ଜନବସତି ମୁହାଁ ହାତୀ ନଡ଼ିଆ ଗଛ କଲା ନଷ୍ଟ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଳା ମ.ରାମପୁର ଅଞ୍ଚଳରେ ଏକ ଗୋଠଛଡା ଦନ୍ତା ହାତୀ ଗତ କିଛି ଦିନ ହେଲା ରାତି ହେଲେ ସହର ମୁହାଁ ହେଉଥିବା ଦେଖିବାକୁ ମିଳୁଛି । ଗତ କିଛି ଦିନ ତଳେ ସ୍ଥାନୀୟ ତଳସାଗରପଡାର ଜଣେ ଯୁବକ ହାତୀ ଆକ୍ରମଣରେ ଆହତ ହୋଇଥିଲେ । ତାପରେ ବନବିଭାଗ ପକ୍ଷରୁ ଅଞ୍ଚଳରେ ସନ୍ଧ୍ୟା ସମୟରୁ ସକାଳ ପର୍ଯ୍ୟନ୍ତ ନଦୀ,ନାଳ,ପୋଖରୀ ଆଦିକୁ ଯାଇ ସ୍ନାନ, ଶୌଚ ପାଇଁ ସମସ୍ତଙ୍କୁ ବାରଣ କରିବା ସହ ଜନସଚେତନ ମଧ୍ୟ କରାଯାଇଥିଲା । ହେଲେ ଗତକାଲି ରାତିରେ ସେହି ଦନ୍ତା ହାତୀଟି ବୁରାଟ ଗାଁ ଦେଇ ଉତେଇ ନଦୀ ପାର ହୋଇ ସରସ୍ୱତୀ ଶିଶୁ ମନ୍ଦିର ହତା ଭିତରକୁ ପଶି ବୁଲାବୁଲି କରିବାର ଚିହ୍ନ ଦେଖିବାକୁ ମିଳିଛି । ଯେହେତୁ ଶିଶୁ ମନ୍ଦିରର ମୁଖ୍ୟ ଫାଟକ ବନ୍ଦ ରହିଥିବା ଯୋଗୁଁ ହାତୀଟି ମୁଖ୍ୟ ରାସ୍ତା ଆଡକୁ ନ ଆସି ଉତ୍ତାଇ ନଦୀ ତଟେ ତଟେ ଫେରିଥିବା ଦେଖାଯାଇଛି । ତା ସହିତ ବୁରାଟ ଗାଁରେ ଥିବା ପ୍ରଶାନ୍ତ ସାମନ୍ତରାଙ୍କ ବଗିଚାରେ ପଶି ପ୍ରାୟ ୧୫ଗୋଟି ନଡିଆ ଗଛକୁ ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି । ଖବରପାଇ ବନ ବିଭାଗ ଏସିଏଫ ଅସିତ କୁମାର ଦାସ ଘଟଣାସ୍ଥଳ ପରିଦର୍ଶନ କରି ପାଦ ଚିହ୍ନ ଦେଖି ବଡ ଦନ୍ତାହାତୀ ଆସିଥିବା ପ୍ରକାଶ କରିଥିଲେ । କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବା ପାଇଁ ସାମନ୍ତରା ବନ ବିଭାଗକୁ ଏକ ଲିଖିତ ଦରଖାସ୍ତ କରିଥିବା ଜଣାପଡିଛି । ବର୍ତ୍ତମାନ ଏହି ହାତୀକୁ ନେଇ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ତେଣୁ ଏହି ହାତୀ ଉପରେ ବନବିଭାଗ ନଜର ରଖିବା ସହ ଘଉଡାଇବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ହେଉଛି ।