ଜଉ କଣ୍ଢେଇ ବାହାଘର ନେଇ ବୈଠକ
ବାଲେଶ୍ୱର : ବାଲେଶ୍ୱର ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ପକ୍ଷରୁ ‘ବିଶ୍ୱ କଣ୍ଢେଇ ଦିବସ’ ଅବସରରେ ବିଶ୍ୱଶ୍ରୀ ପ୍ରେସ୍ ଗୃହରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶିକ୍ଷାବିତ୍ ଡ. ଉପେନ୍ଦ୍ରନାଥ ପାତ୍ର ସଭାପତିତ୍ୱ କରିଥିଲେ । ଉତ୍ସବ କମିଟି ସମ୍ପାଦକ ଡ. କୁମାର ଗୋପାଳ ସ୍ୱାଗତ ଜଣାଇ ଆଲୋଚନାର ପ୍ରସଙ୍ଗ ବୈଠକରେ ଆଗତ କରିଥିଲେ । ବର୍ତମାନର ସମାଜରେ ଶିଶୁଙ୍କୁ ବିଭିନ୍ନ ବୈଦୁ୍ୟତିକ ଖେଳନା ଓ ମୋବାଇଲ ପ୍ରଭୃତି ଖେଳ ଓ ମନୋରଞ୍ଜନ ଉପକରଣ ଭାବେ ଅଭିଭାବକ ଦେଉଛନ୍ତି । ଯାହାକି ସେମାନଙ୍କର ମାନସିକ ଓ ଶାରୀରିକ ଅଭିବୃଦ୍ଧିରେ କ୍ଷତି ଘଟାଉଛି । ଅତୀତରେ ମାଟିର ଜଉକଣ୍ଢେଇ କିମ୍ବା କାଠ ଓ ଅନ୍ୟାନ୍ୟ ପ୍ରାକୃତିକ ଉପକରଣରେ ନିର୍ମିତ କଣ୍ଢେଇ ଓ ଖେଳନା ପ୍ରଭୃତି ଶିଶୁମାନଙ୍କ ବିକାଶରେ ସହାୟକ ହେଉଥିଲା । ଏହି ସବୁ ଖେଳନା ନିର୍ମାଣରେ ସ୍ଥାନୀୟ ଶିଳ୍ପୀ ତଥା ପାରମ୍ପରିକ ବ୍ୟବସାୟୀମାନେ ଉପକୃତ ହେଉଥିଲେ । ଏ ସମ୍ପର୍କରେ ବରିଷ୍ଠ ସଭ୍ୟ ଗୌରାଙ୍ଗ ପାଣିଗ୍ରାହୀ, ଇଂ. ହୃଷିକେଶ ସାହୁ, ଲେଖକ ପିତାମ୍ବର ଦାସ ଓ ଗୋପାଳ ଚନ୍ଦ୍ର ଜେନା ପ୍ରମୁଖ ବିଶଦ ଆଲୋଚନା କରି କଣ୍ଢେଇ ଦିବସ ପାଳନକୁ ସ୍ୱାଗତ କରିଥିଲେ । ୨୦୨୫ ଜଉ କଣ୍ଢେଇ ବିଭାଘର ପଞ୍ଜିକା ପାଠ କରାଯାଇ ତାହ ଅନୁମୋଦନ କରାଯାଇଥିଲା । ଆସନ୍ତା ମଇମାସ ୨୩ ତାରିଖ ଦିନ ବିଭାଘର ଓ ସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇ ୨୬ ତାରିଖ ଦିନ ସନ୍ଧ୍ୟାରେ ଏହି ଉତ୍ସବ ଉଦ୍ୟାପିତ ହେବ । ଚଳିତବର୍ଷ ବିଭାଘରରେ ଲୋକପି୍ରୟ ଗଳ୍ପ ‘ସୁଅ ମୁହଁରେ ପତର’ର ନାୟକ ‘ଅପର୍ତି’ ଓ ନାୟିକା ‘ଗୁରେଇ’ ନାମରେ ବର ଓ କନ୍ୟାର ନାମକରଣ ପାଇଁ ନିଷ୍ପତି ନିଆଯାଇଛି । ଆଲୋଚନାରେ ବ୍ରହ୍ମନାଥ ରଥ, ରଘୁନାଥ ଲେଙ୍କା, ରଚନା ସେନ୍ ଓ ବ୍ୟୋମନାଥ ରଥ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।