ବିଦୁ୍ୟତ ଆଘାତରେ ବାପା-ପୁଅଙ୍କ ମୃତୁ୍ୟ; ମାଆ ଗୁରୁତର

 ଦାନଗଦୀ: ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଧୂଳିଗଡ଼ ପଞ୍ଚାୟତର ବେଙ୍ଗପାଟିଆ ଗାଁରେ ଘଟଛି ଅଭାବନିୟ ଘଟଣା ।  ଘଟଣାଟି ଯେତିକି ହୃଦୟବିଦାରକ ସେତିକି ଦୁଃଖ ଦାୟକ । ସ୍ତବ୍ଧ ହୋଇଯାଇଛି ଆଖ ପାଖ ଅଞ୍ଚଳ । ଖବର ମତେ ବେଙ୍ଗ ପାଟିଆ ଗାଁର ଚାଷୀ ଗଣେଶ ମଣ୍ଡଳ (୬୫) ଆଜି ଭୋର ସମୟରେ ନିଜ ବାଡ଼ିରେ ଥିବା ଚାଷ କ୍ଷେତରେ କାମ କରିବା ପାଇଁ ବାହାରିବା ସମୟରେ ମୋଟରପମ୍ପରେ ପାଣି ମଡାଇବା ପାଇଁ ଚେଷ୍ଟା କରୁଥିଲେ । ହେଲେ ଏହି ସମୟରେ କୌଣସି କାରଣ ବଶତଃ ବିଦୁ୍ୟତ ସଂସ୍ପର୍ଶରେ ଆସିଯାଇଥିଲେ । ବାପାଙ୍କର ଏପରି ଅବସ୍ଥା ଦେଖି ତାଙ୍କର ଏକମାତ୍ର ପୁଅ ଆଶୁତୋଷ (୩୦) ତାଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବିଦୁ୍ୟତ ସଂସ୍ପର୍ଶରେ ଆସିବାରୁ ସେଠାରେ ପଡିଗଲେ । ତୁଳସୀ ମଣ୍ଡଳ ଏମିତି ବାପା ପୁଅଙ୍କ ଅବସ୍ଥା ଦେଖି ଧରିଦେବାରୁ ସେ ମଧ୍ୟ ଛିଟିକି ପଡି ଆହତ ହୋଇଗଲେ । ପାଖ ପଡୋଶୀ  ପାଟି ଶୁଣି ଦୌଡ଼ି ଆସି ସମସ୍ତଙ୍କୁ ଉଦ୍ଧାର କରି ଦାନଗଦୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ବାପା ଗଣେଶ ଓ ପୁଅ ଆଶୁତୋଷଙ୍କୁ ମୃତ ଘୋଷଣା କରିଥିଲେ । ମା ତୁଳସୀ ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା କରିଥିଲେ । ଦୁର୍ଘଟଣାରେ ବାପ-ପୁଅଙ୍କ ମୃତୁ୍ୟ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗୋଟେ ଦିନରେ ଶାଶୁ ଓ ବୋହୁ ବିଧବା ହେବା ଗୋଟେ ଜୁଇରେ ବାପା ପୁଅ ଜଳିବା ଏଅଞ୍ଚଳ ପାଇଁ ଏକ ଦାରୁଣ ପରିବେଶ ସୃଷ୍ଟି କରିଛି । ଦୁଃଖଦ ଘଟଣା ପରେ ଦାନଗଦୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ପହଁଚି ଶେଷ ଦର୍ଶନ କରିବା ସହ ଦୁଃଖ ପ୍ରକାଶ କରି ଆତ୍ମୀୟ ସ୍ୱଜନଙ୍କୁ ସାନ୍ତ୍ୱନା ଦେଇଥିଲେ । ପୁଲିସ ଦୁଇଟା ମାମଲା ରୁଜୁ କରି ଘଟଣାସ୍ଥଳରେ ପହଁଚି ତଦନ୍ତ କରିଥିଲା ।