ବାଲି ହରଚଣ୍ଡୀ ପୀଠରେ ପ୍ରସିଦ୍ଧ ରଜମେଳା; ଜମୁଛି ଭିଡ଼
ପୁରୀ: ପହିଲି ରଜରୁ ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ବାଲି ହରଚଣ୍ଡୀ ପୀଠରେ ଚାଲିଛି ପ୍ରସିଦ୍ଧ ରଜ ମେଳା । ଦେବୀଙ୍କ ଦର୍ଶନ ଓ ରଜ ମଉଜ ପାଇଁ ଲୋକାରଣ୍ୟ ହୋଇଉଠିଛି ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ବାଲି ହରଚଣ୍ଡୀ ମନ୍ଦିର ସଲଗ୍ନ ବାଲୁକା ପ୍ରାନ୍ତର । ଚାଲିଛି ଭୋଜି ଭାତର ଆସର । ଛାପାମାନଙ୍କରେ ଜମିଛି ତାସ୍ ଓ ପସା ଖେଳର ଆସର । ମେଘ ମେଦୁର ଆକାଶର ଚାନ୍ଦୁଆ ତଳେ ଭକ୍ତଙ୍କ ସମାଗମରେ କୋଳାହଳ ମୁଖରିତ ହୋଇଉଠିଛି ବାଲି ହରଚଣ୍ଡୀ ପୀଠ । ରଜ ସମୟରେ ରଜସ୍ୱଳା ହୋଇ ଦେବୀ ହରଚଣ୍ଡୀ ଭୈରବୀ ରୂପ ଧାରଣ କରିଥାନ୍ତି । ଏହି ଅବସରରେ ଦେବୀ ଭକ୍ତମାନଙ୍କୁ ପହିଲି ରଜରେ ଦେବୀ ଭୈରବୀ, ଦ୍ୱିତୀୟ ଦିନରେ ଯୋଗମାୟା, ତୃତୀୟ ଦିବସରେ ଜୟଚଣ୍ଡୀ ଓ ଚତୁର୍ଥ ଦିବସରେ ମହାଶାନ୍ତି ବେଶରେ ସଜ୍ଜିତ ହୋଇ ଦର୍ଶନ ଦେଇଥାନ୍ତି । ଏହି ଅବସରରେ ବାଲି ହରଚଣ୍ଡୀ ଠାରେ ପ୍ରବଳ ଜନସମାଗମ ହୋଇଥାଏ । ଭକ୍ତମାନେ ଦେବୀଙ୍କ ଯୋଗମାୟା ବେଶ ଦର୍ଶନ କରିବା ସହ ଧୂପ, ଦୀପ ଓ ନୈବେଦ୍ୟ ଅର୍ପଣ କରିଥିଲେ । ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତମାନଙ୍କୁ ଧାଡ଼ିରେ ମନ୍ଦିର ଭିତରକୁ ଛଡ଼ାଯାଇଥିଲା । ଭକ୍ତମାନେ ଦେବୀ ହରଚଣ୍ଡୀଙ୍କୁ ଦର୍ଶନ କରିବା ସହ ତତ୍ସଲଗ୍ନ ଶିବ ମନ୍ଦିରକୁ ଯାଇ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ମନ୍ଦିରରେ ସ୍ୃଷ୍ଟି ହୋଇଥିଲା ଦିବ୍ୟ ଭକ୍ତିପୂତ ପରିବେଶ ।
ପୂର୍ବରୁ ଦେବୀଙ୍କ ବଳି ପଡ଼ୁଥିବା ସ୍ଥାନକୁ ଭକ୍ତମାନେ ପ୍ରଣିପାତ କରିଥିଲେ । ରଜ ମହୋସôବ ଉପଲକ୍ଷେ ମନ୍ଦିର ସଲଗ୍ନ ବାଲୁକା ପ୍ରାନ୍ତରରେ ଆଖପାଖ ଗ୍ରାମର ଅଧିବାସୀ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଛାପାମାନ ପ୍ରତିଷ୍ଠା କରାଯାଇଥିଲା । ଦେବୀଙ୍କୁ ଉସôର୍ଗ ଉଦେ୍ଧଶ୍ୟରେ ବନ୍ଧାଯାଇଥିଲା ବଳି ଛାଗ । ପାଶ୍ୱର୍ବର୍ତ୍ତୀ ଗ୍ରାମଗୁଡ଼ିକର କୋଠ ପକ୍ଷରୁ ମେଳା ପଡ଼ିଆରେ ଛାପା ପକାଯାଇ ଭୋଜିଭାତ କରାଯାଇଥିଲା । ରଜପର୍ବ ଉପଲକ୍ଷେ ପ୍ରତିବର୍ଷ ଭଳି ବାଲି ହରଚଣ୍ଡୀ ପୀଠରେ ଖୋଲିଥିଲା ଛୋଟ ବାଣିଜ୍ୟ ମେଳା । ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି ମନହାରୀ ଦ୍ରବ୍ୟ ପର୍ଯ୍ୟନ୍ତ ଖୋଲିଥିଲା ସବୁରି ବିପଣୀ । ଶିଳ, ଶିଳପୂଆ, ଚକି, ଘୋରଣା, ଓ ଖଲ ଆଦି ପଥରରେ ତିଆରି ସାମଗ୍ରୀ ବିକ୍ରୀ ଚାଲିଥିଲା । ମେଳା ପଡ଼ିଆରେ ମିଳୁଥିଲା ସୁନ୍ଦର ସୁନ୍ଦର ଖଟ, ସୋଫା ସେଟ୍, ଆଲେଣା, ଡ଼୍ରେସିଂ ଟେବୁଲ, ଓ ଚୌକି । ଖଡ଼ିକା, ଛାଞ୍ଚୁଣି, ତାଳପତ୍ର ବିଞ୍ଚଣା ଓ ଚଟେଇ । ଏହାଛଡ଼ା ପିତ୍ତଳ ବାସନକୁସନ, ଘଣ୍ଟା ଓ ଘଣ୍ଟିର ଦୋକାନ ମଧ୍ୟ ଖୋଲିଥିଲା । ମନହାରୀ ଦ୍ରବ୍ୟ ଓ ମାଳି ପାଟଫୁଲି ଦୋକାନନମାନଙ୍କରେଜମିଥିଲା ମହିଳା ମାନଙ୍କର ଭିଡ଼ । କାଠର ବେଲଣା ପେଡ଼ି, ବେଲଣା କାଠି, ପନିକି ଆଦି ଘର କରଣା ସାମଗ୍ରୀ ପଞ୍ଜୁରୀ, ଭଳିକି ଭଳି ପୋଷାକ, ଟର୍ଚ୍ଚଲାଇଟ, ବ୍ୟାଟେରୀ ଓ ବୈଦୁ୍ୟତିକ ସାମଗ୍ରୀର ବିକାଳୀମାନେ ମଧ୍ୟ ମେଳା ପଡ଼ିଆରେ ଦୋକାନ ଖୋଲିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମେଳା ପଡ଼ିଆରେ ଦର୍ଶନାର୍ଥୀମାନଙ୍କ ସେବା ପାଇଁ ଜଳଛତ୍ରର ବ୍ୟବସ୍ଥା କରାଯାଇଥିଲା । ଉଲ୍ଲେଖ ଯୋଗ୍ୟ ଯେ ଶ୍ରୀମନ୍ଦିର ସହିତ ବାଲିହରଚଣ୍ଡୀଙ୍କର ଘନିଷ୍ଠ ସଂପର୍କ ରହିଛି । ପ୍ରତ୍ୟହ ଶ୍ରୀମନ୍ଦିରରୁ ଆସିଥିବା ମାଳ ମହାପ୍ରସାଦ ଲାଗି କରାଯଇ ଦେବୀଙ୍କର ପହୁଡ଼ ହୁଏ । ରଥଯାତ୍ରା ସମୟରେ ଶ୍ରୀମନ୍ଦିର ପକ୍ଷରୁ ଦେବୀଙ୍କୁ ବାରହାତ ଖଣ୍ଡୁଆ, ଚୁଆ, ଚନ୍ଦନ, ସିନ୍ଦୁର ଓ ମାଳମହାପ୍ରସାଦ ପ୍ରଦାନ ପୂର୍ବକ ମାଜଣା କରାଯାଇଥାଏ । ମା’ଙ୍କ ମାଳ ହୁକୁମ ହୋଇ ପୁରୀ ଗଳେ ଜଗନ୍ନାଥଙ୍କ ରଥରେ ବନ୍ଧାଯାଇ ତା ପରଦିନ ରଥ ଟଣାଯାଏ । ଦଶହରା ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦେବୀଙ୍କ ପାଇଁ ଧଳାଶାଢୀ, ଚନ୍ଦନ କାଠ, ଝୁଣା, କର୍ପୁର ଓ ଗଜା ଆଦି ଆସିଥାଏ । ଗଜପତିଙ୍କ ପକ୍ଷରୁ ବିଧିବଦ୍ଧ ଭାବରେ କରାଯାଇଥାଏ ଦେବୀଙ୍କର ଷୋଳପୂଜା । ସେହିଭଳି ଚୈତ୍ର ମାସର ପ୍ରତି ମଙ୍ଗଳବାରରେ ମଧ୍ୟ ଶାଢୀ, ଝୁଣା, ଚନ୍ଦନ ଓ ସିନ୍ଦୁର ଆଦି ଆସି ମାଙ୍କର ମାଜଣା ହୋଇଥାଏ ବୋଲି ହରଚଣ୍ଡୀଙ୍କ ପୂଜକମାନେ କୁହନ୍ତି ।