ଜମି ପଟ୍ଟାଧାରୀଙ୍କ ନାମରେ ଖୋଲାହେବ ମେଲ୍ ଆଇଡି
କେନ୍ଦ୍ରାପଡା: ରାଜ୍ୟ ସରକାରଙ୍କ ନୂତନ ନିଦେ୍ର୍ଦଶ ମୁତାବକ ଜମି ପଟାଧାରୀଙ୍କ ନାମରେ ମେଲ୍ ଆଇଡି ଖୋଲାହେବ । ରାଜସ୍ୱ ବିଭାଗ ଓ କୃଷି ବିଭାଗର ମିଳିତ ଉଦ୍ୟମରେ ଚାଷୀମାନଙ୍କ ଡାଟାବେସ ତିଆରି କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଓ ଜନସେବା କେନ୍ଦ୍ର ମାନଙ୍କରେ ପଟାଧାରୀ ଜମି ମାଲିକମାନେ ଏହି ପଞ୍ଜିକରଣ କରିପାରିବେ । ସରକାରଙ୍କ କୃଷି ଓ କୃଷକ ଉନ୍ନତିକରଣ ଯୋଜନାଗୁଡିକ ସମ୍ପର୍କରେ ସବିଶେଷ ତଥ୍ୟ ଓ ଆଗାମୀ ଯୋଜନା ଓ ବିଭିନ୍ନ ସହାୟତା ସମ୍ବନ୍ଧରେ ତଥ୍ୟଗୁଡିକର ସୂଚନା ଏହି ମେଲ ଆଇଡି ମାଧ୍ୟମରେ ଚାଷୀଙ୍କ ପାଖରେ ପହଁଚି ପାରିବ । ତେବେ କେନ୍ଦ୍ରାପଡା ବ୍ଲକର ଓସ୍ତପୁର ପଞ୍ଚାୟତରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି । ସରପଞ୍ଚ ପ୍ରସନ୍ନ ରାଉତଙ୍କ ଉଦ୍ୟମରେ ପଞ୍ଚାୟତର ୧୦ ଜଣ ଚାଷୀ ଏହି ନାମ ପଞ୍ଜିକରଣ କରିଥିଲେ । ପଞ୍ଜିକରଣ ସମୟରେ ଏଟିଏମ ଗୀତାଞ୍ଜଳୀ ଦାସ, ଭିଏଡବ୍ଲୁ ଲକ୍ଷ୍ମୀପ୍ରିୟା ସେଠୀଙ୍କ ସମେତ ଚାଷୀ ବିଜୟାନନ୍ଦ ପ୍ରଧାନ, ବସନ୍ତ କୁମାର ପରିଡା, ଭରତ ଚନ୍ଦ୍ର ପରିଡା, ନବ କିଶୋର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।