ଜବରଦଖଲରେ ରାଣୀପାର୍କ ଜଙ୍ଗଲ  

 ତାଳଚେର : ବହୁ ପୁରାତନ ରାଣୀପାର୍କ ଜଙ୍ଗଲଟି ଜବରଦଖଲକାରୀଙ୍କ କବ୍ଜାକୁ ଚାଲି ଯାଉଥିବାବେଳେ ଏଥିରୁ ବହୁ ମୂଲ୍ୟବାନ୍ ଗଛ କାଟି ନେଉଥିବା ଅଭିଯୋଗ ହେଉଛି । ଏହି ଐତିହ୍ୟ ସମ୍ପର୍ଣ୍ଣ ଅଞ୍ଚଳକୁ ଜମି ମାଫିଆମାନେ ଅତି ଚତୁରତାର ସହ ମାଡ଼ି ବସିଥିବାବେଳେ ଏଠାରେ ସ୍ଥାନୀୟ ପ୍ରଶାସନ ନୀରବଦ୍ରଷ୍ଟ ସାଜିଛି । ପୂର୍ବରୁ ଜଙ୍ଗଲଟି ପୁନରୁଦ୍ଧାର ହେବା ପରେ କୌଣସି ସୁରକ୍ଷା କର୍ମୀଙ୍କୁ ପ୍ରଶାସନ ପକ୍ଷରୁ ନିଯୁକ୍ତି ଦିଆଯାଇନଥିବା ହେତୁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ସାଧାରଣରେ ଅଭିଯୋଗ ହୋଇଛି ।
 ତାଳଚେର ପୌରପରିଷଦ ୪ନମ୍ବର ୱାର୍ଡ଼ ସିଂହସାହି ଅଞ୍ଚଳରେ ଲାଗି ରହିଥିବା ବିସ୍ତିର୍ଣ୍ଣ ରାଣୀପାର୍କ ଜମିକୁ କିଛି ତହସିଲ ଅଫିସର ଅସାଧୁ କର୍ମଚାରୀ ଓ ଜମି ଦଲାଲଙ୍କ ସଲାସୁତରାରେ ଏହି ସରକାରୀ ଜମିରେ କଡ଼ବଡ଼ କୋଠାବାଡ଼ି ନିର୍ମାଣ କରିଥିବା ଅଭିଯୋଗ ହୋଇଛି । ଆଉ କେହି ଗୃହନିର୍ମାଣ କରି ଭଡ଼ା ଆକାରରେ ହଜାର ହଜାର ଟଙ୍କା ରୋଜଗାର କରୁଥିବା ବେଳେ ଆଉ କିଛି ଏହି ଜମିକୁ ଅକ୍ତିଆର କରି ଅନ୍ୟମାନଙ୍କୁ ମୋଟାଅଙ୍କରେ ବିକି୍ର କରୁଥିବା ଚର୍ଚ୍ଚା ହେଉଛି । ଗତ କିଛି ଦିନ ହେବ କେତେକ ସଚେତନ ନାଗରିକ ଏସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଥିଲେ । ଏହାପରେ ଆରଆଇ ଆସି ଏହାର ସରଜମିନ୍ ତଦନ୍ତ କରି ଚାଲିଯିବା ପରେ ତା’ ପରଦିନ ଘର ନିର୍ମାଣ କାମ ବନ୍ଦ ରହିଥିଲା, କିନ୍ତୁ ଏବେ ପୁର୍ନବାର ଜଙ୍ଗଲ କାଟି ଘର ତିଆରି ହେଉଥିବା ଅଭିଯୋଗ ହେଉଛି । ତେଣୁ ଏହି ବହୁ ପୁରାତନ ରାଣୀପାର୍କ ଜଙ୍ଗଲଟି ଜବରଦଖଲକାରୀଙ୍କ ନିକଟରୁ କେବେ ପାଇବ ମୁକ୍ତି ଏହାକୁ ନେଇ ପରିବେଶବିତ୍ମାନେ ଚିନ୍ତାବ୍ୟକ୍ତ କରିଛନ୍ତି ।  ତେବେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହାର ଚର୍ତୁପାଶ୍ୱର୍ରେ ସୁରକ୍ଷା କର୍ମୀ ନିୟୋଜିତ କରିବା ସହ ରାସ୍ତାକୁ ଲାଗିଥିବା ସଂଲଗ୍ନ ଜଙ୍ଗଲ ଭିତରେ  ରାସ୍ତା ନିର୍ମାଣ, ଆଲୋକୀକରଣ, ବନ୍ୟଜନ୍ତୁ ସୁରକ୍ଷା ଓ ସମ୍ପୂର୍ଣ୍ଣ ଜମିକୁ ଜବରଦଖଲକାରୀଙ୍କ ଠାରୁ ମୁକ୍ତ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି । ଏପରିକି କିଛି ମହିଳା ପୂର୍ବରୁ ମଧ୍ୟ ଏ ନେଇ ତାଳଚେର ଟାଉନ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି ।