ଜିଲ୍ଲାସ୍ତରୀୟ ତାଇକୋଣ୍ଡୋ ଉଦ୍ୟାପିତ

 ତାଳଚେର : ତାଳଚେର ବ୍ଲକ ବିକ୍ରମପୁର ଭଞ୍ଜମଣ୍ଡପ ପରିସରରେ ଚାଲିଥିବା ୧୩ତମ ଅନୁଗୁଳ ଜିଲ୍ଲା କିରୋଗି ଓ ଷଷ୍ଠ ପୁମ୍ପସେ ତାଇକୋଣ୍ଡୋ ପ୍ରତିଯୋଗିତା ଉଦ୍ୟାପିତ ହୋଇଛି । ଅନୁଗୁଳ ଜିଲ୍ଲା ତାଇକୋଣ୍ଡୋ ସଂଘର ସମ୍ପାଦକ ପ୍ରମୋଦ ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ତାଳଚେର ତାଇକୋଣ୍ଡୋ ଏକାଡେମୀର ୫୦ ପ୍ରତିଯୋଗୀ, ଦାନିସ୍ ତାଇକୋଣ୍ଡୋ ଏକାଡେମୀର ୧୫ ଜଣ ଓ ଇକୋ ରେଲୱେ ତାଇକୋଣ୍ଡୋ ଏକାଡେମୀର ୨୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏ ଅବସରରେ କିରୋଗି ଓ  ପୁମ୍ପସେ ତାଇକୋଣ୍ଡୋ ପ୍ରତିଯୋଗିତାରେ ଜିଲ୍ଲାର ୮୫ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ । ଓଡିଶା ତାଇକୋଣ୍ଡୋ ଆସୋସିଏସନର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ।  କିରୋଗି ପ୍ରତିଯୋଗିତାରେ  ତାଳଚେର ତାଇକୋଣ୍ଡୋ ଏକାଡେମୀ ଚାମ୍ପିୟାନ୍ ଓ ଦାନିସ୍ ତାଇକୋଣ୍ଡୋ ଏକାଡେମୀ ରନର୍ସ ଅପ୍ ଏବଂ ପୁମ୍ପସେ ପ୍ରତିଯୋଗିତାରେ ତାଳଚେର ତାଇକୋଣ୍ଡୋ ଏକାଡେମୀ ଚାମ୍ପିୟାନ୍ ଓ ଇକୋ ରେଳୱେ ତାଇକୋଣ୍ଡୋ ଏକାଡେମୀ ରନର୍ସ ଅପ୍ ହୋଇଥିଲେ । ଉଦ୍ୟାପନୀ ସମାରୋହରେ ମୁଖ୍ୟଅତିଥି ଭାବରେ ତାଳଚେର ଭାରୀ ଜଳ କାରଖାନାର ବରିଷ୍ଠ ଅଧିକାରୀ ଜୈତୁଲ ହକ୍ ଓ ସମ୍ମାନିତ ଅତିଥି ଏକେ ରଥ, ଓଡିଶା ତାଇକୋଣ୍ଡୋ ଆସୋସିଏନର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଓ ଅନୁଗୋଳ ତାଇକୋଣ୍ଡୋ ସଂଘର ସମ୍ପାଦକ ପ୍ରମୋଦ ପ୍ରଧାନ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।