ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ପୁରୀ : ଚଳିତ ବର୍ଷ ୨୬ ତାରିଖରେ ମହାଶିବରାତ୍ରି । ଲୋକନାଥ ପୀଠରେ ପ୍ରଭୁ ଲୋକନାଥ ଦେବଙ୍କ ଜାଗର ଯାତ୍ରାକୁ ସୁଚାରୂରୂପେ ପରିଚାଳନା ପାଇଁ ଏକ ବୈଠକ ଗୁରୁବାର ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଳାପାଳ ପ୍ରୋଟୋକଲ ନୀଳମାଧବ ଭୋଇ ଜାଗର ଯାତ୍ରାରେ ବିପୁଳ ଜନସମାଗମ ହୋଇଥାଏ । ତେଣୁ ଚଳିତ ଯାତ୍ରାକୁ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ପରିଚାଳନା ସହ ଯେପରି ଶ୍ରଦ୍ଧାଳୁମାନଙ୍କର କୌଣସି ଅସୁବିଧା ନହୁଏ ଓ ସେମାନେ ଏକ ସୁଖଦ ଅନୁଭୂତି ନେଇ ଘରକୁ ଯିବେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଚଳିତ ମାସ ୨୪ ତାରିଖରେ ହେବାକୁ ଥିବା ପଙ୍କ ଉଦ୍ଧାର ଏକାଦଶୀ ଓ ୨୬ ତାରିଖରେ ହେବାକୁ ଥିବା ଜାଗର ଯାତ୍ରର ନୀତିକାନ୍ତି, ସମୟ ନିର୍ଘଣ୍ଟର ସୂଚନା ଦିଆଯିବା ସହ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ପଙ୍କୋଦ୍ଧାର ଏକାଦଶୀ ପାଇଁ ରାତ୍ର ୧୨.୩୦ରେ ପହୁଡ଼ ଦ୍ୱାର ଖୋଲା, ୧.୧୫ରୁ ମଙ୍ଗଳ ଆଳତି, ଅବକାଶ ଇତ୍ୟାଦି ରାତ୍ର ୧.୪୫ମିନିଟ୍ରୁ ରାତ୍ର ୩ଘଟିକା ମଧ୍ୟରେ ସକାଳ ଧୂପ, ରାତ୍ର ୩ଟାରୁ ୪ଟା ମଧ୍ୟରେ ମଧ୍ୟାହ୍ନ ଧୂପ, ରାତ୍ର ୪ଟାରୁ ୮ଘଟିକା ମଧ୍ୟରେ ପଙ୍କୋଦ୍ଧାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସେହିପରି ୨୬ ତାରିଖ ରାତ୍ର ୧୨.୩୦ରେ ପହୁଡ଼ ଓ ଦ୍ୱାର ଖୋଲ, ରାତ୍ର ୧ଟାରୁ ୪ଟା ମଧ୍ୟରେ ମଙ୍ଗଳ ଆରତୀ, ଅବକାଶ, ସୂର୍ଯ୍ୟ ପୂଜା, ଭୋର ୪ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ, ରାତ୍ର ୧୦ରୁ ୨ଘଟିକା ପର୍ଯ୍ୟନ୍ତ ବିଭିନ୍ନ ନୀତି, ରାତ୍ର ୨ଟାରୁ ୩ଟା ପର୍ଯ୍ୟନ୍ତ ହରିହର ପୂଜା, ଭୋଗ ସମ୍ପନ୍ନ, ବଡ଼ସିଂହାର ବେଶ ଓ ମହାଦୀପ ପ୍ରଜ୍ଜ୍ୱଳନର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ପୌରନିର୍ବାହୀ ଅଧିକାରୀ ଅଭିମନୁ୍ୟ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ରୂପଭାନୁ ମିଶ୍ର, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ବିଭିନ୍ନ ବିଭାଗର ଅଧିକାରୀ, ଆରକ୍ଷୀ ଅଧିକାରୀ, ବିଭିନ୍ନ ସେବାୟତ ନିଯୋଗର ସଭାପତି, ସମ୍ପାଦକ ଓ ପ୍ରତିନିଧି, ପଙ୍କୋଦ୍ଧାର ଏକାଦଶୀ ପାଳିଆ ସେବାୟତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।