ଜଟିଳ ହେଉଛି ଓଭରଲୋଡିଂ ଓ ବ୍ଲାଷ୍ଟିଂସମସ୍ୟା
ଖଇରାରୁ ବଳରାମ ଲେଙ୍କା
କଦଳିଗଡିଆ-ସୋର ଭାୟା କୁପାରୀ ରାସ୍ତାର ଭାରିଯାନ ଚଳାଚଳ ପାଇଁ ଉପୁଜିଥିବା ଓଭରଲୋଡିଂ ସମସ୍ୟା ଓ ଶାରିଶୁଆ ପାହାଡରେ ବ୍ଲାଷ୍ଟିଂ ସମସ୍ୟା ଏବେ ଉକ୍ରଟ ହୋଇପଡିଲାଣି । ଯେଉଁଥିପାଇଁ ପାହଡ ସଂଲଗ୍ନ ଜନବସତି ଭୟଭୀତ ଅବସ୍ଥାରେ ରହିଥିବା ବେଳେ ବନ୍ୟଜନ୍ତୁଙ୍କ ଜୀବନ ସଂକଟାପର୍ଣ୍ଣ ହୋଇପଡିଛି । ବେଆଇନ ଭାବେ ଚାଲୁଥିବା ଖଣି ଗୁଡିକରେ ବ୍ଲାଷ୍ଟିଂ ଏବଂ କୁପାରୀ-ସୋର ରାଜ୍ୟପଥରେ କ୍ଷମତା ଠାରୁ ଯଥେଷ୍ଟ ଅଧିକ ମାଲ ବୋଝେଇ ଯୋଗୁଁ ଦୈନନ୍ଦିନ ଛୋଟବଡ ଦୁର୍ଘଟଣା ଘଟିବା ଏବେ ଯାତ୍ରୀଙ୍କ ଚିନ୍ତା ବଢାଇଛି । ସେହିଭଳି ବାଣ ଫୁଟିବା ଭଳି ୱାଗନ ବ୍ଲାଷ୍ଟିଂ ପାହାଡ ସଂଲଗ୍ନ ଗାଁ ଗୁଡିକର ଅଧିବାସୀମାନେ ଗାଁ ଛାଡିବାକୁ ପ୍ରସ୍ତୁତ ହେଲେଣି । ଡବଲ ଇଞ୍ଜିନ ସରକାର ଆସିବା ପରେ ପ୍ରଶାସନ ଏକ ପ୍ରକାର ସ୍ଥାଣୁ ପାଲଟିଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏଭଳି କାର୍ଯ୍ୟ ତଦରଖ ଦାୟିତ୍ୱରେ ଥିବା ଖଣି, ପରିବହନ ଓ ପୂର୍ତ୍ତ ବିଭାଗର ଅଧିକାରୀମାନେ ଠିକ୍ ଭାବେ ଦାୟିତ୍ୱ ତୁଲାଉନଥିବାରୁ ସମସ୍ୟା ଜଟିଳ ହେଉଥିବା ଅଭିଯୋଗ ହୋଇଛି । ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପଥର ଓ ଚିପ୍ସ ଓଭରଲୋଡିଂ ଓ ବ୍ଲାଷ୍ଟିଂ ଉପରେ ଅଙ୍କୁଶ ଲଗାଇବାକୁ ବ୍ଲକ ୫୯ ପଞ୍ଚାୟତର ଅଧିବାସୀ ତଥା ଖଇରା ସୋର ରାସ୍ତା ସଂଲଗ୍ନ ବିଭିନ୍ନ କଲେଜ ଏବଂ ହାଇସ୍କୁଲର ଛାତ୍ରଛାତ୍ରୀ, ଅଭିଭାବକମାନେ ଦାବି କରିଛନ୍ତି । ଉକ୍ତ ସମସ୍ୟା ଗତ ୨ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଲାଗି ରହିଥିବାବେଳେ ପୂର୍ବ ସରକାର ସମୟରେ କାଁଭାଁ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା । ହେଲେ ଅସନ୍ତୁଷ୍ଟ ଖଇରାବାସୀ ଅନେକ କିଛି ନୂଆ ଆଶା ଭରସା ନେଇ ପରିବର୍ତ୍ତନ ସପକ୍ଷରେ ମତ ଦେଇଥିଲେ । ଭରସା ଥିଲା କି ନୂଆ ସରକାର ଆସିଲେ ଉପରୋକ୍ତ ୨ସମସ୍ୟାର ସମାଧାନ ହେବ । ହେଲେ ନୂଆ ସରକାର ଆସିବା ପରେ ସମସ୍ୟା ଆହୁରି ଜଟିଳ ହୋଇ ପଡିଛି । ବ୍ଲାଷ୍ଟିଂ ୧୦ଗୁଣ ବଢିଯାଇଥିବା ବେଳେ ଭାରିଯାନ ଚଳାଚଳ ପ୍ରତିମୂହୁର୍ତ୍ତରେ ଯାତ୍ରୀଙ୍କ ପାଇଁ ବିପଦକୁ ନିମନ୍ତ୍ରଣ କରୁଛି । ରାସ୍ତାରେ ୧୬ଟନ୍ କ୍ଷମତା ବିଶିଷ୍ଟ ଗାଡି ଚଳାଚଳ ପାଇଁ ଅନୁମତି ଥିବା ବେଳେ ଏବେ ୫୦ରୁ ୬୦ଟନ୍ ବିଶିଷ୍ଟ ଗାଡି ଓଡିଶାର ବିଭିନ୍ନ ସ୍ଥାନ ତଥା ପଶ୍ଚିମବଙ୍ଗ ଅଞ୍ଚଳକୁ ଚଳାଚଳ କରୁଥିଲେ ବି ଦିନେ ହେଲେ ବି ଧରପଗଡ କରାଯାଉନାହିଁ । ଯେଉଁଥିପାଇଁ ରାସ୍ତାର ଅବସ୍ଥା ୨ବର୍ଷ ମଧ୍ୟରେ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି । ଖଣି ଅଧିକାରୀମାନେ ଚୁପ୍ ହୋଇ ରହିବା ବେଆଇନ୍ କ୍ରସର ଖଣି କାର୍ଯ୍ୟକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି । ଜିଲ୍ଲା ପରିବହନ ଅଧିକାରୀ ରଶ୍ମିଦଳ ବେହେରାଙ୍କୁ ଯୋଗାଯୋଗ କରିବାରେ ଲୋକମାନେ ଲିଖିତ ଭାବେ ଜଣାଇଲେ ଓଭରଲୋଡିଂ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଭଳି ଓଭରଲୋଡିଂ ପାଇଁ ରାସ୍ତା ନଷ୍ଟ ହେଉଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି ଏବଂ ଏଥିପାଇଁ ପରିବହନ ବିଭାଗକୁ ଦାୟୀ କରିଛନ୍ତି ।