୩ବର୍ଷରେ ୨୨ଶହ କୋଟିର ଲଘୁ ଖଣିଜ ଲୁଟ୍ : ଗୋଟିଏ ଟିପିରେ ୧୫ ମାସ ଧରି ପଥର ପରିବହନ

ଆନନ୍ଦପୁର : କେନ୍ଦୁଝର ଜିଲାରେ ଚାଲିଛି ବେଧଡ଼କ ଲଘୁ ଖଣିଜ ଲୁଟ୍ । ଉତୋଳନ ଠାରୁ ପରିବହନ ପର୍ଯ୍ୟନ୍ତ ସବୁଠି ମୋଡ଼ି ମକଚି ହୋଇପଡ଼ିଛି ଆଇନ । ଖନନ ବା ଉତୋଳନ ଅନୁମତି ନଥିବା ସୈରାତ୍ ମାନଙ୍କରୁ ଦିନରାତି ଚୋରା ଚାଲାଣ ହେଉଛି ବାଲି, ପଥର, ମାଙ୍କଡ଼ା ଓ ମୋରମ । ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନେତା ଓ ଲିଜଧାରୀଙ୍କ ମହାମେଂଟରେ ଚାଲିଛି ଲଘୁ ଖଣିଜ ତସ୍କରୀ । କେନ୍ଦୁଝର ଜିଲାର ଖଣି ଦୁର୍ନିତି ଭଳି ଏବେ ବାଲି ଓ ପଥର ଦୁର୍ନିତି ଚରମ ସୀମାରେ ପର୍ହଚିଛି । କେବଳ ଆନନ୍ଦପୁର ଉପଖଣ୍ଡରେ ଥିବା ସୈରାତ୍ ମାନଙ୍କରୁ ୨୨ଶହ କୋଟି ଟଙ୍କାର ଲଘୁ ଖଣିଜ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଗତ ୩ବର୍ଷରେ ଏହି ଲୁଟ୍ ହୋଇଥିବା ନେଇ ପ୍ରକୃତି ସୁରକ୍ଷା ମଂଚ ପକ୍ଷରୁ  ଅଭିଯୋଗ ହୋଇଛି । ମଂଚ ପକ୍ଷରୁ ସାମାଜିକ କର୍ମୀ ହିମାଂଶୁ ଶେଖର ନାୟକ ଓ ଯଜ୍ଞପ୍ରସାଦ ସାହୁଙ୍କ ପକ୍ଷରୁ କୁହାଯାଇଛି କି ଜିଲାରେ ମୋଟ୍ ୧୪୭ଟି ଲଘୁ ଖଣିଜ ସୈରାତ ରହିଛି । ସେଥିରୁ ୩୩ଟି ସୈରାତକୁ ନିଲାମ କରାଯାଇ ନାହିଁ । ନିଲାମ ହୋଇଥିବା ୯୨ଟି ସୈରାତ୍ ମଧ୍ୟରୁ ୩୫ଟି କାର୍ଯ୍ୟକ୍ଷମ ଅଛି । ଏହି ୩୫ଟି କାର୍ଯ୍ୟକ୍ଷମ ସୈରାତରେ ମନଇଚ୍ଛା ଲଘୁ ଖଣିଜ ଲୁଟ୍ ଚାଲିଛି । ଘଷିପୁରା ତହସିଲ ଅଧିନ ନାରଙ୍ଗପୁର ପଥର ଖାଦାନ  ୨୦୨୪ମସିହା ଜାନୁୟାରୀ ୧ତାରିଖ ଠାରୁ ଏଯାବତ୍ ଗୋଟିଏ ଟ୍ରାନଜିଟ୍ ପାସ୍ (ଟି.ପି) ନେଇଥିବା ଜଣାପଡ଼ିଛି । କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ । ନିର୍ଦ୍ଦିଷ୍ଟ କିଛି ଦିନକୁ ବାଦ ଦେଲେ ପ୍ରତିଦିନ ଏଠାରୁ ୧୫ ରୁ ୧୮ ଟ୍ରିପ୍ ପଥର ପରିବହନ ହେଉଛି । ଏହି ୧୫ ମାସ ଧରି ଏଠାରୁ ହାରାହାରି ୫ ହଜାର ଟ୍ରିପ୍ ପଥର ପରିବହନ ହୋଇଥିବା ବେଳେ ମାତ୍ର ଗୋଟିଏ ଟ୍ରାନଜିଟ୍ ପାସ୍ (ଟିପି) ବ୍ୟବହାର ହୋଇଥିବା ସରକାରୀ ତଥ୍ୟ କହୁଛି । ଅନୁରୁପ ଭାବେ ହାଟଡ଼ିହି ତହସିଲ୍ ଅନ୍ତର୍ଗତ ବୈତରଣୀ ନଦୀ ଶଯ୍ୟାର ହାବଳେଶ୍ୱର ବାଲି ଘାଟ ଗତ ୧୫ ମାସ ମଧ୍ୟରେ ମାତ୍ର ୮ଟି ଟ୍ରାନ୍ଜିଟ୍ ପାସ୍ (ଟି.ପି) ବ୍ୟବହାର ହୋଇଛି । କିନ୍ତୁ ମାର୍ଚ୍ଚ ମାସକୁ ଛାଡ଼ିଦେଲେ ପ୍ରତିଦିନ ଏହି ଘାଟରୁ ୧୦୦ରୁ ଅଧିକ ହାଇୱା ଯୋଗେ ବାଲି ପରିବହନ ହୋଇଛି । ସେହିପରି ଅମୃତପୁର ଘାଟ ଏହି ସମୟସୀମା ମଧ୍ୟରେ ୧୪ଟି, ଡ଼ିମିରିଆରେ ୧୩ଟି, ଜମ୍ଭରାରେ ୧୫୦ଟି, ଗିରିଗାଁରେ ୩୬ଟି ଟ୍ରାନ୍ଜିଟ୍ ପାସ୍ (ଟି.ପି) ବ୍ୟବହାର ହୋଇଥିବା ଜଣାପଡ଼ିଛି । ମାତ୍ର ଏହି ସମସ୍ତ ଘାଟରୁ ପ୍ରତିଦିନ ଶହଶହ ସଂଖ୍ୟାରେ ୧୨ଚକିଆ ଓ ୧୪ଚକିଆ ହାଇୱାରେ ବାଲି ପରିବହନ ହେଉଛି । ସେହିପରି ଘଷିପୁରା ତହସିଲ୍ ଅଁଳାପାଳ ବାଲି ଘାଟ ୧୬ଟି, ଦେଓଗାଁ ବାଲିଘାଟ ୧୦୧ଟି, ରେମାଳ ନଦୀ ଶଯ୍ୟାର କାଠପାଳ ଘାଟରେ ୪୧ଟି ଟି.ପି ବ୍ୟବହାର ହୋଇଥିବା ଦର୍ଶାଯାଇଛି । ନୂଆବରିପାଳ ପଥର ଖାଦାନ ୧୫ମାସରେ ୩୪୩ଟି ଟି.ପି ବ୍ୟବହାର କରିଥିବା ଦର୍ଶାଯାଇଥିବା ବେଳେ ଏହି ସମୟ ମଧ୍ୟରେ ଏଠାରୁ ୯ ହଜାର ଟ୍ରିପ୍ରୁ ଅଧିକ ପଥର ଚାଲାଣ ହୋଇଛି । ଆନନ୍ଦପୁର ତହସିଲ୍ ଅଧିନ ଅମାରଙ୍ଗ ଘାଟ ମାତ୍ର ୧୮ଟି, ଆନନ୍ଦପୁର ଘାଟ ୫୬ଟି ଟି.ପି ବ୍ୟବହାର କରିଥିବା ସରକାରୀ ଭାବେ କୁହାଯାଇଛି । ତେବେ ସମସ୍ତ ଘାଟରୁ ଶ୍ରମିକ ବଦଳରେ ମେସିନ୍ ବ୍ୟବହାର ହେଉଥିବା ଓ ରାଜ୍ୟ ବାହାରକୁ ବାଲି ଚାଲାଣ ହେଉଥିବା ଜଣାପଡ଼ିଛି । କେବଳ ଟ୍ରାକ୍ଟର ଓ ୬ ଚକିଆ ଟ୍ରକରେ ବାଲି ପରିବହନ ହେବାର ନିୟମ ଥିବା ବେଳେ ଆଇନକୁ ଖୋଲା ଉଲଙ୍ଘନ କରାଯାଇ ହାଇୱା ଯୋଗେ ପରିବହନ ହେଉଥିବା ସ୍ପଷ୍ଟ ଦିବା ଲୋକରେ ପ୍ରମାଣିତ ହୋଇଛି । ଆହୁରି ଅଭିଯୋଗରେ କୁହାଯାଇଛି କି ପାରିପାର୍ଶ୍ୱିକ ବିକାଶ ଦିଗରେ ଲିଜଧାରୀ ମାନେ ସମ୍ପୂର୍ଣ୍ଣ ଅବହେଳା ପ୍ରଦର୍ଶନ କରିଛନ୍ତି । ବେଆଇନ ବାଲିଉତୋଳନ ପାଇଁ ଡିମିରିଆ ବାଲି ଘାଟର ଲିଜଧାରୀଙ୍କୁ ବିଭାଗ ତରଫରୁ ଡିମାଣ୍ଡ ନୋଟିସ୍ ଜାରି କରାଯାଇଛି । ମାନ୍ୟବର ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଆନନ୍ଦପୁର ଘାଟରେ ସ୍ଥଗିତ ରଖାଯାଇଛି । କାର୍ଯ୍ୟକ୍ଷମ ଥିବା ଓ କର୍ଯ୍ୟକ୍ଷମ ନଥିବା ଘାଟ ବା ସୈରାତ୍ ମାନଙ୍କରୁ ବେଆଇନ ଭାବେ ମାତ୍ରାଧିକ ଉତୋଳନ ଓ ପରିବହନ ହେଉଛି । ବର୍ଷା ଦିନେ ସମ୍ପ ମେସିନ୍ ବ୍ୟବହାର କରି ବାଲି ମାଫିଆ ମାନେ ବେଆଇନ ଭାବେ ଲଘୁ ଖଣି ଖଣିଜ ଲୁଟ୍ କରୁଥିବା ଅଭିଯୋଗ ହୋଇଛି । ବିଗତ ୩ ବର୍ଷରେ ହୋଇଥିବା ଉତୋଳନ ଓ ପରିବହନ ତଥା ପରିବେଶ କ୍ଷୟ କ୍ଷତି ମିଶି ୨୨ଶହ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ଯଜ୍ଞ ପ୍ରସାଦ ସାହୁ କହିଛନ୍ତି । ସେହିପରି ବେଆଇନ ବାଲି ଓ ପଥର ଉତୋଳନକୁ ବନ୍ଦ କରିବା ତଥା ଏହାର ଦରକୁ ନିୟନ୍ତ୍ରଣ କରିବା ପାଇଁ ସେ ଦାବି କରିଛନ୍ତି ।