ବିଜେପିର ମହାମିଶ୍ରଣ ପର୍ବ

 ନୀଳଗିରି :  ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ନୁହେଁ କେବଳ ସିଲେକ୍ସନ ହେବ । ଏପରି ଦମ୍ଭୋକ୍ତି କରିଛନ୍ତି ବିଧାୟକ ସନ୍ତୋଷ ଖଟୁଆ । ରାଜନୈତିକ ଚକ୍ରବୁ୍ୟହରେ ବିଜେଡି ଗଡକୁ ଧୀରେ ଧୀରେ ଧରାଶାୟୀ କରିବାକୁ ଅଣ୍ଟା ଭିଡିଛନ୍ତି ଶ୍ରୀଯୁକ୍ତ ଖଟୁଆ । କିଛିଦିନ ପୂର୍ବରୁ ଦୁଇଜଣ ସରପଞ୍ଚ ଏବଂ କର୍ମୀଙ୍କୁ ଦଳରେ ସାମିଲ କରିଥିବା ବେଳେ, ଏନ୍ଏସି କଲ୍ୟାଣମଣ୍ଡପରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡା, ସଂସ୍କୃତି, ଓଡିଆ ଭାଷାସାହିତ୍ୟ ଓ ଯୁବ ବ୍ୟାପାରମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ଉପସ୍ଥିତିରେ ବିଜେଡିର ଟାଣୁଆନେତା କୁହାଯାଉଥିବା ଗତୀକୃଷ୍ଣ ନନ୍ଦ ଏବଂ ୧୧ନଂ ଜିଲ୍ଲାପରିଷଦ ସଭ୍ୟା ସୁବର୍ଣ୍ଣା ମଞ୍ଜରୀ ସିଂ ବିଜେପିରେ ସାମିଲ ହୋଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ମନକିବାତ୍ କାର୍ଯ୍ୟକ୍ରମକୁ ଉପସ୍ଥିତ କାର୍ଯ୍ୟକର୍ତ୍ତା ଶୁଣିବା ପରେ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଉପରୋକ୍ତ ଦୁଇ ଲୋକପ୍ରତିନିଧିଙ୍କ ପରେ ବହୁସଂଖ୍ୟାରେ ନିର୍ବାଚନ ମଣ୍ଡଳୀର ଅଧିକାଂଶ ପଞ୍ଚାୟତରୁ ବିଜେଡି ଛାଡି ବିଜେପିରେ ସାମିଲ ହେବାକୁ ଆସିଥିବା ତୁଙ୍ଗନେତା ଓ କର୍ମୀଙ୍କୁ ଦଳୀୟ ଉତ୍ତରୀୟ, ଟୋପି ଏବଂ ପୁଷ୍ପଗୁଚ୍ଛ ଦେଇ  ଦଳରେ ସାମିଲ କରାଯାଇଥିଲା । ନୂଆକରି ଦଳରେ ସାମିଲ ହୋଇଥିବା ସମସ୍ତଙ୍କୁ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ସ୍ୱାଗତ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ୱପ୍ନକୁ ସାକାର କରିବା ସହିତ ବିଧାୟକଙ୍କ ନେତୃତ୍ୱରେ ନୀଳଗିରିକୁ ଏକ ବିକଶିତ, ସର୍ବାଙ୍ଗସୁନ୍ଦର ନୀଳଗିରି କରିବାକୁ ଆହ୍ୱାନ ଦେଇଥିଲେ । କ୍ରୀଡାର ବିକାଶପାଇଁ ନିର୍ବାଚନ ମଣ୍ଡଳୀକୁ ୫୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦିଆଯାଇଥିବା ସୂଚନା ଦେବାସହ କ୍ରୀଡାପ୍ରତିଭାଙ୍କୁ ଏହାର ଭରପୁର ସୁଯୋଗ ନେବାକୁ କର୍ମୀଙ୍କ ସହଯୋଗ ରହିବା ଆବଶ୍ୟକ ବୋଲି ଉଦ୍ବୋଧନ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସନ୍ତୋଷ ଖଟୁଆ, ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ଜିଲ୍ଲା ବିଜେପି ଉପସଭାପତି କରୁଣାକର ପଣ୍ଡା, ଏନ୍ଏସି ଭାରାପ୍ରାପ୍ତ ଅଧ୍ୟକ୍ଷ ମହେନ୍ଦ୍ରନାଥ ବେହେରା, ବ୍ଲକ ଉପସଭାପତି ଜ୍ୟୋତିର୍ମୟ ପୁଥାଳ, ୨ନଂ ଜିଲ୍ଲାପରିଷଦ ସଦସ୍ୟା ଉଷାରାଣୀ ରାଉଳ, ୧୨ନଂ ଜିଲ୍ଲାପରିଷଦ ସଦସ୍ୟା ରଞ୍ଜିତା ସିଂ, ବାହାନଗା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ମିଶ୍ର, ଯୁବନେତା ଚନ୍ଦ୍ରଶେଖର ନନ୍ଦ, ଶିଶିର ରାଉତ, ସମରଶଙ୍କର କାନୁନଗୋ ମଞ୍ଚାସିନ ଥିଲେ । ଏହା ବ୍ୟତୀତ ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ କାର୍ଯ୍ୟକର୍ତ୍ତା ମଧ୍ୟ ସାମିଲଥିଲେ ।