ଜଳପ୍ରପାତରେ ଭାସିଗଲେ ଯୁବକ

 ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ବାଦଲଗିରି ଜଳପ୍ରପାତକୁ ଭୋଜି କରିବାକୁ ଆସିଥିବା ୧୩ ଜଣ ଯୁବକଙ୍କ ମଧ୍ୟରୁ ଗାଧୋଇବା ବେଳେ ଜଣେ ନିଖୋଜ ହୋଇଯାଇଥିବା ଘଟଣା ପ୍ରଚାରିତ ହେବା ପରେ ଏକ ଭିନ୍ନ ଧରଣର ଆଶଙ୍କା ସୃଷ୍ଟି ହୋଇଛି।ରାଜଗାଙ୍ଗପୁରରୁ ରବିବାର ବାଦଲଗିରିକୁ ସମୁଦାୟ ୧୩ ଜଣ ଯୁବକ ବଣଭୋଜି ପାଇଁ ଆସିଥିବା ବେଳେ ସେମାନେ ମଧ୍ୟାହ୍ନ ପ୍ରାୟ ଗୋଟାଏରେ ବେଳେ ଜଳପ୍ରପାତରେ ପହଞ୍ଚିଥିଲେ। କିଛିଜଣ ରୋଷେଇରେ ବ୍ୟସ୍ତ ଥିବା ଓ ତାଙ୍କ ମଧ୍ୟରୁ ୪ ଜଣ ଗାଧୋଉଥିବା ସମୟରେ ତାଙ୍କ ମଧ୍ୟରୁ ଗୌର ବିପ୍ରବ ନାମକ ୨୨ ବର୍ଷୀୟ ଯୁବକ ନିଖୋଜ ହୋଇଯାଇଥିବା ନେଇ ପୋଲିସ ନିକଟରେ ସୂଚନା ରହିଛି। ନିଖୋଜ ଯୁବକ ରାଜଗାଙ୍ଗପୁର ଲିପିଲୋଇ, ପାନପଡ଼ା ଅଞ୍ଚଳର ଗୌର ବିପ୍ରବ ବୋଲି ସ୍ପଷ୍ଟ ହୋଇଛି। ଗତକାଲି ଖବର ପାଇ ଗୁରୁଣ୍ଡିଆ ପୋଲିସ ଓ ଅଗ୍ନିଶମ ବାହିନୀର ଯବାନମାନେ ନିଖୋଜ ଯୁବକକୁ ଖୋଜୁଥିଲେ ହେଁ ଅଦ୍ୟାବଧି କୌଣସି ସଫଳତା ହାସଲ କରିନଥିବା ସୂଚନା ରହିଛି। ଅପରପକ୍ଷରେ ଲଗାଣ ବର୍ଷା ଫଳରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି କିନ୍ତୁ ଏହି ଅସମୟରେ ଯୁବକଙ୍କ ପିକନିକ୍‌ କଥାକୁ ସହଜରେ ଗ୍ରହଣୀୟ ହେଉ ନ ଥିବା ଦିଗରୁ ସମସ୍ତ ସାଙ୍ଗକୁ ଅଟକ ରଖି ତଦନ୍ତ କରୁଛି ଗୁରୁଣ୍ଡିଆ ପୋଲିସ।