ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା : ଅଜଣା ଫୋନ କଲରୁ ହତ୍ୟା ଧମକ
କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ଭି-୭୨ ନୋଡାଲ ପ୍ରାଥମିକ ବିଦ୍ୟାଳୟର ଦୁଇ ଛାତ୍ରୀଙ୍କ ଝୁଲନ୍ତା ଶବ ଜଙ୍ଗଲରୁ ଉଦ୍ଧାର ଘଟଣାକୁ ଇତି ମଧ୍ୟରେ ୩ ସପ୍ତାହରୁ ଅଧିକ ସମୟ ବିତିଲାଣି । କିନ୍ତୁ ଏହି ଚର୍ଚ୍ଚିତ ସମ୍ବେଦନଶୀଳ ଘଟଣାକୁ ଆତ୍ମହତ୍ୟାର ବୋଲି ପୁଲିସ କହୁଥିବା ବେଳେ ଅନ୍ୟପଟେ କିନ୍ତୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରୁଥିବା ଦୁଇ ଛାତ୍ରୀଙ୍କ ସମ୍ପର୍କୀୟଙ୍କୁ ଅଜଣା ଫୋନ କଲରୁ ମିଳୁଛି ହତ୍ୟା ଧମକ । ଘଟଣାର ଉନ୍ମୋଚନ ପାଇଁ ଉଦ୍ୟମ କଲେ ହତ୍ୟା କରିଦେବି ବୋଲି ଅଜଣା ଫୋନ୍ କଲ୍ ଦ୍ୱାରା ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ମଧ୍ୟ ଲିଖିତ ଅଭିଯୋଗ ହୋଇଥିବା ବେଳେ ଉକ୍ତ ଅଜଣା ନମ୍ବରଟି ବାଙ୍ଗଲାଦେଶର ବୋଲୁଆ କୁହାଯାଉଛି । ସୂଚନା ମୁତାବକ ଦୁଇ ଛାତ୍ରୀଙ୍କ ଝୁଲନ୍ତା ଶବ ଜଙ୍ଗଲରୁ ଉଦ୍ଧାର ଘଟଣା ପରେ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ମାନଙ୍କ ଉପସ୍ଥିତିରେ ଏକ ଆଲୋଚନା ସଭା ହୋଇଥିଲା । ଉକ୍ତ ଆଲୋଚନା ସଭାରେ ଏମପିଭି- ୭୪ ଗ୍ରାମର ଅଶିତ ଦାସ ନାମକ ବ୍ୟକ୍ତି ମଧ୍ୟ ଭାଗ ନେଇଥିଲେ । ସେହି ଦିନ ସନ୍ଧ୍ୟାରେ ହିଁ ଏକ ଅଜଣା ଫୋନ୍ ନମ୍ବରରୁ ଅଶିତଙ୍କ ଫୋନ୍ ନମ୍ବରକୁ ଫୋନ୍ ଆସିଥିଲା । କିନ୍ତୁ କୌଣସି ବିଷୟ କିଛି ନ କହି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ପରେ ପୁଣି ଆଉ ଏକ ନମ୍ବର ରୁ ତାଙ୍କୁ ଫୋନ୍ ଆସିଥିଲା । ତେବେ ଫୋନ୍ କଲ୍ରେ ମରିଯାଇଥିବା ଝିଅମାନଙ୍କ ବିଷୟରେ କାହିଁକି ମୁଣ୍ଡ ପୁରାଉଛୁ ତୋତେ ମଧ୍ୟ ତାଙ୍କୁ ମାରିଲା ଭଳିଆ ମାରିବୁ ଏବଂ ତୁ କଣ କରୁଛୁ କୁଆଡେ ଯାଉଛୁ ସବୁ ନଜରରେ ରଖିଛି ବୋଲି କହିଥିଲେ । ଏହି ଘଟଣା ପରେ ସେ ଭୟବିତ ହେବା ସହ ଜୀବନ ପ୍ରତି ବିପଦ ଦେଖି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତେବେଅଜଣା ଫୋନ କଲ ଯୋଗୁଁ ଘଟଣାଟି ପୁଣି ନୂଆ ମୋଡ ନେଇଥିବା ବେଳେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।