ତାଳଗଛକୁ କାଟି ଦେଲେ ଠିକାସଂସ୍ଥା

ରାଜନଗର: ଜଳବାୟୁ ପରିବର୍ତ୍ତନ ଫଳରେ ରାଜ୍ୟ ତଥା ଦେଶରେ ଅହେତୁକ ବଜ୍ରପାତ ବୃଦ୍ଧି ପାଉଛି । ବଜ୍ରପାତଜନିତ ମୃତୁ୍ୟ ସଂଖ୍ୟା ପ୍ରତିବର୍ଷ ବଢିବାରେ ଲାଗିଛି । ଯାହା ଚିନ୍ତା ଓ ଉଦ୍ବେଗର ବିଷୟ । ପରିବେଶବିତ୍ମାନଙ୍କ ମତରେ ବଜ୍ରପାତରୁ ମୃତୁ୍ୟ ସଂଖ୍ୟା କମାଇବାକୁ ହେଲେ ତାଳଗଛ ହିଁ ଏକମାତ୍ର ଭରସା ବୋଲି ମତପ୍ରକାଶ ପାଇଛି । ତାଳଗଛ କେବଳ ବଜ୍ରପାତରୁ ସୁରକ୍ଷା ଦିଏ ନାହିଁ । ବାୟା ଚଢେଇ ଏହି ଗଛରେ ବସା ବାନ୍ଧି ବଂଶ ବିସ୍ତାର କରିଥାଏ । ଫସଲରେ ଅପକାରୀ କୀଟପତଙ୍ଗମାନଙ୍କୁ ବାୟା ଚଢେଇ ଖାଇ ଦେଇ କୃଷକର ବନ୍ଧୁ ସାଜିଥାଏ । କୃଷକର ଫସଲକୁ କୀଟପତଙ୍ଗ ଦାଉରୁ ସୁରକ୍ଷା ଦେଇଥାଏ । ଗାଁଠାରୁ ସହର ପର୍ଯ୍ୟନ୍ତ ତାଳଗଛକୁ କାଟି ସଫା କରିଦେଲେ । ଯାହାଫଳରେ ବଜ୍ରପାତ ଜନିତ ମୃତୁ୍ୟ ଚିନ୍ତା ବଢାଇଛି । କେନ୍ଦ୍ର ସରକାର ପୁନର୍ବାର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏହାକୁ ଗୁରୁତ୍ୱ ଦେଇ ତାଳଗଛ ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେଇଛି । ଏପରି ସ୍ଥିତିରେ ରାଜନଗର ବ୍ଲକ ମହିଁଷାସୁର ଗାଁ ନିକଟରେ ଯାଇଥିବା ମହୁଲିଆ-ହରିଶପୁର କ୍ରିକର ଶାଖା ନାଳରେ ପଙ୍କୋଦ୍ଧାର କରିବା ନାଁରେ ନାଳବନ୍ଧରେ ଥିବା ବଡବଡ ଦୁଇଟି ତାଳଗଛ ଓ ବହୁ ପରିମାଣରେ ଚାକୁଣ୍ଡା ଗଛକୁ ଠିକାସଂସ୍ଥା ଜେସିବି ସାହାଯ୍ୟରେ କାଟି ଦେଇଥିବା ଦେଖିବାକୁ ମିଳିଛି । ତାଳଗଛ କାଟିବା ଦ୍ୱାରା ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତାଳଗଛ କାଟିବା ପାଇଁ ବନବିଭାଗର ଅନୁମତି ନେବା କଥା । ମାତ୍ର ଏ ନେଇ ଜେସିବି ଡ୍ରାଇଭର ସାଧାରଣ ଲୋକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁମତି କଣ ବୋଲି ପ୍ରଶ୍ନ କରିଥିଲେ । ଏ ସଂପର୍କରେ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।