ଜଟିଆ ବାବାଙ୍କର ମହାପ୍ରୟାଣ ଦିବସ
ଯୋରନ୍ଦା: ମହିମାଗାଦି ସ୍ଥିତ ମହିମା ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଶ୍ରୀମତ୍ ଜଟିଆ ବାବାଙ୍କର ୪୨ତମ ମହାପ୍ରୟାଣ ଦିବସ କଲେଜ ପରିସରରେ ପାଳନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଅଧ୍ୟକ୍ଷତା କରିବା ସହିତ ବାବାଙ୍କର ଅବଦାନ ପ୍ରତି ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି କୌପୀନିଧାରୀ ମହିମା ସମାଜର ସଭାପତି ଶ୍ରୀମତ୍ ରଘୁନାଥ ବାବା ଜଟିଆ ବାବାଙ୍କର ଉତ୍ସର୍ଗୀକୃତ ଜୀବନ ସମାଜସେବା ଏବଂ ଶିକ୍ଷାନୁଷ୍ଠାନ ପ୍ରତି ଥିବା ଅବଦାନକୁ ଉଲ୍ଲେଖ କରିବା ସହିତ ମହିମା ଧର୍ମର ମହନୀୟତା ଏବଂ ଧାର୍ମିକ ଚିନ୍ତା ଚେତନା ଉପରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏହି ଅବସରରେ ମହିମା ସନ୍ନ୍ୟାସୀମାନଙ୍କ ଦ୍ୱାରା ଜଟିଆ ବାବାଙ୍କ ପ୍ରତିମୂର୍ତ୍ତିକୁ କ୍ଷୀର ଓ ଜଳରେ ସ୍ନାନ, ପୁଷ୍ପମାଳା ଅର୍ପଣ କରିବା ସହିତ ଧୂପଦୀପ ପ୍ରଦାନ ଏବଂ ଖଞ୍ଜଣି ଭଜନ ପରିବେଶକୁ ମନ୍ତ୍ର ମୁଗ୍ଧ କରିଥିଲା । ପ୍ରାଧ୍ୟାପକ ପ୍ରହଲ୍ଲାଦ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଶ୍ରୀମଦ ଜଟିଆ ବାବାଙ୍କର ଏ ଅଞ୍ଚଳ, ଶିକ୍ଷା ଏବଂ ସମାଜ ପ୍ରତି ତ୍ୟାଗକୁ ମନେ ପକେଇବା ସହିତ ଏ ଅଞ୍ଚଳକୁ ଶିକ୍ଷା ରୂପକ ଆଲୋକ ପ୍ରଦାନ କରିବାରେ ବାବାଙ୍କ ଭୂମିକା ସର୍ବଦା ଅବିସ୍ମରଣୀୟ ରହିବା ବୋଲି ମତ ରଖିଥିଲେ । ଏହି ଅବସରରେ ଗୋପୀନାଥ ସାମଲ ଓ ଅମିକା ମିଶ୍ର ଶ୍ରୀମଦ ବାବାଙ୍କର ଅମ୍ଳାନ ସ୍ମୃତିଚାରଣ କରିଥିଲେ । ଶ୍ରୀମଦ ଜଟିଆ ବାବାଙ୍କର ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା । ଅଧ୍ୟାପକ ପ୍ରଜେଶ ଜେନା, ରଞ୍ଜନ ମହାପାତ୍ର, ଶରତ ଚନ୍ଦ୍ର ସ୍ୱାଇଁ, ଡକ୍ଟର ଇପ୍ପ୍ଳିଶିବଶଙ୍କର, ଅଭିମନୁ୍ୟ ବେହେରା, ପ୍ରସନ୍ନ କୁମାର ରାଉତ, ମଧୁସୂଦନ ଦେହୁରି, ଜୟକୃଷ୍ଣ ବାରିକ ଏବଂ ସମସ୍ତ କର୍ମଚାରୀ ଅଧ୍ୟାପକ, ଅଧ୍ୟାପିକା ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରିଚାଳନାରେ ସହାୟକ କରିଥିଲେ । ପରିଶେଷରେ ଡକ୍ଟର ଶକୁନ୍ତଳା ଭୂୟାଁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।