ଜଳ ସଂକଟ : ଗରା, ମାଠିଆ ଧରି ପ୍ରତିବାଦ କଲେ ମହିଳା

 ସୁକିନ୍ଦା : ସୁକିନ୍ଦା ବ୍ଲକ ଅଞ୍ଚଳରେ ପାଣିର ଘୋର ସଂକଟ ଦେଖାଦେଇଛି ।  ବ୍ଲକ ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତର ସାତ ଗୋଟି ପଡ଼ା ଗାଆଁର ଜନସାଧାରଣ ପାଣି ପାଇଁ ହନ୍ତସନ୍ତ ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ ନିଦାବିଷ୍ଣୁ ସାଜିଛି । ପ୍ରତିବାଦ୍ରେ ବନ୍ଧଗାଁ ପଞ୍ଚାୟତର ଗୁହାଳଡିହ, ବଣସାହି, ଫାର୍ମ ସାହି, ବାଙ୍କୀସାହି, ଲକ୍ଷ୍ମୀ ସାହି, ତଳସାହି ଓ ମୁଣ୍ଡାସାହିର ମହିଳା ଗରାମାଣ୍ଡିଆ ଧରି ସ୍ୱଜଳ ଧାରା ପ୍ରକଳ୍ପ ଆଗରେ ଧାଡ଼ିବାନ୍ଧି ଠିଆ ହୋଇ ପ୍ରଶାସନର ଉଦାସିନତାକୁ ନେଇ ପ୍ରତିବାଦ କରିଥିଲେ । ଖବର ଥାଉକି ସ୍ୱଜଳା ଧାରା ଯୋଜନାରେ ଉପରୋକ୍ତ ଗ୍ରାମକୁ ଏକ ଓଭର ହେଡ ଟାଙ୍କି ଦ୍ୱାରା ଜଳ ଯୋଗାଣ ହେଉଥିଲା । ହେଲେ  ୮ ମାସ ହେବ ଯୋଜନାରେ ଜଳ ଯୋଗାଣ ନିମନ୍ତେ ବ୍ୟବହୃତ ହେଉଥିବା ଦୁଇ ଗୋଟି ପାଣି ପମ୍ପ ଅଚଳ ଅବସ୍ଥାରେ ପଡ଼ି ରହିଛି । ଫଳରେ ଏହି ସବୁ ଗ୍ରାମରେ ଲୋକେ ପାନୀୟ ଜଳ ସମସ୍ୟାରେ ହନ୍ତସନ୍ତ ହେଉଛନ୍ତି । ସ୍ଥାନୀୟ ଅଞ୍ଚଳ ବାସୀ ଆଶା କରୁଥିଲେ ଯେ ଗ୍ରୀଷ୍ମ ପ୍ରବାହ ପୂର୍ବରୁ ଗ୍ରାମ୍ୟ ପାନୀୟ ଓ ଜଳ ଯୋଗାଣ ବିଭାଗ ପାଣି ପମ୍ପ ମରାମତି ବା ଅନ୍ୟ ବ୍ୟବସ୍ଥା ଦ୍ୱାରା ଜଳ ଯୋଗାଣ ସ୍ୱାଭାବିକ କରିବ । ହେଲେ ବିଭାଗୀୟ କର୍ମଚାରୀ ବା ଅଧିକାରୀଙ୍କ ପକ୍ଷରୁ କୈାଣସି ସୁବନେ୍ଦାବସ୍ତ କରାଗଲାନି । ସ୍ଥାନୀୟ ସରପଞ୍ଚ ରେବତୀ ମହାନ୍ତ ତାଙ୍କ ପଞ୍ଚାୟତର ଏ ସମସ୍ୟା ସମ୍ପର୍କରେ ଆରଡବ୍ଲ୍ୟୁଏସଏସର କନିଷ୍ଠ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ବିଭାଗ କର୍ଣ୍ଣପାତ କଲାନି । ବଣ ଜଙ୍ଗଲ ଘେରା ଅଞ୍ଚଳରେ ରହୁଥିବା ତାଙ୍କ ପଞ୍ଚାୟତର ଆଦିବାସୀ ଓ ସରଳ ଲୋକଙ୍କ ସାଧାରଣ ଆବଶ୍ୟକତା ପ୍ରତି ପ୍ରଶାସନ ଆଖି ବୁଜି ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଏପରିକି ଏ ଅଞ୍ଚଳର ସମସ୍ତ ନଳ କୂପ ଗୁଡ଼ିକ ଅଚଳ ହୋଇ ପଡ଼ିଥିଲେ ମଧ୍ୟ ସେଗୁଡିକୁ ମରାମତି କରାଯାଉ ନାହିଁ । ଫଳରେ ସ୍ଥାନୀୟ ଅଧିବାସୀ ମାନେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି । ବ୍ଲକ କର୍ତ୍ତୃପକ୍ଷ ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଦୁଇ ଦିନ ମଧ୍ୟରେ ଜଳ ସମସ୍ୟା ସମାଧାନ ନକଲେ ବ୍ଲକ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।