ଚିଡିଆଖାନାକୁ ଗଲା ମା’ ଛେଉଣ୍ଡ ହାତୀ ଛୁଆ
ଆଠମଲ୍ଲିକ, ୨୬ା୯ : ଆଠମଲ୍ଲିକ ରେଞ୍ଜ ଅଫିସର ଏକ ପ୍ରକୋଷ୍ଟରେ ୧୫ଦିନ ଧରି ସମସ୍ତ ଯତ୍ନ ପାଇ ୧୫/୨୦ଦିନ ବୟସର ମାଈ ହାତୀ ଛୁଆ ଶେଷରେ ଆଜି ଢେଙ୍କାନାଳ କପିଳାସ ଚିଡିଆ ଖାନାକୁ ସ୍ଥାନାନ୍ତରିତ ହୋଇଛି । ଚିଡିଆଖାନାର ଏକ ସ୍ପେସିଆଲ ରେସପନ୍ସ ଟିମ୍ ଆଠମଲ୍ଲିକ ଆସି ଏକ ସ୍ୱତନ୍ତ୍ର ଗାଡି ଯୋଗେ ହାତୀ ଛୁଆକୁ ନେଇ ଯାଇଥିବା ଦେଖିବାକୁ ମିଳିଛି । ହାତୀ ଛୁଆଟିକୁ ଆମେ ୧୫ଦିନ ହେଲା ଝିଅ ପରି ଲାଳନ ପାଳନ କରି ରଖିଥିଲୁ, ତାକୁ ଶ୍ରଦ୍ଧାରେ ପ୍ରିୟାଂଶ ବୋଲି ଡାକୁଥିଲୁ, ଆଜି ଆମ ପାଖରୁ ଚାଲି ଯିବାରୁ ବହୁତ ମନଦୁଃଖ ଲାଗୁଛି ବୋଲି କୋହଭରା ଚିତ୍ତରେ ରେଞ୍ଜ ଅଫିସର ସୁନୀଲ କୁମାର ସାହୁ ପ୍ରକାଶ କରିଛନ୍ତି ।
ପ୍ରକାଶଯୋଗ୍ୟ, ଗତ ୧୧ ତାରିଖ ଗୁରୁବାର ରାତିରେ ଆଠମଲ୍ଲିକ ବ୍ଲକ ଲୁହାସିଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁସୁମକୁହୁରି ଗ୍ରାମ ନିକଟସ୍ଥ ଗଙ୍ଗାପାଣି କ୍ଷୁଦ୍ରଜଳ ସେଚନ ପ୍ରକଳ୍ପର କେନାଲ ଭିତରେ ଏକ ମାଈ ହାତୀଛୁଆ କୌଣସି କାରଣ ବଶତଃ ଖସି ପଡିଥିଲା । ଗାଁ ଲୋକେ ଖବର ଦେବା ପରେ ବନ ବିଭାଗ ସେଠାରେ ପହଞ୍ôଚ ହାତୀଛୁଆକୁ ଉଦ୍ଧାର କରିଥିଲା । ଦୁଇଦିନ କାଳ ବନବିଭାଗ ମା’ ହାତୀ ଆସି ତା ଛୁଆକୁ ନେଇଯିବ ବୋଲି ବିଭିନ୍ନ ପନ୍ଥା ଅବଲମ୍ବନ କରି ଖୁବ ଚେଷ୍ଟା କରିଥିଲେ । ହେଲେ ମଣିଷ ସଂସ୍ପର୍ଶରେ ଆସିଥିବାରୁ ୧୪ଟିକିଆ ହାତୀପଲ ତଥା ମା’ହାତୀ ଛୁଆ ଥିବା ସ୍ଥାନର ୧୦୦ଫୁଟ ପର୍ଯ୍ୟନ୍ତ ଆସି ଛୁଆ ନ ନେଇ ଫେରି ପଳାଇ ଯାଇଥିଲା । ଫଳରେ ବନ ବିଭାଗ ମା’ ଛେଉଣ୍ଡ ହାତୀ ଛୁଆକୁ ଆଣି ନିଜ ହେପାଜତରେ ରଖିବାକୁ ବାଧ୍ୟ ହୋଇଥିଲା ।