୯ରେ ଦେଶବ୍ୟାପୀ ସାଧାରଣ ଧର୍ମଘଟ
ବାଲେଶ୍ୱର : ଆସନ୍ତା ୯ ତାରିଖ ବୁଧବାର ଦିନ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ବାଲେଶ୍ୱରରେ ସଫଳ କରିବା ପାଇଁ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ୍ମାନଙ୍କ ମିଳିତ ପ୍ରସ୍ତୁତି ବୈଠକ ଉଠାଜଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟକ ତଥା ଟିୟୁଏସିସିର ଅଧ୍ୟକ୍ଷ ପ୍ରଦୀପ୍ତ ପଣ୍ଡା ବୈଠକରେ ସଭାପତିତ୍ୱ କରିଥିଲେ । ବୈଠକର ଆବାହକ ତଥା ଟିୟୁଏସିସିର ସାଧାରଣ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ଆସନ୍ତା ୯ ତାରିଖ ଦିନ ସର୍ବଭାରତୀୟ ଧର୍ମଘଟର ୧୭ଦଫା ଦାବି ସଂପର୍କରେ ଆଲୋକପାତ କରିଥିଲେ । ପ୍ରଚଳିତ ୪୪ଟି ଶ୍ରମଆଇନ୍କୁ ୪ଟି କୋଡ଼୍ରେ ପରିଣତ କରି କେନ୍ଦ୍ର ସରକାର ଶ୍ରମିକମାନଙ୍କ ଅଧିକାରକୁ ଛଡ଼ାଇ ନେବାକୁ ଉଦ୍ୟମ କରୁଥିବାରୁ ଓ ଦରଦାମ୍ ବୃଦ୍ଧି, ବେକାରୀ ବୃଦ୍ଧି କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତି ପ୍ରଭୃତିକୁ ବିରୋଧ କରି ଓ ସ୍କିମ୍ ୱାର୍କରର୍ସଙ୍କୁ କର୍ମଚାରୀ ମାନ୍ୟତା, ସର୍ବନିମ୍ନ ମାସିକ ବେତନ ୨୬ ହଜାର ଓ ମାସିକ ପେନସନ୍ ନଅହଜାର ଟଙ୍କା, ବନ୍ଦ କଳକାରଖାନାକୁ ଚାଲୁ କରିବା, ଶ୍ରମିକ ଛଟେଇ ବନ୍ଦ କରିବା, ପୁରୁଣା ପେନସନ୍ ଆଇନ୍ ପ୍ରଚଳନ କରିବା ପ୍ରଭୃତି ଦାବି କରାଯାଇଛି ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ଆଇଟିୟୁସିର ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ, ସିଆଇଟିୟୁ ଜିଲ୍ଲା ଆବାହକ ବିଜୟ ପାତ୍ର, ଏଆଇୟୁଟିୟୁସି ରାଜ୍ୟ ନେତା ଉମାକାନ୍ତ ଦାସ, ଟିୟୁସିସି ଜିଲ୍ଲା ସଭାପତି ସର୍ବେଶ୍ୱର ମିଶ୍ର, ଆଇଏନ୍ଟିୟୁସି ଯୁବନେତା ରାଜେଶ ଜେନା, ଟିୟୁଏସିସିର ଉପାଧ୍ୟକ୍ଷ ଶାନ୍ତନୁ ଦାସ, ନାରୀନେତ୍ରୀ ବନ୍ଦନା ବିଶ୍ୱାସଙ୍କ ସମେତ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପ୍ରେମରଂଜନ ପାତ୍ର, ଭରତ ଚନ୍ଦ୍ର ସେଠୀ, ଚିତ୍ତରଂଜନ ଗିରି, ଗୋପୀନାଥ ଦାସ, ଶରତ ଚନ୍ଦ୍ର ଦଳାଇ, ଗୌତମ ଦାସ, ଲକ୍ଷ୍ମୀଧର ଗିରି, ସେକ୍ ଅବଦୁଲ ତାଲିବ୍, ସୁବ୍ରତ ପ୍ରଧାନ, ଜନ୍ମେଜୟ ପଣ୍ଡା, ଅଶୋକ ଦାସ ଓ ନବକିଶୋର ବାରିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସର୍ବଭାରତୀୟ ଧର୍ମଘଟକୁ ଭାରତବନ୍ଦ ଭଳି ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ । ଆସନ୍ତା ୮ ତାରିଖ ଅପରାହ୍ନରେ ଏକ ମୋଟର ସାଇକେଲ୍ ଶୋଭାଯାତ୍ରା ରେଳଷ୍ଟେସନରୁ ବାହାରି ସହର ପରିକ୍ରମା କରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଶେଷରେ ଶ୍ୟାମ ସୁନ୍ଦର ଜେନା ଧନ୍ୟବାଦ ପ୍ରଦାନ କରିଥିଲେ ।