ଚାଷୀଙ୍କୁ ସ୍ୱାବଲମ୍ବୀ କରିବ ଉଦ୍ୟାନ କୃଷି ବିଭାଗ
ଖୋର୍ଦ୍ଧା : ଉଦ୍ୟାନକୃଷି ବିଭାଗ ମାଧ୍ୟମରେ ସ୍ୱାବଲମ୍ବୀ ହେବେ ମହିଳା ଓ ପୁରୁଷ ଚାଷୀ । ଗେଣ୍ଡୁଫୁଲ, ଛତୁ, ମହୁ ଚାଷ, ପନିପରିବା, ଫଳଚାଷ ଭଳି ଲାଭଜନକ ଫସଲକୁ କିଭଳି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ପୁରୁଷ ଚାଷୀ କରି ପାରିବେ ଏବଂ ସେଥିରୁ ରୋଜଗାର କରି ଆତ୍ମନିର୍ଭରଶୀଳ ହୋଇପାରିବେ ସେନେଇ ଉଦ୍ୟାନ କୃଷି ବିଭାଗ ଗୁରୁତ୍ୱ ଦେଇଛି । ଚାଷୀମାନଙ୍କୁ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମାଧ୍ୟମରେ ଆଜି ବେଗୁନିଆ ବ୍ଲକସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ବେଗୁନିଆ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ବେଗୁନିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଙ୍କୀ ପ୍ରାକ୍ତନ ସହକାରୀ ଉଦ୍ୟାନ କୃଷି ଅଧିକାରୀ ବିଜୟ ପଣ୍ଡା, ପ୍ରେମିୟର କମ୍ପାନୀ ଓଡିଶା ମୁଖ୍ୟ ଦିଲ ବହାଦୁର ପ୍ରମୁଖ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀର ମା'ମାନେ ଏବଂ ପୁରୁଷ ଚାଷୀମାନଙ୍କ ପାଇଁ ବିଭାଗ ମାଧ୍ୟମରେ ସରକାର ଯୋଗାଉଥିବା ସୁବିଧା ଏବଂ ସହାୟତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । କିଭଳି ଏହାକୁ ଉପଯୋଗ କରି ମହିଳା ଓ ପୁରୁଷ ଚାଷୀ ସ୍ୱାବଲମ୍ବୀ ହେବା ସହ ଅନ୍ୟ ପାଇଁ ପ୍ରେରଣା ସାଜିବେ ସେନେଇ ପ୍ରଶିକ୍ଷଣ ଦିଆଯାଇଥିଲା । ସେହିଭଳି କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସଫଳତା ପାଇଥିବା ପୁରୀ ଜିଲ୍ଲା ଶୁଆଣ୍ଡୋ ଗ୍ରାମର ଚନ୍ଦନ ବେହେରା ଚାକିରି ଛାଡି ୧୪ ଏକର ଜମିରେ ଜୈବିକ ପ୍ରଣାଳୀରେ ମିଶ୍ରିତ ଚାଷ କରି ବେଶ ଲାଭବାନ ହୋଇଛନ୍ତି । ସଫଳତାର ପଛର କାହାଣୀ ବଖାଣିଥିଲେ । କାର୍ଯ୍ୟକ୍ରମକୁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଚିନ୍ମୟୀ କୁମାରୀ ସାହୁ ପରିଚାଳନା କରିଥିବା ବେଳେ ବିଭାଗର ଆଶିଷ ଦଳବେହେରା, ଗୀତାଞ୍ଜଳି ବେହେରା ସହଯୋଗ କରିଥିଲେ ।