ଚୋରି ଗାଡ଼ି ଉଦ୍ଧାର; ଅଭିଯୁକ୍ତ ଥାନାରେ ଅଟକ
ଯାଜପୁର ଟାଉନ: ମଙ୍ଗଳପୁର ଥାନା ଅନ୍ତର୍ଗତ କରାଣ୍ଡିପୁର ଗ୍ରାମର ରଶ୍ମି ରଞ୍ଜନ ଦାସ ନାମକ ଜନୈକ ବ୍ୟକ୍ତି ନିଜର ଏକ ହିରୋହୋଣ୍ଡା ଗ୍ଲାମର ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରଖି ତାଙ୍କ ସମ୍ପର୍କୀୟ ରୋଗୀକୁ ଦେଖିବାକୁ ଯାଇଥିବା ବେଳେ କେହି ଦୁର୍ବୃତ ଚୋରି କରି ନେଇ ଯାଇଥିଲେ । ଏନେଇ ରଶ୍ମିରଞ୍ଜନ ଯାଜପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଟାଉନ ପୁଲିସ ଏସମ୍ପର୍କରେ ଏକ ମାମଲା କେଶ ନଂ.୩୫/୨୫, ଦଫା ୩୦୩(୨) ବିଏନ୍ଏସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତେବେ ଏହି ମାମଲାରେ ପୁଲିସ ସଂପୃକ୍ତ ମୋଟର ସାଇକେଲ ଚୋରି କରିଥିବା ଅଭିଯୁକ୍ତ ଯାଜପୁର ଥାନା ଅନ୍ତର୍ଗତ ନୂଆଗୋବିନ୍ଦପୁର ଗ୍ରାମର ବିଶ୍ୱନାଥ ପାଲ୍ଙ୍କ ପୁଅ ବାବୁ ଓରଫ ମାନସ ରଞ୍ଜନ ପାଲ୍ (୩୩)ଙ୍କୁ ଧରିବା ସହ ଅଭିଯୁକ୍ତ ନିକଟରୁ ୬ଟି ଚୋରି ମୋଟର ସାଇକେଲକୁ ମଧ୍ୟ ଜବତ କରିଥିଲେ । ତଦନ୍ତ ସମୟରେ ଅଭିଯୁକ୍ତ ଜଣକ ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ଥିବାର ଟାଉନ ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।