙ୍କ କଥାକୁ ଏଡ଼ାଇ ଦେଇଥିବା କାଞ୍ଚନବାଳା ଅଭିଯୋଗ କରିଛନ୍ତି । ଅପରପକ୍ଷେ ବିଜୟ କୁମାର ମିଶ୍ର ଟାୱାର ନିର୍ମାଣର ଅନୁମତି ପାଇଁ ଯେଉଁ ଜାଗାର କାଗଜପତ୍ର ସରକାର ଓ ଏୟାରଟେଲ କମ୍ପାନୀକୁ ଦେଇଛନ୍ତି ସେ ସ୍ଥାନରେ ଟାୱାର ନିର୍ମାଣ କାର୍ଯ୍ୟ ନ ହୋଇ ଅନ୍ୟ ଏକ ସ୍ଥାନରେ ହେଉଛି ବୋଲି ଗ୍ରାମରେ ଏବେ ଚର୍ଚ୍ଚା ହେଉଛି । ତା ଛଡା ଜନବସତି ପୂର୍ଣ୍ଣ ସ୍ଥାନରେ କିମ୍ୱା ଗାଁ ମଝିରେ ଏମିତି ବେଆଇନ ଓ ବିପଦପୂର୍ଣ୍ଣ ଉଚ୍ଚ କ୍ଷମତା ସମ୍ପନ୍ନ ୫-ଜି ଏୟାରଟେଲ ଟାୱାର ବସିବା ପାଇଁ ଗ୍ରାମର ସରପଞ୍ଚ କିପରି ଅନୁମତି ପ୍ରଦାନ କଲେ ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ମହେଶ୍ୱରପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଅମୂଲ୍ୟ ପାତ୍ରଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ କାଟି ଦେଇଥିଲେ । ଉକ୍ତ ଟାୱାର ନିର୍ମାଣ କାର୍ଯ୍ୟା ବନ୍ଦ ନହେଲେ କିମ୍ବା ତାଙ୍କୁ ନ୍ୟାୟ ନ ମିଳିଲେ ବୃଦ୍ଧା ଜଣଙ୍କ ହତୋତ୍ସାହିତ ହୋଇ ଥାନା ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି ।