ଖଣି ପାଇଁ ୯୨କୋଟି ରାଜସ୍ୱ ହରାଇବେ ସରକାର

ଯାଜପୁର : ଗୋଟିଏ ପଥର ଖାଦାନରେ ବେଆଇନ ଖନନ ପାଇଁ ୧୦୦ କୋଟି ଜରିମାନାକୁ ମାତ୍ର ୮କୋଟି ଟଙ୍କା ମଧ୍ୟରେ ସୀମିତ ରଖାଯାଇଛି । ଯାହା ଫଳରେ ରାଜ୍ୟ ସରକାର ହାତକୁ ହାତ ୯୨କୋଟି ଟଙ୍କା ହରାଇବାକୁ ପଡ଼ିବ । ଏନେଇ ଓଡିଶା ପବ୍ଲିକ୍‌ ଡିମାଣ୍ଡ ରିକଭରୀ ଆକ୍ଟରେ ସାର୍ଟିଫିକେଟ କେସ୍‌ ରୁଜୁ କରାଯାଇଥିବା ବେଳେ ପୁନଃ ଆକଳନ ସହ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି  । ଧର୍ମଶାଳା ତହସିଲର ଡଙ୍କାରୀର ୫/୧୦ କଳାପଥର ଖାଦାନର ଲିଜଧାରୀ ତଥା ବିଜେଡି ନେତା ନିରଞ୍ଜନ ରାଉତଙ୍କ ଭାଇ ନାରାୟଣଙ୍କ ନାମରେ ୭କୋଟି ୩୮ ଲକ୍ଷ ୪୨ହଜାର ୮୧୮ଟଙ୍କାର ଜରିମାନା ଆଦାୟ ପାଇଁ ଏହି ସାର୍ଟିଫିକେଟ କେସ୍‌ କରାଯାଇଛି । ଏଥିନେଇ ଲିଜଧାରୀ ଜରିମାନା ପ୍ରଦାନ ନକଲେ ତାଙ୍କର ସମ୍ପତି ଜବତ ହେବା ସହ ତାଙ୍କ ନାମରେ ଗିରଫ ପରୱାନା ବାହାରିବାର ବ୍ୟବସ୍ଥା ରହିଛି  । ହେଲେ ଠିକ ଭାବେ ଆକଳନ କରାଯାଇ ନଥିବାରୁ ସରକାର ଏକ୍ଷେତ୍ରରେ ପ୍ରାୟ ୯୨ କୋଟି ଟଙ୍କାର ଜରିମାନା ହରାଇଛନ୍ତି ବୋଲି ପାହାଡ଼ ପର୍ବତ ସୁରକ୍ଷା ମଞ୍ଚ ସଭାପତି ସତୀଶ ବିଶ୍ୱାଳ ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଗତ ତା୧୬ା୫ା୨୪ରେ ଡଙ୍କାରୀ ପାହାଡ଼ର ଖାଦାନରୁ ବେଆଇନ ଭାବେ କଳାପଥର ଚାଲାଣ ପାଇଁ ପଥର ବ୍ଲାଷ୍ଟିରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା  । ଶ୍ରମିକ ମୃତ୍ୟୁ ପରେ ବେଆଇନ ଖନନ ନୁହେଁ ବରଂ ବିନା ଟ୍ରାନଜିଟ ପାସ୍‌ରେ ସଂପୂର୍ଣ୍ଣ ପାହାଡ ଲୁଟ୍‌ ପ୍ରମାଣିତ ହୋଇଥିଲେ ମଧ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଇବା ନେଇ ତ୍ୱରିତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଏଥିନେଇ ଗତ ତା୭ା୬ା୨୪ ଏବଂ ତା ୨ା୭ା୨୪ରେ ପାହାଡ଼ ସୁରକ୍ଷା ମଞ୍ଚ ତରଫରୁ ସଭାପତିଙ୍କ ତଥ୍ୟ ଭିତିକ ଅଭିଯୋଗ କରିବା ପରେ ମହାମହିମ ରାଜ୍ୟପାଳଙ୍କ ତରଫରୁ ପତ୍ର ନଂ୬୮୪୬ ତା୫ା୮ା୨୪ ଯାଜପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦିଆଯାଇଥିଲା ।

  • କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି

ଅଭିଯୋଗ ଆଧାରରେ ମୁଖ୍ୟଶାସନ ସଚିବଙ୍କ ଡାଏରୀ ନଂ-୦୩୯୨୧୪ ତା୬ା୭ା୨୪ରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଇସ୍ପାତ ଓ ଖଣି, ଗୃହ, ଇଏସଆଇ ଜିଲ୍ଲାପାଳ, ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ଖଣି ବିଭାଗ ପକ୍ଷରୁ ଲଘୁ ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକ ଏବଂ ଯାଜପୁର ଜିଲ୍ଲାପାଳଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପତ୍ର ନଂ-୫୫୨୮ ତା୧୦ା୭ା୨୪ରେ ପ୍ରଦାନ କରାଯାଇଥିଲା । ଏହାପରେ ଲଘୁ ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ ଅତିରିକ୍ତ ନିର୍ଦ୍ଦେଶକ ପତ୍ର ନଂ-୧୨୨୯ ତା୧୧ା୭ା୨୪ ଏବଂ ପତ୍ର ନଂ୧୩୭୭ ତା୨୬ା୭ା୨୪ ଯାଜପୁରର ଉପନିର୍ଦ୍ଦେଶକ ଖଣିଙ୍କୁ ପ୍ରଦାନ କରାଯାଇଥିଲା । ହୋଇଥିବା ଅଭିଯୋଗ ଅନୁସାରେ ସାଇଣ୍ଟିଫିକ୍‌ ଟିମ୍‌ ଅନୁଧ୍ୟାନର ରିପୋର୍ଟରେ ‘ଏହି ଦୁର୍ଘଟଣା ମନୁଷ୍ୟକୃତ' ବୋଲି ଦର୍ଶାଗଲା । ଏହାପରେ ବି ଏଥନେଇ ଖଣି ବିଭାଗ ତରଫରୁ ଥାନାରେ ଏତଲା ଦିଆ ନଯିବାରୁ ସତୀଶ ପୁନଶ୍ଚ ମୁଖ୍ୟ ଶାସନ ସଚିବଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ଅଭିଯୋଗ ହୋଇଥିଲା ଯେ, ଲିଜଧାରୀଙ୍କୁ ଖଣି ବିଭାଗର ଅର୍ଡର ନଂ-୧୪୩୨ ତା୧୨ା୫ା୨୪ ରେ କନ୍‌ଫେଟ୍‌ ଟୁ ଏଷ୍ଟାବ୍ଲିସ ଏବଂ ଅର୍ଡର ନଂବର-୧୬୪୦ ତା୧୮ା୪ା୨୪ ଅନୁସାରେ କନ୍‌ଫେଟ୍‌ ଟୁ ଅପରେଟ୍‌ ପ୍ରଦାନ କରାଯାଇଛି । ଲିଜଧାରୀ ଗତ ତା୨୩ା୩ା୨୩ ମସିହାରୁ କନ୍‌ଫେଟ୍‌ ଟୁ ଅପରେଟ ପାଇଁ ନିବେଦନ କରିଥିଲେ । ଲିଜଧାରୀ ଏହି ନିବେଦନ କରିବାର ୬ମାସ ପୂର୍ବରୁ ପ୍ରଶାସନିକ ସଲାସୁତରାରେ ସଂପୂର୍ଣ ବେଆଇନ ଭାବେ ପାହାଡ ଲୁଟ ଚଲାଇଥିଲେ । ଦୁର୍ଘଟଣାରେ ୩ ଶ୍ରମିକ ମୃତ୍ୟୁ ବରଣ କରିବା ପର୍ଯ୍ୟନ୍ତ ମଧ୍ୟ ଲିଜଧାରୀ ଖଣି ବିଭାଗରୁ ଟ୍ରାନ୍‌ଜିଟ୍‌ ପାସ୍‌ ଆଣି ନଥବାରୁ ଟଙ୍କାଟିଏ ରାଜସ୍ୱ ନଦେଇ କୋଟି କୋଟି ଟଙ୍କାର କଳାପଥର ଲୁଟ ପ୍ରମାଣିତ ହେଲା । ଏହାସହ ଲିଜ ଏରିଆ ନେଇ କୌଣସି ଚିହ୍ନଟ ନଥିବାର ସାଇଣ୍ଟିଫିକ୍‌ ତଦନ୍ତରେ ଜଣାପଡିଥିବା ବେଳେ ଲିଜ ଏରିଆ ବାହାରୁ ଲକ୍ଷ ଲକ୍ଷ ଟ୍ରିପ କଳାପଥର ଲୁଟ ହୋଇଛି । ଖଣି ସୁରକ୍ଷା ଆଇନକୁ ଉଲଙ୍ଘନ କରାଯାଇ ଖଣି ଖନନ କରାଯାଇଥିଲେ ହେଁ ସେ ସମୟର ବିଜେଡ଼ି ସରକାର ହାତବାନ୍ଧି ବସିଥିଲେ । ଏହି ସମସ୍ତ ପ୍ରକାର ତ୍ରୁଟି ଏବଂ ଲୁଟ ନେଇ ପ୍ରାୟ ୧୦୦ କୋଟି ଟଙ୍କାର ଜରିମାନା ହେବା ନେଇ ତଥ୍ୟ ଭିତ୍ତିକ ଅଭିଯୋଗ କରାଯାଇ ଥିଲେ ମଧ୍ୟ ମାତ୍ର ୭ କୋଟି ୩୮ ଲକ୍ଷ ୪୨ ହଜାର ୮୧୮ ଟଙ୍କା ଜରିମାନା ହେବା ନେଇ ମଂଚ ତରଫରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯାଜପୁର ଖଣି ଅଧୁକାରୀ ପତ୍ର ନଂ-୧୭୩୪ ତା୨୪ା୩ା୨୫ରେ ଲିଜଧାରୀ ନାରାୟଣ ରାଉତଙ୍କୁ ୭ କୋଟି ୩୮ ଲକ୍ଷ ୪୨ ହଜାର ୮୧୮ ଟଙ୍କା ପ୍ରଦାନ ପାଇଁ ଡିମାଣ୍ଡ ନୋଟିସ ପଠାଇଥିଲେ । ଲିଜଧାରୀ ଏହି ଟଙ୍କା ପ୍ରଦାନ ନ କରିବାରୁ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଗତ ତା୨୦ା୬ା୨୫ରେ ଏଥିନେଇ ସାଟିଫିକେଟ କେସ ରୁଜୁ ହୋଇଛି । ବିଜେଡି ସରକାର ସମୟରେ ଲୁଟ୍‌ ନେଇ ବିଜେପି ସରକାରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ କ୍ଷମତାସୀନ ନେତା ବାରମ୍ବାର ଚେତାବନୀ ଦେଉଛନ୍ତି । ହେଲେ ବାସ୍ତବରେ ତାହା ଲୋକ ଦେଖାଣିଆ ହୋଇଛି । ସେଥିପାଇଁ ଏହି ସାର୍ଟିଫିକେଟ କେସ୍‌ ଦୁଇମାସ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇ ଏହାକୁ ଶୀତଳ ଭଣ୍ଡାରରେ ରଖାଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।