ଜଙ୍ଗଲ ଜମିରେ ବେଆଇନ ପାର୍କିଂ ଓ ଷ୍ଟକ୍ୟାର୍ଡ
ଦାନଗଦୀ : କଳିଙ୍ଗନଗର ଶିଳ୍ପାଞ୍ଚଳ ଚାରିପାଖରେ ଏକର ଏକର ସରକାରୀ ଜମି ଜବରଦଖଲ କାହାକୁ ଅଛପା ନାହିଁ । କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଏହାକୁ ବଡ଼ ସୁଯୋଗ ଭାବେ ଧରିନେଇଛନ୍ତି ଅଣ ଓଡ଼ିଆ ଠିକାଦାର । ଅଣଓଡ଼ିଆ ଠିକାଦାର ଏକର ଏକର ଜମିକୁ କରାୟତ କରି ବେଆଇନ ଭାବେ ଗାଡ଼ି ପାର୍କି କରିବା ସହ ଷ୍ଟକୟାର୍ଡ଼ କରି ମାଲେ ମାଲ ହେବାରେ ଲାଗିଛନ୍ତି । ରାଜସ୍ୱ କି ଜଙ୍ଗଲ ବିଭାଗ ନେତ୍ର ଆଗରେ ଏସବୁ ଘଟିଚାଲିଥିଲେ ହେଁ ନୀରବ ଦ୍ରଷ୍ଟା ସାଜିଛନ୍ତି । ଏକର ଏକର ବେଆଇନ ଜଙ୍ଗଲଜମି ଜବରଦଖଲ ହୋଇଥିବା ଦେଖିବାକୁ ମିଳିଛି ଦାନଗଦୀ ତହସିଲ ଅନ୍ତର୍ଗତ ନଡ଼ିଆଭଙ୍ଗା ମୌଜାର ଖାତା ନମ୍ବର ୯୦ର ପ୍ଲଟ ନମ୍ବର ୯୩ ଓ ୧୦୩ ଜମିରେ । ଏଠାର ଏକ ଏକରରୁ ଉର୍ଦ୍ଧ ଜମିକୁ ଜଣେ ଅଣ ଓଡ଼ିଆ ଠିକାଦାର ଗାଡି ପାର୍କିଂ କରିବା ସହ ଷ୍ଟକୟାର୍ଡÿ ଭାବେ ବ୍ୟବହାର କରୁଛି । ଗାଡି ପାର୍କିଂ ଓ ଷ୍ଟକ ୟାର୍ଡÿଟି ଡ଼ୁବୁରୀରୁ ଦୈତାରୀ ରାଜ୍ୟ ରାଜପଥରେ ଯିବା ବେଳେ ରାସ୍ତା ପାର୍ଶ୍ୱରେ ଜାମୁପଶୀ ନିକଟରେ ପଡ଼ୁଛି । ଏହି ଜମିର କିସମ ଶାଳ ଜଙ୍ଗଲ (ଅନାବାଦୀ)ଥିବା ବେଳେ, ସେହିଠାରେ ଆଗରୁ ଝାଟି ଜଙ୍ଗଲ ଥିଲା । ଏହି ସରକାରୀ ଜମିରୁ ଧିରେ ଧିରେ ଜଙ୍ଗଲ ସଫାକରି ଜଙ୍ଗଲ ଓ ରାଜସ୍ୱ ବିଭାଗ ଜାଣତରେ ସ୍ଥାନୀୟ ଅଂଚଳର କିଛି ଯୁବକ ଜମି ମାଫିଆ ୟୁଏଇ ନାମକ ଜଣେ ବାହାର ଅଣ ଓଡ଼ିଆ ଠିକାସଂସ୍ଥାକୁ ମାସକୁ ଲକ୍ଷାଧିକ ଟଙ୍କାରେ ଭଡା ସୂତ୍ରରେ ଦେଇଥିବା ଅଭିଯୋଗ ହେଉଛି । ବିବେକ ଜୈନ ନାମକ ଠିକାଦାର ଏହି ଜମିକୁ ପାଚେରୀ କରି ମାଡି ବସି ଶହ ଶହ ଭାରୀ ଯାନ ପାର୍କିଂ କରିବା ଫଳରେ ମାତ୍ରାଧିକ ଧୂଳି ଉଡି ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି ପାଉଥିବା ବେଳେ ଟ୍ରାଫିକ ସମସ୍ୟା ଉପୁଜୁଛି । କଳିଙ୍ଗନଗରରେ ଶିଳ୍ପଜନିତ ପ୍ରଦୂଷଣ ଜଙ୍ଗଲ ଓ ସବୁଜ ବଳୟ ଅଭାବ କାରଣରୁ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ଜଙ୍ଗଲ ଜମିରେ ବୃକ୍ଷରୋପଣ କରିବା ପରିବର୍ତେ ଦେଖି ନଦେଖିଲା ପରି ରକ୍ଷକ ହୋଇ ଭକ୍ଷକ ହେବା ସାଧାରଣରେ ପ୍ରଶ୍ନବାଚୀ ହୋଇଛି । ପ୍ରଶାସନ ଏତେ ପରିମାଣରେ ଜଙ୍ଗଲ ଜମିକୁ ଅଣ ଓଡ଼ିଆ ଠିକାଦାରଙ୍କ କବଜାରୁ ଉଦ୍ଧାର କରି ନୂତନ ଜଙ୍ଗଲ ସୃଷ୍ଟି କରି ପରିବେଶ ସୁରକ୍ଷା କରିବା ପାଇଁ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।