ସ୍ୱତନ୍ତ୍ର ପଞ୍ଚାୟତ ସମିତି ବୈଠକ: ଓଆର୍ଏସ୍ ବଣ୍ଟନରେ ଅବହେଳା ଅଭିଯୋଗ 

 ବିଞ୍ଝାରପୁର: ରାଜ୍ୟର ଅନେକ ଜିଲ୍ଲାରେ ଏବେ ହଇଜା ବ୍ୟାପିଥିବା ବେଳେ ଯାଜପୁର ଜିଲ୍ଲାରେ ଏହାର ପ୍ରଭାବ ଅଧିକ ଦେଖା ଦେଇଛି । ଯାହାକୁ ନେଇ ସରକାରଙ୍କ ପକ୍ଷରୁ ଓଆରଏସ, ହ୍ୟାଲୋଜିନ୍ ଟାବଲେଟ ଘର ଘର ବାଣ୍ଟିବାକୁ ଆଶା ଓ ଅଙ୍ଗବାଡ଼ି କର୍ମୀଙ୍କୁ ପରାମର୍ଶ ଦେଉଥିଲେ ସରକାର । ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖାଦେଇଛି ବିଞ୍ଝାରପୁର ବ୍ଲକରେ । ଯାହାକୁ ନେଇ ଆଜି ବ୍ଲକ୍ ପରିସରରେ ସ୍ୱତନ୍ତ୍ର ପଞ୍ଚାୟତ ସମିତି ବୈଠକରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଅଭିଯୋଗ ଆଣିବା ସହ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତାହା ସହ ଗ୍ରାମାଞ୍ଚଳରେ ଥିବା ନଳକୂପ ଗୁଡ଼ିକୁ ବିଶୋଧନ କରିବା ସହ ବ୍ଲିଚିଂ ବି ପକାଯାଉନଥିବା ଅଭିଯୋଗ ଆଣି ବୈଠକରେ ହୋହାଲ୍ଲା ଦେଖିବାକୁ ମିଳିଥିଲା । ରେସନ୍ କାର୍ଡରେ ସରପଞ୍ଚଙ୍କୁ ନୂଆ ହିତାଧିକାରୀ ଚୟନର ଏକ ତାଲିକା ପ୍ରଦାନ କରାଯାଉଥିବା ବେଳେ, ବ୍ଲକ୍ ଯୋଗାଣ ବିଭାଗରେ ଆଉ ଏକ ତାଲିକା ଦର୍ଶାଉ ଥିବା ନେଇ, ଅଭିଯୋଗ କରିବା ସହ ଦଳୀୟ ଭିତିରେ ରେଶନ କାର୍ଡ କରାଯାଉଥିବା ଅଭିଯୋଗ କରିଥିଲେ । ବିକଶିତ ଗାଁ ବିକଶିତ ଓଡ଼ିଶାର ପ୍ରସ୍ତାବିତ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା କରାଯାଇଛି । ବ୍ଲକ୍ ଅଧ୍ୟକ୍ଷା ରଞ୍ଜିତା ଦାସଙ୍କ ଅଧ୍ୟକ୍ଷତାରେ ବୈଠକରେ ବିଧାୟିକ ପ୍ରମିଳା ମଲ୍ଲିକ, ସାଂସଦଙ୍କ ପ୍ରତିନିଧି ପୁରୁଷୋତମ ବେହେରା, ବିଡିଓ ହିତାଂଶୁ ଶେଖର ସାମଲ, ତହସିଲଦାର ସୁଧାଂଶୁ ଶେଖର ସାଓ, ଉପାଧ୍ୟକ୍ଷ ସେକ୍ ଏର୍ସାଦ୍, ଯୋଗ ଦେଉଥିବା ବେଳେ ୨୯ଟି ପଞ୍ଚାୟତର ସରପଞ୍ଚ/ସମିତି ସଭ୍ୟ/ସଭ୍ୟା ଓ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ ।