ପ୍ରଧାନପାଟ ଉତ୍ସବର ଖାଦ୍ୟମେଳାରେ ଚଢ଼ଉ; ବିପୁଳ ବାସୀଖାଦ୍ୟ ନଷ୍ଟ
ଦେବଗଡ : ପ୍ରଧାନପାଟ ସ୍ଥିତ ବଡବଗିଚା ଠାରେ ଅନୁଷ୍ଠିତ ହେଉଥିବା ପ୍ରଧାନପାଟ ଉତ୍ସବର ଖାଦ୍ୟମେଳାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ବାସୀଖାଦ୍ୟ ନଷ୍ଟ କରାଯାଇଛି । ଅତ୍ୟଧିକ ରଙ୍ଗ ବୋଳା ଏବଂ ବାସୀ ଖାଦ୍ୟ ଦିଆଯାଉଥିବା ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢଉ କରାଯାଇଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ଦୋକାନୀ ଖାଦ୍ୟ ମେଳାରେ ବିଭିନ୍ନ ପ୍ରକାରର ଖାଦ୍ୟ ବିକ୍ରି କରୁଛନ୍ତି । ମାତ୍ର ବିଭିନ୍ନ ଦୋକାନରେ ବାସୀ ଖାଦ୍ୟ ଦିଆଯାଉଥିବା ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୌର ନିର୍ବାହୀ ଅଧିକାରୀଙ୍କ ନିଦେ୍ର୍ଦଶକ୍ରମେ ଖାଦ୍ୟ ନିରୀକ୍ଷିକା ମଞ୍ଜୁଳତା ହେସଙ୍କ ନେତୃତ୍ୱରେ ଏକ ଟିମ୍ ଖାଦ୍ୟମେଳାରେ ଚଢଉ କରିଥିଲେ । ଚଢଉ ବେଳେ ୬ ଜଣ ଦୋକାନୀଙ୍କ ଠାରୁ ପ୍ରାୟ ୪୦ କିଲୋ ଓଜନର ବାସୀ ଖାଦ୍ୟ ଜବତ କରାଯାଇଥିବା ବେଳେ ବାସୀଖାଦ୍ୟ ଏବଂ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ରଖାଯାଇଥିବା ପନିର ପକୋଡା, ଚିକେନ ପକୋଡା, ଚାଓମିନ, ମନଚୁରିୟାନକୁ ନଷ୍ଟ କରାଯାଇଥିଲା । ପ୍ରଧାନପାଟ ଉତ୍ସବରେ ମଜା ନେବା ପାଇଁ ବହୁ ଦର୍ଶକ ଆସୁଥିବାବେଳେ ଖାଦ୍ୟମେଳାରେ ଗହଳି ଲାଗୁଛି । ଫଳରେ ଖାଦ୍ୟ ଖାଇ କୌଣସି ବ୍ୟକ୍ତିର ସ୍ୱାସ୍ଥ୍ୟ ସମସ୍ୟା ଯେଭଳି ନ ହେବ, ସେଥିପ୍ରତି ପ୍ରଶାସନ ସଜାଗ ରହିବା ସହିତ ଲୋକଙ୍କୁ ସୁସ୍ୱାଦୁ ଖାଦ୍ୟ ଯୋଗାଇ ଦେବା ପାଇଁ ପ୍ରତିଦିନ ଖାଦ୍ୟମେଳାରେ ଚଢଉ କରାଯିବ ବୋଲି ସୂଚନା ଦିଆଯାଇଛି ।