ପାଚେରି ଭୁଶୁଡ଼ି ଜଣେ ମୃତ

ବାଲେଶ୍ୱର  : ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ସହରର ଗୁଡ଼ିପଦା ସ୍ଥିତ ଟାଟା ପାୱାର ଷ୍ଟୋର ପାଚେରି ଭୁଶୁଡ଼ି ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଛି । ପାଚେରି ଭୁଶୁଡ଼ି ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ମାଡ଼ି ବସିବାରୁ ଏଥିରେ ଚାପି ହୋଇ ତାଙ୍କର ମୃତୁ୍ୟ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଉତ୍ତ୍ୟକ୍ତ ଗୁଡିପଦା ବସ୍ତି ବାସିନ୍ଦା ମୃତକଙ୍କୁ କ୍ଷତିପୂରଣ ଦାବିରେ ଏସ୍ପି ଅଫିସ୍ ଘେରାଉ କରିଥିଲେ । ପୁଲିସ୍ ଲୋକଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ଲୋକେ ସେମାନଙ୍କ ଜିଦ୍ରେ ଅଡ଼ି ବସିଥିଲେ । ପରେ ଶାସକ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ ଦତ୍ତ, ପୌର ଅଧ୍ୟକ୍ଷା ସବିତା ସାହୁ ପହଞ୍ଚି ମୃତ ପରିବାରକୁ ଶାନ୍ତ୍ୱନା ଦେବା ସହ ଟାଟା ପାୱାର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ମୃତକଙ୍କ ପରିବାରକୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଓ ମୃତକଙ୍କ ପତ୍ନୀଙ୍କୁ ଚାକିରି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।