ସମାଜସେବୀ ବାପି ମହାନ୍ତିଙ୍କୁ ‘ତାଳଚେର ଗର୍ବ ଗୌରବ' ସମ୍ମାନ
ତାଳଚେର: ଉପଖଣ୍ଡ ପ୍ରଶାସନ ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ସମାଜସେବୀ ବାପି ମହାନ୍ତିଙ୍କୁ ‘ତାଳଚେର ଗର୍ବ ଗୌରବ' ସମ୍ମାନରେ ସମ୍ମାନିତ କରାଯାଇଛି । ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ଆୟୋଜିତ ସମାରୋହ ଅବସରରେ ଉପଜିଲ୍ଲାପାଳ ସମୀର କୁମାର ଜେନା ଶ୍ରୀ ମହାନ୍ତିଙ୍କୁ ‘ତାଳଚେର ଗର୍ବ ଗୌରବ ସମ୍ମାନ - ୨୦୨୫' ପୂର୍ବକ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଶ୍ରୀ ମହାନ୍ତି ଅନେକ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହିବା ସହ ବହୁ ବର୍ଷ ଧରି ସମାଜସେବା କାର୍ଯ୍ୟ କରି ଆସୁଛନ୍ତି । ବିଶେଷ କରି ରୋଗୀ ସେବା, ଗରିବ ଲୋକଙ୍କ ସେବା, ରକ୍ତ ଦାନ ଆଦି କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ତେବେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏଭଳି ସମ୍ମାନ ପ୍ରଦାନ ତାଙ୍କୁ ଆହୁରି ଅଧିକ ସେବା କାର୍ଯ୍ୟ ପାଇଁ ପ୍ରେରିତ କରିବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।