ଚାଷୀଙ୍କୁ ଭୁଆଁ ବୁଲାଉଛି ବନ ବିଭାଗ : ମିଳୁନି ଫସଲ ନଷ୍ଟ କ୍ଷତି ପୂରଣ, ହତାଶ ଚାଷୀ

ଅନୁଗୁଳ : ବନ୍ୟଜନ୍ତୁଙ୍କ ଦ୍ୱାରା ଚାଷୀଙ୍କ ଫସଲ କ୍ଷତି ହେଲେ, କ୍ଷତିପୂରଣ ମିଳିବ ବୋଲି ସରକାରଙ୍କ ନିୟମ ରହିଛି । କିନ୍ତୁ ଗାଁ ଗହଳିର ନୀରିହ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ବନ ବିଭାଗ ଭୁଆଁ ବୁଲାଉଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଆଠମଲ୍ଲିକ ବନଖଣ୍ଡର ଧଣ୍ଡାତୋପା ରେଞ୍ଜ ଅନ୍ତର୍ଗତ କେଞ୍ଚୁଆନାଳି ଗାଁରେ ହାତୀପଲ ପଶି ହେକ୍ଟର ହେକ୍ଟର ଜମିରେ ହୋଇଥିବା ଧାନ ଫସଲକୁ ମାଡ଼ି ଦଳି ନଷ୍ଟ କରି ଦେଇଛନ୍ତି । ଫଳରେ ଚାଷୀମାନଙ୍କର ସାରା ବର୍ଷର ଖାଇବା ନଷ୍ଟ ହୋଇଯାଇଛି । ଯାହାକୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଥିବାବେଳେ ସରକାରଙ୍କ କ୍ଷତି ପୂରଣ ମିଳିବା ବ୍ୟବସ୍ଥାକୁ ଭରସା କରି ଚାଷୀମାନେ ବନବିଭାଗ ପାଖରେ ଲିଖିତ ଭାବେ ଅବଗତ କରିବାକୁ ଯାଇ ନିରାଶ ହୋଇଛନ୍ତି । ଆଉ ବନ ବିଭାଗ ଅଧିକାରୀ, କର୍ମଚାରୀ ଅନଲାଇନ୍‌ କରିବାକୁ ଚାଷୀମାନଙ୍କୁ ପରାମର୍ଶ ଦେଉଛନ୍ତି । ଚାଷୀ ମାନେ ଅନଲାଇନ କରିବା ପରେ ମଧ୍ୟ କ୍ଷତିପୂରଣ ଅର୍ଥ ମିଳୁନାହିଁ । ବାରମ୍ବାର ଅଫିସ ଦୌଡ଼ି ଦୌଡ଼ି ଚାଷୀ ହତାଶ ନିରାଶ ହେଉଛନ୍ତି । ପୁଣି ଚାଷୀଙ୍କ ୧୦/୨୦ ହଜାର ଟଙ୍କା ମୂଲ୍ୟର ଧାନ ଫସଲ ବନ୍ୟ ଜନ୍ତୁ ନଷ୍ଟ କରିଥିଲେ ମଧ୍ୟ ସେମାନଙ୍କୁ ୧୨ଶହରୁ ୨୩ ଶହ ଭିତରେ ଟଙ୍କା ସହାୟତା ମିଳୁଛି । ଯାହାକି ଚାଷୀ ଅନଲାଇନ କରି ଖର୍ଚ୍ଚାନ୍ତ ହେଲା, ପୁଣି କ୍ଷତିପୂରଣ ଠାରୁ ଯଥେଷ୍ଟ କମ୍‌ ଟଙ୍କା ପାଇଲା । ଆଉ କ୍ଷତିପୂରଣ ପାଇବା ପାଇଁ ମାସ ମାସ, ବର୍ଷ ବର୍ଷ ମଧ୍ୟ ବିତିଯାଉଛି । ଅପରପକ୍ଷରେ ଅଫିସ ଦୌଡ଼ି ଦୌଡ଼ି ଆର୍ôଥକ ଓ ଶାରୀରିକ ପୀଡ଼ା ଭୋଗିବାକୁ ପଡୁଛି । ତେଣୁ ବନ୍ୟଜନ୍ତୁ ଦ୍ୱାରା ଫସଲ ନଷ୍ଟ ବାବଦରେ ମିଳୁଥିବା କ୍ଷତିପୂରଣ ଅନୁଦାନ ଅର୍ଥ ସମୁଦ୍ରଙ୍କୁ ଶଙ୍ଖେ ଭଳି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି । ତେଣୁ ବନ ବିଭାଗ କର୍ତ୍ତୃପକ୍ଷ ବନ୍ୟଜନ୍ତୁ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଭୁଆଁ ନ ବୁଲାଇ କ୍ଷତି ପୂରଣ ବାବଦ ଉଚିତ ଅର୍ଥ ପ୍ରଦାନ କରିବାକୁ ଦାବି କରିଛନ୍ତି ।