ରେଲୱେ କ୍ରସିଂରେ ଓଭର ବ୍ରିଜ ଦାବି

ଏରସମା : ଏରସମା ବ୍ଲକର ପଚାଶ ଖଣ୍ଡି ମୌଜା ଓ କୁଜଙ୍ଗ ବ୍ଲକ ପଚାଶ ଖଣ୍ଡି ମୌଜାର ଲୋକଙ୍କ ଯାତାୟତ ପଥ ପାଟପୁର ନିକଟରେ ରହିଛି ରେଲୱେ କ୍ରସିଂ । ପ୍ରତିଦିନ ହଜାର ହଜାର ଲୋକ କୁଜଙ୍ଗ ମେଡିକାଲ, କୁଜଙ୍ଗ ସାପ୍ତାହିକ ହାଟ, କୋଟ କଚେରୀ, ଥାନା, ଜଗତସିଂହପୁର ଜିଲ୍ଲାକୁ ଓ କଟକ ଯାତାୟତର ଏହି ମୁଖ୍ୟ ରାସ୍ତା । ଏହି ଅଞ୍ଚଳକୁ ମଧ୍ୟ କଟକ, ଭୁବନେଶ୍ୱର ଓ ପାରାଦୀପରୁ ବସ ଯାତାୟତ କରିଥାଏ । ଉଚ୍ଚ ଶିକ୍ଷା ପାଇଁ ମଧ୍ୟ ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ଯିବାକୁ ପଡିଥାଏ । ଆହୁରି ମଧ୍ୟ ପ୍ରତିଦିନ ଶହଶହ ଶ୍ରମିକ ଏହି ରାସ୍ତା ଦେଇ ବିଶ୍ୱଧନା ଗାର, ଜିନ୍ଦଲ ପ୍ରକଳ୍ପକୁ କାମ କରିବାକୁ ଯାଇଥାନ୍ତି । ଦୁଃଖର ବିଷୟ ପାରାଦୀପରୁ କଟକ ଯାଇଥିବା ରେଲୱେ ଲାଇନ ଏରସମା ବ୍ଲକର ସୀମାଞ୍ଚଳ ପାଟପୁର ନିକଟରେ କ୍ରସ କରିଛି । ପ୍ରତିଦିନ ପାରାଦୀପରୁ କଟକ ଓ କଟକରୁ ପାରାଦୀପ କୁ ମାଲ ବାହି ଓ ଯାତ୍ରୀବାହୀ ଟ୍ରେନ ବହୁବାର ଯାତାୟତ ସମୟରେ ଉକ୍ତ ରେଲୱେ କ୍ରସିଂ ନିକଟରେ ପଥଚାରୀଙ୍କୁ ଅପେକ୍ଷା କରିବାକୁ ପଡୁଛି । ବାଲିତୁଠ ମେଡିକାଲ, ଢ଼ିଙ୍କିଆ ମେଡିକାଲରୁ ଜରୁରୀ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଦୀର୍ଘ ସମୟ ଧରି ଠିଆ ହେବାକୁ ପଡୁଛି । ଏହି ସ୍ଥାନରେ ଏକ ଓଭର ବ୍ରିଜ କରାଗଲେ ଏରସମା ଓ କୁଜଙ୍ଗ ବ୍ଲକର ଶତାଧିକ ଗ୍ରାମବାସୀଙ୍କ ଜରୁରୀ ଯାତାୟତ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ଏହି ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଉକ୍ତ ସମ୍ବେଦନଶୀଳ ସମସ୍ୟା ପ୍ରତି ବିଭାଗୀୟ ଅଧିକାରୀ, ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଏରସମା ବ୍ଲକ ଯୁବ ବିଜୁଜନତା ଦଳର ଉପସଭାପତି ଲୋକନାଥ ରାଉତ, ଚଟୁଆ ପଞ୍ଚାୟତ ପୂର୍ବତନ ସରପଞ୍ଚ ସଞ୍ଜୟ କୁମାର ମହାନ୍ତି, ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଇଂ ନଳୀନ ସ୍ୱାଇଁ, ଚାରି ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ପିନାକୀ ନାରାୟଣ ଦାସ, ସମେତ ଅଞ୍ଚଳର ବୁଦ୍ଧିଜୀବୀ ତଥା ମୁରବିମାନେ ଦାବି କରିଛନ୍ତି  ।