ଜମି ମାଫିଆଙ୍କ କବ୍ଜାରେ ଡ୍ରେନ୍ 

ଭଦ୍ରକ : ବଢି ଚାଲିଛି ଜମି ମାଫିଆଙ୍କ ପ୍ରାଦୁର୍ଭାବ । ଜଳ ନିଷ୍କାସନ ନିମନ୍ତେ ଥିବା ସାଧାରଣ ଡ୍ରେନ୍ ଉପରେ କେତେକ ଅସାଧୁ ଜମି ମାଫିଆ ବେଆଇନ୍ ରାସ୍ତା ନିର୍ମାଣ କରୁଛନ୍ତି । ଏପରି ଏକ ଘଟଣା ଦେଖବବାକୁ ମିଳିଛି ଭଦ୍ରକ ସହରର ଗବସାହି ହାଉସିଂ ବୋର୍ଡ କଲୋନୀରେ । ଏହି ଅଭିଯୋଗ ନେଇ କଲୋନୀ ବାସୀଙ୍କ ପକ୍ଷରୁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ, କଲୋନୀ ବାସୀଙ୍କ ପକ୍ଷରୁ ହରେକୃଷ୍ଣ ସ୍ୱାଇଁ, ବୈଜୟନ୍ତୀ ସ୍ୱାଇଁ, କପିଳ ଚରଣ ସେଠୀ, ଶିବାନୁରଞ୍ଜନ ଦାସ, ରାଜକିଶୋର ସାହୁ, ବିଦ୍ୟାଧର ମହାପାତ୍ର, ସୁଶାନ୍ତ ନାୟକ, ଗଣେଶ ଚନ୍ଦ୍ର ସେଠୀ ପ୍ରମୁଖ ଦେଇଥିବା ଅଭିଯୋଗ ପତ୍ରରେ ଏହି କଲୋନୀବାସୀଙ୍କ ଜଳ ନିଷ୍କାସନ ନିମନ୍ତେ ଥିବା ମୁଖ୍ୟ ଡ୍ରେନ୍ ଉପରେ ଅଶୋକ ନାୟକ ଓ ନିରାକାର ବାରିକ ନାମକ ୨ ଜଣ ଅସାମାଜିକ ଜମି ମାଫିଆ ବଳପୂର୍ବକ ଭାବେ ରେଲୱେ ଲାଇନ୍ ସ୍ଥାନକୁ ଜବରଦଖଲ କରି ମାଟି ପକାଇ ଏକ ରାସ୍ତା ନିର୍ମାଣ କରୁଛନ୍ତି । ଯାହାଫଳରେ କଲୋନୀରେ ଜଳ ନିଷ୍କାସିତ ହେବାରେ ବାଧା ଉପୁଜୁଛି  । ଏନେଇ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରିବାରୁ ସେମାନେ ହତ୍ୟା ଧମକ ଦେବା ସହ ମହିଳାମାନଙ୍କ ପ୍ରତି ଅଶ୍ଳୀଳ ଭାଷା ପ୍ରୟୋଗ କରୁଛନ୍ତି  । ଏ ସମ୍ପର୍କରେ ରେଲୱେର କର୍ତ୍ତୁପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେମାନେ ନୀରବ ରହିଛନ୍ତି  । ଏଣୁ ଏହି ଘଟଣାକୁ ନେଇ କୌଣସି ଅପ୍ରିିତୀକର ପରିସ୍ଥିତି ଉପୁଜିବା ପୂର୍ବରୁ ଏହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଲୋନୀବାସୀ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି  । ଏହି ଅଭିଯୋଗକୁ ନେଇ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ତୁରନ୍ତ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ତହସିଲଦାର ସଂଗ୍ରାମ ପି୍ରୟଦର୍ଶୀ ଖୁଣ୍ଟିଆଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।