ଜାତୀୟ ଉଦ୍ୟାନ ଶିମିଳିପାଳ


ଶିମିଳିପାଳ ଜୈବ ମଣ୍ଡଳ ଉତ୍ତର ଓଡ଼ିଶାରେ ଏକ ବିଶାଳ ଜଙ୍ଗଲ କ୍ଷେତ୍ର ମଧ୍ୟରେ ରହିଛି । ତେବେ ଦୀର୍ଘଦିନର ଉଦ୍ୟମ ଏବଂ ପ୍ରତୀକ୍ଷା ପରେ ଗତ ସପ୍ତାହରେ ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଛି । ବର୍ତ୍ତମାନ ଏହା ରାଜ୍ୟର ଦ୍ୱିତୀୟ ଜାତୀୟ ଉଦ୍ୟାନ ହୋଇଥିବା ବେଳେ ଏସିଆ ମହାଦେଶରେ ମଧ୍ୟ ଦ୍ୱିତୀୟ ବୃହତ୍ତମ ଜୈବମଣ୍ଡଳ ହୋଇପାରିଛି ଏବଂ ଦେଶର ୧୦୭ତମ ସ୍ଥାନରେ ଅଛି । ମୋଟ୍ ୨୭୫୦ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରେ ଶିମିଳିପାଳ ଜୈବମଣ୍ଡଳ ଅବସ୍ଥିତ । ଏହି ଜୈବମଣ୍ଡଳର କେନ୍ଦ୍ର ସ୍ଥଳରେ ୮୪୫. ୭୦ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନର ମାନ୍ୟତା ଦିଆଯାଇଛି । ଜାତୀୟ ଉଦ୍ୟାନର ମାନ୍ୟତା ଦେବା କ୍ଷେତ୍ରରେ ଏହି ୮୪୫.୭୦ ବର୍ଗ କିଲୋମିଟର୍ ଅଞ୍ଚଳ ଭିତରେ କୌଣସି ବି ଜନବସତି କିମ୍ବା ଗାଁ ନ ରହିବା ଆବଶ୍ୟକ ଥିଲା । ଏହି ୮୪୫.୭୦ ବର୍ଗ କିଲୋମିଟର୍ ଭିଡ଼ରେ ଯମୁନାଗଡ଼, ଜେନାବିଲ, କବାଟ ଘାଈ ଏବଂ ବୋକୁଆ ନାମକ ୪ଟି ଗାଁ ରହିଥିଲା । ଏଥିସହିତ ଆଉ ୨ଟି ପଡ଼ା ଗ୍ରାମ ବୋଲି ରହିଥିଲା, ଯାହାକୁ କି ହାମ୍ଲେଟ୍ ବୋଲି କୁହାଯାଏ । ୨୦୧୨ ମସିହାରୁ ଲଗାତାର୍ ଭାବରେ ଚେଷ୍ଟା କରି ଲୋକଙ୍କୁ ବୁଝେଇ, ସୁଝେଇ ଏହି ୪ଟି ଗାଁ ଏବଂ ୨ଟି ପଡ଼ା ଗ୍ରାମକୁ ୮୪୫ ବର୍ଗ କିଲୋମିଟର ଅଞ୍ଚଳ ଭିତରୁ ବାହାରକୁ ନିଆଯାଇ ଲୋକଙ୍କୁ ଥଇଥାନ କରାଗଲା । ଏହାପରେ ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଯାଇଛି । ମୋଟ୍ ୨୭୫୦ କିଲୋମିଟର ଅଞ୍ଚଳ ମଧ୍ୟରୁ ୨୨୦୦ ବର୍ଗ କିଲୋମିଟର ଅଞ୍ଚଳକୁ ଇକୋ ଟୁରିଜିମ୍ ଭାବରେ ରାଜ୍ୟ ସରକାର ଘୋଷଣା କରିଛନ୍ତି । 
ଶିମିଳିପାଳ ଅଭୟାରଣ୍ୟ ତଥା ଜୈବମଣ୍ଡଳ ଅଞ୍ଚଳରେ ୫୫ ପ୍ରଜାତିର ପଶୁ, ୩୦୪ ପ୍ରଜାତିର ପକ୍ଷୀ, ୬୨ ପ୍ରଜାତିର ସରୀସୃପ, ୩୭ ପ୍ରଜାତିର ମାଛ ଏବଂ ୧୦୭୬ ପ୍ରଜାତିର ଉଦ୍ଭିଦ ଓ ଗୁଳ୍ମ ଦେଖିବାକୁ ମିଳେ । ଶିମିଳିପାଳ ଜୈବମଣ୍ଡଳ ହେଉଛି ଦେଶର ଏକମାତ୍ର ସ୍ଥାନ ଯେଉଁଠାରେ ଶହେରୁ ଅଧିକ ପ୍ରକାରର ରାସ୍ନା ବା ଅର୍କିଡ୍ ଦେଖିବାକୁ ମିଳେ । ଏହି ଜୈବ ମଣ୍ଡଳ ଭିତରେ ଦେଖା ଯାଉଥିବା ଅର୍କିଡ୍ ଗୁଡ଼ିକ ଅତ୍ୟନ୍ତ ଉନ୍ନତମାନର ବୋଲି ଜଣାପଡ଼ିଛି । ଏଠାକାର ଔଷଧୀୟ ଗୁଳ୍ମଲତା, ଜୈବ ବିବିଧତା ଆଦି ବିଷୟରେ ଗବେଷଣା କରିବା ପାଇଁ ଦେଶ, ବିଦେଶରୁ ଗବେଷକମାନେ ଆସିଥାନ୍ତି । ବର୍ତ୍ତମାନ ଏହା ଜାତୀୟ ଉଦ୍ୟାନର ମାନ୍ୟତା ପାଇବା ପରେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିବ । କେବଳ ସେତିକି ନୁହେଁ ଏକ ପର୍ଯ୍ୟଟନସ୍ଥଳୀ ଭାବରେ ଶିମିଳିପାଳକୁ ପର୍ଯ୍ୟଟକ ମାନଙ୍କର ଆଗମନ ବହୁ ସଂଖ୍ୟାରେ ବୃଦ୍ଧି ପାଇବ । ବିରଳ କଳା ଚିତାବାଘ, ଗୟଳ ଏବଂ ଉଡ଼ନ୍ତା ଗୁଣ୍ଡୁଚି ଭଳି ଦୁଷ୍ପ୍ରାପ୍ୟ ପ୍ରାଣୀ ଏହି ଜୈବମଣ୍ଡଳରେ ଦେଖାଯାଆନ୍ତି । ଏଠାରୁ ବାହାରିଥିବା ପ୍ରାୟ ୮ଟିରୁ ଅଧିକ ଚିରସ୍ରୋତା ଝରଣା ଜଳପ୍ରପାତପୂର୍ଣ୍ଣ ମନୋରମ ପ୍ରାକୃତିକ ଦୃଶ୍ୟରେ ଭରପୂର ହୋଇ ରହିଛି ଏବଂ ଏ ଗୁଡ଼ିକ ଏହି ଜୈବମଣ୍ଡଳ ମଧ୍ୟରେ ହିଁ ବଡ଼ ନଦୀରେ ପରିଣତ ହୋଇଛି । ସୀତାକୁଣ୍ଡ, ଧୁଣ୍ଡୁବସା, ଦେବକୁଣ୍ଡ, ବରେହିପାଣି ଭଳି ମନୋରମ ଜଳପ୍ରପାତ ଏହି ଶିମିଳିପାଳ ଜୈବମଣ୍ଡଳ ଭିତରେ ରହିଛି । ପଳପଳା ନଦୀ, ବେଲପାଣି, ଦଲ୍କି ନଦୀ ପ୍ରମୁଖ ନଦୀ ଗୁଡ଼ିକ କେବଳ ଜଳପ୍ରପାତ ପାଇଁ ନୁହେଁ; ବରଂ ଏସବୁରେ ରହିଥିବା ପାହାଡ଼ି ମାଛ ପାଇଁ ମଧ୍ୟ ବିଖ୍ୟାତ । ୩୭ଟି ପ୍ରଜାତିର ମାଛ ଏହିସବୁ ପାହାଡ଼ିଆ ନାଳ ଓ ନଦୀ ଗୁଡ଼ିକରେ ହିଁ ଦେଖା ଯାଇଥାନ୍ତି । ଜୈବମଣ୍ଡଳ ଭିତରେ ରହିଥିବା ନାଳ ଓ ଝରଣା, ଛୋଟ ନଦୀ ଗୁଡ଼ିକରେ ଦେଖା ଯାଉଥିବା କଙ୍କଡ଼ା ମଧ୍ୟ ଅନ୍ୟ କଙ୍କଡ଼ା ଠାରୁ ସ୍ୱତନ୍ତ୍ର । ଜୈବମଣ୍ଡଳ ବିଶ୍ଳେଷଣ କରିଲେ ଅନେକ ଦୃଷ୍ଟିରୁ ଏହାର ବିଶେଷତ୍ୱ ରହିଛି ଏବଂ ଗୁଳ୍ମଲତା, ଉଦ୍ଭିଦ, ଔଷଧୀୟ ଉଦ୍ଭିଦ ଆଦିର ଗବେଷଣା କରୁଥିବା ଗବେଷକମାନଙ୍କ ପାଇଁ ଶିମିଳିପାଳ ସର୍ବୋକୃଷ୍ଟ ସ୍ଥାନ । ଜାତୀୟ ଉଦ୍ୟାନର ମାନ୍ୟତା ମିଳିବା ପରେ ଶିମିଳିପାଳ କେବଳ ଓଡ଼ିଶାର ନୁହେଁ, ସମଗ୍ର ବିଶ୍ୱର ଏକ ଖ୍ୟାତନାମା ସ୍ଥାନରେ ପରିଣତ ହୋଇଛି ।