ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା

 ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ରଙ୍କର ସୁନ୍ଦରଗଡ଼ ଜିଲ୍ଲାପାଳ ରୂପେ ବଦଳି ହୋଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବନ ବିଭାଗର ଚରକବନ ଠାରେ ବିଦାୟୀ ଜିଲ୍ଲାପାଳ ଡ଼ା. ମହାପାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ସଭାରେ ସମସ୍ତ ବିଭାଗୀୟ ଅଧିକାରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ସମ୍ବର୍ଦ୍ଧନା ସମାରୋହରେ ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ ବର୍ମନ୍, ଡିଏଫ୍ଓ ଶୁଭେନ୍ଦୁ ପ୍ରସାଦ ବେହେରା, ସିଡିଓ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ପିଏ,ଆଇଟିଡିଏ ରାଜୀବ ଲୋଚନ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଜରୁରୀ ଶାଖା ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ହିମାଂଶୁ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମଞ୍ଚାସୀନ ଅତିଥିଗଣ ଜିଲ୍ଲାପାଳଙ୍କୁ ଏକ ଭଲ ମଣିଷ ଭାବେ ବିବେଚନା କରି ବିଶେଷ କରି ସ୍କୁଲରେ ଛାତ୍ରମାନଙ୍କୁ ପାଠ ପଢ଼ାଇବା, ଜନ ଅଭିଯୋଗ ଶୁଣାଣିରେ ସାଧାରଣ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବା, ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ପାଇଁ ଅଧିକାରୀଙ୍କୁ ଉଚିତ ପରାମର୍ଶର୍ ଦେବା ଉପରେ କହିଥିଲେ । ଜିଲ୍ଲାପାଳ ନିଜ ବକ୍ତବ୍ୟରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଏକ ଟିମ୍ ହିସାବରେ କାର୍ଯ୍ୟ ନିର୍ବାହ କରି ଜିଲ୍ଲାକୁ ଆଗେଇ ନେବାରେ ତାଙ୍କୁ ସହଯୋଗ କରିଥିବାରୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଶେଷରେ ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ସଦିଚ୍ଛା ଉପହାର ଦେଇ ଅଧିକାରୀମାନେ ସମ୍ବର୍ଦ୍ଧନା ଜଣାଇଥିଲେ ।