ଜଳସେଚନ ବିଭାଗରେ ଖାଲି ପଡିଛି ଅନେକ ପଦବୀ
କାକଟପୁର : ନିମାପଡା ଜଳସେଚନ ବିଭାଗ ଡିଭିଜନ ଅଧିନସ୍ଥ କାକଟପୁର ଜଳସେଚନ ବିଭାଗ ସବ୍ଡିଭିଜନ ୫ଟି ସେକ୍ସନକୁ ନେଇ ଗଠିତ । ଦିନ ଥିଲା ଏହି ସବ୍ଡିଭିଜନରେ କର୍ମଚାରୀ, ଠିକାଦାର ଓ ଚାଷୀମାନଙ୍କ ଗହଳ ଚହଳ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଲାଗି ରହୁଥିଲା । କିନ୍ତୁ ଅବସ୍ଥା ଆଜି ଅନ୍ୟ ପ୍ରକାର । ବିଗତ ୨ବର୍ଷ ଧରି ଏହି ସବ୍ଡିଭିଜନରେ ଏସ୍ଡିଓ ପଦବୀ ଖାଲି ପଡ଼ିଥିବା ବେଳେ ସବଡ଼ିଭିଜନର ବାଉରିଆକଣ ଓ କାକଟପୁର ହେଡ଼କ୍ୱାର୍ଟର ଆଦି ୨ ଗୋଟି ସେକ୍ସନର ୨ ଯନ୍ତ୍ରୀ ପଦବୀ ଆଜକୁ ୩ ବର୍ଷ ଧରି ଖାଲି ପଡିଛି । ସବ୍ଡିଭିଜନରେ ଆବଶ୍ୟକ ମୁତାବକ ଖଲାସୀ ଓ ଅମିନ ନାହାନ୍ତି । ଯନ୍ତ୍ରୀ ଅଭାବରୁ ଜଣେ ଲେଖାଏଁ ଯନ୍ତ୍ରୀଙ୍କୁ ସେମାନଙ୍କ ସେକ୍ସନ କାର୍ଯ୍ୟ ସହ ଅନ୍ୟ ସେକ୍ସନର କୋଟି କୋଟି ଟଙ୍କାର କାର୍ଯ୍ୟଭାର ଅର୍ପଣ କରାଯାଇଛି । କିନ୍ତୁ ଏହି ସବ୍ଡିଭିଜନର ଅସ୍ତରଙ୍ଗ କେନାଲ ସେକ୍ସନର କନିଷ୍ଠ ଯନ୍ତ୍ରୀ ନିୟମିତ ଅଫିସ ଆସୁନଥିବାବେଳେ ନିଜ ସେକ୍ସନର କାର୍ଯ୍ୟ ସହ ସେ ଅନ୍ୟ ସେକ୍ସନର କୋଟି କୋଟି ଟଙ୍କାର କାର୍ଯ୍ୟ ତାଙ୍କ ତତ୍ତ୍ୱାବଧାନରେ ଚାଲିଛି । ବିଭିନ୍ନ ସମୟରେ ଅସ୍ତରଙ୍ଗ କେନାଲ ସେକ୍ସନ ଉପରେ ନିର୍ଭର କରୁଥିବା ଚାଷୀମାନେ ସେମାନଙ୍କ ବହୁ ଆପତ୍ତି ଅଭିଯୋଗ ନେଇ ସବ୍ଡିଭିଜନକୁ ଆସୁଥିଲେ ମଧ୍ୟ ଅଧିକାଂଶ ସମୟ ଯନ୍ତ୍ରୀଙ୍କୁ ନ ପାଇ ନିରାଶ ହୋଇ ଫେରିବାକୁ ପଡୁଛି ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି । ମିତିକି ଯନ୍ତ୍ରୀଙ୍କ ଅବହେଳା ଏବଂ ମେରିରାୟ ନୀତି ଯୋଗୁଁ ଆଜକୁ ୫ ବର୍ଷ ଧରି ଏହି ସେକ୍ସନ ଅଧିନରେ ଥିବା ମୋଟ ୩ ଗୋଟି ପାଣି ପଞ୍ଚାୟତର ନିର୍ବାଚନ ହୋଇପାରୁନଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି । ପାଣିପଞ୍ଚାୟତ ଗଠନ ହୋଇପାରିନଥିବା କାରଣରୁ ପ୍ରତିବର୍ଷ ଏହି ସେକ୍ସନରେ ଘାସ ତଞ୍ଚା, ଘଳିଆମରାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଥିଲେ ମଧ୍ୟ ଏହି ସେକ୍ସନର ମୁଖ୍ୟ କେନାଲ ସମେତ ମୁଖ୍ୟ କେନାଲରୁ ବାହାରିଥିବା ଶାଖା, ଉପଶାଖା ଓ ଅତିରିକ୍ତ ଉପଶାଖା କେନାଲରେ ବେଣା ଘାସ, ଅନାବନା ଗଛର ଘଞ୍ଚ ଜଙ୍ଗଲ ସୃଷ୍ଟି ହୋଇ ଏବେ ମହାଦ୍ରୁମରେ ପରିଣତ ହୋଇଥିବା ଦେଖିବାକୁ ମିଳୁଛି । ଏମିତିକି କେନାଲର ତଳ ମୁଣ୍ଡର ଚାଷୀ ସରକାରଙ୍କୁ ଜଳକର ଦେଉଥିଲେ ମଧ୍ୟ ସେମାନଙ୍କ ବିଲରେ କେନାଲ ପାଣି ପହଞ୍ଚିପାରୁନଥିବା ଅଭିଯୋଗ କରୁଛନ୍ତି । ଚାଷୀଙ୍କ ଅଭିଯୋଗରୁ ଆହୁରି ପ୍ରକାଶ ଯେ, ଏହି ସେକ୍ସନ ଅଧିନରେ ଥିବା ବିଭିନ୍ନ କେନାଲରେ ଏବେ କଂକ୍ରିଟ ଲାଇନଙ୍ଗି କାର୍ଯ୍ୟ ଚାଲୁ ରହିଛି । କାର୍ଯ୍ୟକୁ ଠିକା ନେଇଥିବା ଠିକାଦାର କେନାଲ କ୍ରଂକ୍ରିଟ କାର୍ଯ୍ୟ ପାଇଁ କେନାଲରୁ ବାହାରିଥିବା ମାଟିକୁ କେନାଲ ବନ୍ଧ ଉପରେ ପକାଇ ବନ୍ଧକୁ ମଜଭୁତ କରିବା ପରିବର୍ତ୍ତେ ଠିକାଦାର ବାହାରେ ବିକ୍ରି କରି ଦେଉଛି ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ କେତେକ ଚାଷୀ ପ୍ରକାଶ କରିଛନ୍ତି । ବିନା ସୂଚନା ଫଳକରେ ଏହି ସେକ୍ସନରେ କୋଟି କୋଟି ଟଙ୍କାର କାର୍ଯ୍ୟ ଚାଲିଥିବା ବେଳେ କାହା ନିଦେ୍ର୍ଦଶ ଆଉ ଆଦେଶ ବଳରେ ସଂପୃକ୍ତ ଯନ୍ତ୍ରୀଙ୍କୁ ତାଙ୍କ ନିଜ ସେକ୍ସନ ସହ ଅନ୍ୟ ସେକ୍ସନର କୋଟି କୋଟି ଟଙ୍କାର କାର୍ଯ୍ୟ ତଦାରଖ ଭାର ଅର୍ପଣ କରାଯାଇଛି ତାହା ତଦନ୍ତ ସାପେକ୍ଷ । କେନାଲ କଂକ୍ରିଟ କାର୍ଯ୍ୟରେ ବ୍ୟବହୃତ ବାଲି, ମୋରମ, ଚିପ୍ସ, ସିମେଣ୍ଟ ମିଶ୍ରଣ ସଠିକ୍ ଅନୁପାତରେ କରାଯାଉନଥିବାବେଳେ କେନାଲ ଶଯ୍ୟାରେ ଓ ପାର୍ଶ୍ୱରେ ଅଳ୍ପ ପରିମାଣର ମୋରମ ଦେଇ ତା ଉପରେ ନିର୍ମାଣ ହୋଇଥିବାରୁ ଏହାର ସ୍ଥାୟୀତ୍ୱକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ବହୁ ଚାଷୀ ସନେ୍ଦହ ପ୍ରକାଶ କରିଛନ୍ତି । ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରେ ସେ କହିଛନ୍ତି, ଏବେ କେନାଲ କଂକ୍ରିଟ ଲାଇନଙ୍ଗି କାର୍ଯ୍ୟ ବର୍ଷା ଯୋଗୁଁ ବନ୍ଦ ରହିଛି ଏବଂ କେନାଲରେ ଘାସ ତଞ୍ଚା କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଆଗକୁ କାର୍ଯ୍ୟ ଆରମ୍ଭ ହେଲେ ସବୁ ଦେଖି କାର୍ଯ୍ୟ ସଂପାଦନ କରାଯିବ । ତେବେ ଏ ଦିଗରେ ଜଳସଂପଦ ବିଭାଗ ମୁଖ୍ୟଯନ୍ତ୍ରୀ, ସର୍ବୋଚ୍ଚ ଯନ୍ତ୍ରୀ, ବିଭାଗୀୟ ସଚିବ ଏବଂ ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେଇ କାକଟପୁର ଜଳସେଚନ ବିଭାଗରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ପଦବୀ ପୂରଣ କରିବାକୁ ଚାଷୀ ମହଲରେ ଦୃଢ଼ ଦାବି ହେଉଛି ।