ଚମ୍ପୁଆରୁ ଚୋରି ଗାଡି ଝାଡଖଣ୍ଡରୁ ଜବତ
ଚମ୍ପୁଆ : ଚମ୍ପୁଆ ଏନଏସି ଅନ୍ତର୍ଗତ ୫ନଂ ୱାର୍ଡ ଅଲ୍ଲୀନଗରରୁ ଗତ ୨୧ ତାରିଖ ରାତିରେ ଚୋରି ହୋଇଥିବା ମାରୁତି ଇକୋ ଗାଡ଼ି ଝାଡଖଣ୍ଡ ଚାଇଁବସାରୁ ଉଦ୍ଧାର ହୋଇଛି । ଚମ୍ପୁଆ ମୁସଲିମ ବସ୍ତି ଅଲ୍ଲୀନଗର ବାସିନ୍ଦା ମହମ୍ମଦ ଖୁର୍ସିଦଙ୍କ କାର ଗାଡି ନଂ ଓଡି୦୯ପି୫୦୯୦କୁ ଦୁର୍ବୁତ୍ତମାନେ ଘର ଆଗରୁ ଚୋରି କରିନେଇଥିଲେ । ସକାଳୁ ଗାଡ଼ି ନ ଥିବା ଦେଖି ଖୁର୍ସିଦ ଗାଡିÿ ଚୋରି ହୋଇଥିବା ନେଇ ଚମ୍ପୁଆ ଥାନାରେ ଅଭିଯୋଗ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଦେଖିବାରୁ ଗାଡିକୁ ଦୁର୍ବୁର୍ତ୍ତ ମାନେ ଚୋରି କରିବା ପରେ ଗୋଧୂଳି ରାମତୀର୍ଥ ରାସ୍ତା ଦେଇ ଝାଡଖଣ୍ଡ ଅଞ୍ଚଳକୁ ଚାଲିଯାଇଥିବା ନେଇ ଜଣାପଡିଥିଲା । ଗତ ରାତି ଗାଡ଼ି ମାଲିକ ଖୁର୍ସିଦ ଚାଇଁବସା ନିକଟରେ ଗାଡିକୁ ଠାବ କରିଥିଲେ । ଗାଡିଟି ଚୋରି କରିବା ପରେ ଦୁର୍ବୁତ୍ତମାନେ ଝାଡଖଣ୍ଡର ଦେଓଗାଁରେ ଥିବା ଏକ ବିଦେଶୀ ମଦ ଦୋକାନର ସଟର ତାଡି ଦାମୀ ବିଦେଶୀ ମଦ ଓ ନଗଦ ଚାଳିଶ ହଜାର ଟଙ୍କା ଚୋରି କରିଥିବା ଜଣାପଡିଛି । ତେବେ ତେଲ ସରିଯିବାରୁ ଗାଡିକୁ ଚାଇଁବସା ନିକଟରେ ଛାଡି ଦେଇ ଚାଲି ଯାଇଥିଲେ । ଚାଇଁବସା ପୋଲିସ ଓ ଚମ୍ପୁଆ ପୋଲିସକୁ ଗାଡ଼ି ମାଲିକ ଖବର ଦେବା ପରେ ଗାଡିକୁ ଜବତ କରି ଚମ୍ପୁଆ ଥାନାକୁ ଆଣିଛି । ଏହି ଗାଡ଼ି ଭିତରେ ଆଠ ପେଟି ବିଦେଶୀ ମଦ ବୋତଲ, ଯାହାର ଦାମ ପ୍ରାୟ ଦେଢ ଲକ୍ଷରୁ ଦୁଇ ଲକ୍ଷ ହେବ ବୋଲି ଜଣାପଡିଛି । ଏହି ଘଟଣାରେ କେହି ଧରା ପଡି ନ ଥିବା ବେଳେ, ଉଭୟ ରାଜ୍ୟର ପୁଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି ।