ଚେକ୍ଡ୍ୟାମ ମରାମତି ନାଁରେ ଅର୍ଥ ହରିଲୁଟ୍
ନୀଳଗିରି : ନୀଳଗିରି କ୍ଷୁଦ୍ର ଜଳସେଚନ ବିଭାଗ ପରିଚାଳନାରେ ନୀଳଗିରି ଉପଖଣ୍ଡରେ ବିଭିନ୍ନ ନଦୀ ଉପରେ ଚେକଡ୍ୟାମ୍ ନିର୍ମାଣ କରାଯାଇ ଚାଷୀଙ୍କୁ ଜଳସେଚନର ବ୍ୟବସ୍ଥା କରାଯାଇଥିବା ବେଳେ ଉକ୍ତ ଚେକ୍ଡ୍ୟାମ ଗୁଡ଼ିକର ମରାମତି ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ ହୋଇଛି । ହେଲେ କିଛି ସ୍ଥାନରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଅନ୍ୟ କିଛି ସ୍ଥାନରେ ମରାମତି କାର୍ଯ୍ୟ ଚାଲୁଛି । ତେବେ କିଛି ଚେକଡ୍ୟାମ୍ ମରାମତି ପାଇଁ ଆସିଥିବା ଅର୍ଥ ରାଶିରେ କାମ ନିମ୍ନମାନର ହୋଇଥିବାର ଅଭିଯୋଗ ହୋଇଥିବା ବେଳେ ଅର୍ଥ ହରିଲୁଟ୍ର ଚିତ୍ର ସାମ୍ନାକୁ ଆସିଛି ।
ନୀଳଗିରି ବ୍ଲକ ମହିଷାପଟ୍ଟା ଓ ଅଯୋଧ୍ୟା ପଞ୍ଚାୟତ ମଧ୍ୟବର୍ତ୍ତୀ ସୀମା କୁଆନାଳି ଗ୍ରାମ ଦେଇ ବହିଯାଇଥିବା ଘାଘରା ନଈ ଉପରେ ଚେକ୍ଡ୍ୟାମ ମରାମତି ପାଇଁ ଆସିଥିବା ୫ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଅନୁଦାନ ରାଶିରେ ହୋଇଥିବା ମରାମତି କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ଚେକ୍ଡ୍ୟାମ ନିର୍ମାଣ ପାଇଁ ବ୍ୟବହୃତ ହୋଇଥିବା ବାଲି, ପଥର ଆଦି ବିଭିନ୍ନ ଉପାଦାନ ପୂର୍ବରୁ ନିର୍ମାଣ ହୋଇଥିବା ଚେକଡ୍ୟାମ୍ରୁ ଉଦ୍ଧାର କରାଯାଇ ପୁନର୍ବାର ଉକ୍ତ କାର୍ଯ୍ୟରେ ପୁନଃ ବ୍ୟବହାର କରାଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଉକ୍ତ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହୋଇଥିବା ବାଲି ସେହି ଘାଘରା ନଦୀର ଗଚ୍ଛିତ ବାଲିକୁ ଉତ୍ତୋଳନ କରାଯାଇ ବ୍ୟବହାର କରାଯାଇଛି । ପୁରୁଣା ଚେକଡ୍ୟାମ ୱାଲ ଉପରେ ନିମ୍ନମାନର ସିମେଣ୍ଟ ଓ ବାଲିର ପ୍ରଲେପ ଦିଆଯାଇ ନୂତନ କାର୍ଯ୍ୟର ଭ୍ରମଧାରଣା ସୃଷ୍ଟି କରାଯାଇଛି । ଉକ୍ତ ମରାମତି କାର୍ଯ୍ୟରେ କୌଣସି ଫଳକ କରାଯାଇନଥିବା ଦେଖିବାକୁ ମିଳିଥିବାବେଳେ ପ୍ରାୟ ଏକଲକ୍ଷରୁ ଦେଢ଼ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାର ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି । ପାଞ୍ଚଲକ୍ଷ ଟଙ୍କାର ଅର୍ଥରାଶି ବ୍ୟୟବରାଦ ହୋଇଥିବାର ଅନୁମାନ କରାଯାଇଥିବାବେଳେ ଅବଶିଷ୍ଟ ବୃହତ ଅର୍ଥକୁ ଠିକାଦାର ଏବଂ ବିଭାଗୀୟ ଅଧିକାରୀ ଆତ୍ମସାତ କରିଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ଏଭଳି ଘଟଣାର ଭିଜିଲାନ୍ସ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।