ପ୍ରତିଶ୍ରୁତି ଦେଇ ଭୁଲିଗଲେ ଜିଲ୍ଲାପାଳ: ଗ୍ରାମବାସୀ ତିଆରି କଲେ ରାସ୍ତା
ନବରଙ୍ଗପୁର/ଡ଼ାବୁଗାଁ : ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ମେଦନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାଟିଗୁଡା ଖେଳ ପଡିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଥିଲେ ସୁଦ୍ଧା ପ୍ରଶାସନ ଏହାକୁ ଅଣଦେଖା କରିବା ପରେ ଗ୍ରାମବାସୀ ନିଜସ୍ୱ ପ୍ରଚେଷ୍ଟାରେ ମାଟି ମୋରମ ପକାଇ ରାସ୍ତା ନିର୍ମାଣ କରିଛନ୍ତି । ମେଦନା ଗ୍ରାମ ପଞ୍ଚାୟତର ଚାଟିଗୁଡା ଗ୍ରାମ ନିକଟ ରେ ଏକ ଖେଳ ପଡିଆ ରହିଛି । ଏହି ଖେଳ ପଡିଆ ଗ୍ରାମ ଠାରୁ ମାତ୍ର ୫୦୦ ମିଟର ଦୂରରେ ରହୁଥିବା ବେଳେ ସ୍ଥାୟୀ ରାସ୍ତା ନ ଥିବାରୁ ଗ୍ରାମବାସୀ ଚଲା ରାସ୍ତାରେ ଯାତାୟାତ କରନ୍ତି । ଚାଟିଗୁଡ଼ା ଗ୍ରାମବାସୀ ବହୁଳ ଭାବରେ ଧାନ ସହ ମକା ଚାଷ କରନ୍ତି । ଚଳିତ ରବି ଋତୁରେ ୧୦୦ ଏକର ରୁ ଉର୍ଦ୍ଧ ଜମିରେ ମକାଚାଷ କରାଯାଇଛି । ତେବେ ମକା ଅମଳ ପରେ ଶୁଖାଇବାକୁ ପିଣ୍ଡି ର ବ୍ୟବସ୍ଥା ନ ଥିବାରୁ ଚାଷୀ ମାନେ ଖେଳ ପଡିଆ ଉପରେ ନିର୍ଭର ହୋଇ ସେହିଠାରେ ମକା ଶୁଖାନ୍ତି । ତେବେ ଗ୍ରାମ ଠାରୁ ୫୦୦ ମିଟର ଦୂରରେ ଥିବା ଏହି ଖେଳ ପଡିଆକୁ ରାସ୍ତା ନ ଥିବାରୁ ସେହି ସ୍ଥାନକୁ ଟ୍ରାକ୍ଟର କିମ୍ବା ଚାରି ଚକିଆ ଯାନ ଯାତାୟାତ ଅସୁବିଧା ହେଉଥିଲା ।
ଦୁଇବର୍ଷ ତଳେ ତକ୍ରାଳିନ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର, ଡ଼ାବୁଗାଁ ବିଡିଓ ଶରତ ମାଝୀ, ଉପଜିଲ୍ଲାପାଙ୍କ ସହ ଅନ୍ୟ ଅଧିକାରୀ ଏହି ଗ୍ରାମ ଗସ୍ତରେ ଯାଇ ଖେଳ ପଡିଆରେ ମକା ଚାଷି ପିଣ୍ଡି ଅଭାବରୁ ମକା ପଡିଆରେ ଶୁଖାଇ ଥିବା ଦେଖିବା ପରେ ଗ୍ରାମବାସୀଙ୍କୁ ଖେଳ ପଡିଆର ଉନ୍ନତୀକରଣ, ବୋରୱେଲ ଖନନ କରାଯାଇ ଘାସ ଉତ୍ପାଦନ, ଗୁହାଳ ଘର ନିର୍ମାଣ ସହ ଖେଳ ପଡିଆ ପର୍ଯ୍ୟନ୍ତ ୫୦୦ ମିଟର ରାସ୍ତା ନିର୍ମାଣ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୁଇ ବର୍ଷ ବିତି ଯାଇଥିଲେ ସୁଦ୍ଧା ଖେଳ ପଡିଆ ର ଉନ୍ନତି ଛାଡ ରାସ୍ତା କାର୍ଯ୍ୟ ହୋଇପାରିଲା ନାହିଁ । ଗ୍ରାମବାସୀ ଏଥି ନିମନ୍ତେ ପଲ୍ଲୀ ସଭା ଓ ଗ୍ରାମ ସଭା ମାଧ୍ୟମରେ ଅଭିଯୋଗ କରିବା ସହ ବ୍ଲକ ପ୍ରଶାସନ କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ତେବେ ପ୍ରଶାସନ ଚୁପ୍ ରହିବାରୁ ଆଜି ବାଧ୍ୟ ହୋଇ ଗ୍ରାମବାସୀ ଖେଳ ପଡିଆ ପର୍ଯ୍ୟନ୍ତ ୫୦୦ ମିଟର ରାସ୍ତା କୁ ମାଟି ମୁରୁମ ପକାଇ ନିର୍ମାଣ କରିଥିଲେ । ଗ୍ରାମର କମଳ ଲୋଚନ ମାଝୀ, ଦୟାନିଧି ମେହେର,ଜଗନ୍ନାଥ ମେହେର,ଦିବାକର ପୂଜାରୀ,ଲଛମନ ମେହେର,ଅର୍ଜୁନ ମେହେର,ସୁରେନ୍ଦ୍ର ମେହେର,ପୁରସ୍ତମ ମାଝୀ କୃଷ୍ଣଚନ୍ଦ୍ର ମାଝୀ ସହ ବହୁ ଗ୍ରାମବାସୀ ରାସ୍ତା ନିର୍ମାଣ ରେ ସହଯୋଗ କରିଥିଲେ । ଚଳିତ ବର୍ଷ କାଳ ବୈଶାଖୀ ପ୍ରଭାବରେ ମକାଚାଷୀ ମାନେ ପିଣ୍ଡି ର ବ୍ୟବସ୍ଥା ନ ଥିବାରୁ ଜରି ପାଲ ଘୋଡାଇ ପଡିଆ ରେ ମକା ଶୁଖାଇ ଥିଲେ ସୁଦ୍ଧା ଅଧିକାଂଶ ମକା ଚାଷୀଙ୍କ ମକା ପାଣିରେ ନଷ୍ଟ ହୋଇଯାଇଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।