ଜଙ୍ଗଲ ସୁରକ୍ଷା ପାଇଁ ପ୍ରକୃତି ଶିବିର
ନବରଙ୍ଗପୁର : ନବରଙ୍ଗପୁର ସ୍ଥିତ ଚରକ ବନ ଠାରେ ଜଳବାୟୁ ପରିବର୍ତ୍ତନକୁ ରୋକିବା, ଜଙ୍ଗଲ ଓ ପରିବେଶ ସୁରକ୍ଷା ନେଇ ଏକ ଅଭିନବ କାର୍ଯ୍ୟକ୍ରମ ପ୍ରକୃତି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଉମରକୋଟ ବ୍ଲକର ଜାମରୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ନବରଙ୍ଗପୁର ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଦୁଇଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଜାମରୁଣ୍ଡା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏହି ପ୍ରକୃତି ଶିବିର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା ଯୋଗ ଦେଇ ସେ କହିଥିଲେ ନବରଙ୍ଗପୁର ଜିଲ୍ଲାରେ ୪୬ ପ୍ରତିଶତ ଜଙ୍ଗଲରୁ ୨୨ପ୍ରତିଶତ ଜଙ୍ଗଲକୁ ଖସି ଆସିଛି । ସେ ଜବରଦଖଲ ହେଉ କିମ୍ବା ଜଙ୍ଗଲ ଅଧିକାର ଆଇନ ହେଉ ଜିଲ୍ଲାରେ ଜଙ୍ଗଲ ଜମି ପଟ୍ଟା ମାଧ୍ୟମରେ ଜଙ୍ଗଲ ନଷ୍ଟ ହେଉଛି । ଜଙ୍ଗଲ ପରିବେଶ ଠିକ ନ ରହିଲେ ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଭାବ ପଡିବ । ତେଣୁ ଜଙ୍ଗଲ ସୁରକ୍ଷା ନିହାତି ଆବଶ୍ୟକ । ପ୍ରଧାନମନ୍ତ୍ରୀ ମା’ ପାଇଁ ଗଛଟିଏ ଲଗାଇ ବନୀକରଣ ପାଇଁ ପଦକ୍ଷେପ ନେଇଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷ ୧୦ ଲକ୍ଷରୁ ଊଦ୍ଧ୍ୱର୍ ଚାରାରୋପଣ କରାଯାଇଛି । କେବଳ ଗଛ ଲଗାଇଲେ ହେବ ନାହିଁ ଗଛ ଲଗାଇବା ସହ ଗଛର ଯନô ନେବାକୁ ପଡିବ । ବିକାଶ ସାଙ୍ଗକୁ କିପରି ପରିବେଶ ସୁରକ୍ଷା ହୋଇପାରିବ ଏବଂ ଛାତ୍ରଛାତ୍ରୀମାନେ ଏହି ଶିବିରରେ ତାଲିମ ନେବା ପରେ ସଚେତନତାର ବାର୍ତ୍ତା ବାଣ୍ଟନ୍ତୁ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସିଏଫଓ ଦିବ୍ୟ ମାଧୁରୀ ସେଠୀ, କୋଷାଗୁମୁଡା ବିଇଓ ସୁପ୍ରିୟା ନାୟକ, ଶିକ୍ଷାବିତ୍ତ ଡା.ପ୍ରଦୀପ କୁମାର ମିଶ୍ର, ଜାମରୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଘନ ଶ୍ୟାମ ମାଝୀ, ବନାଞ୍ଚଳ ଅଧିକାରୀ ଗୋପୀନାଥ ସାହୁ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଶିବିରାର୍ଥୀଙ୍କୁ ଜଙ୍ଗଲ କ୍ଷୟ ଓ ପରିବେଶ ପ୍ରଦୁଷଣର କୁପ୍ରଭାବ ବିଷୟରେ କହିଥିଲେ ।