ଜଳିଗଲା ୨ ବଖରା : ବେସାହାରା ପରିବାର
ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ଯୁଗଳ ଉପକଣ୍ଠ ଗୋବିନ୍ଦପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ବିଶିଷ୍ଟ ଘର ଜଳି ପୋଡ଼ି ଛାରଖାର ହୋଇଯାଇଥିବା ବେଳେ ପୁରା ପରିବାର ବାସହରା ହୋଇପଡ଼ିଛନ୍ତି । ମିଳିଥିବା ସୂଚନା ମୁତାବକ ଗୋବିନ୍ଦପୁର ଗ୍ରାମର ସୁବର୍ଣ୍ଣ ଦେହୁରୀଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା । ସଙ୍ଗେ ସଙ୍ଗେ ପଡ଼ୋଶୀ ବେତନଟୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ଅଧିକାରୀ ସତ୍ୟବାଦୀ ପଲେଇ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଦୀର୍ଘ ସମୟର ଉଦ୍ୟମ ପରେ ଆକସ୍ମିକ ଅଗ୍ନିକାଣ୍ଡକୁ ଆୟତ୍ତ କରିଥିଲେ ସୁଦ୍ଧା ଦୁଇ ବଖରା ଘର ସମେତ ସମସ୍ତ ଆସବାବପତ୍ର ଜଳିପୋଡି ଛାରଖାର ହୋଇଯାଇଥିଲା । ହଠାତ୍ ଅଗ୍ନିକାଣ୍ଡ ଘଟିଥିବାରୁ ଘର ଭିତରୁ କୌଣସି ଆସବାବ ପତ୍ରକୁ ଉଦ୍ଧାର କରାଯାଇ ପାରିନଥିଲା । ସର୍ଟସର୍କିଟରୁ ଆକସ୍ମିକ ଅଗ୍ନିକାଣ୍ଡ ହୋଇଥିବା ନେଇ ଅଗ୍ନିଶମ ବାହିନୀ ଅନୁମାନ କରୁଥିବା ବେଳେ କ୍ଷୟକ୍ଷତିର ପରିମାଣ ପାଖାପାଖ୍ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବା ନେଇ ପ୍ରାଥମିକ ଆକଳନ କରାଯାଇଛି ।