ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା

ସମ୍ବଲପୁର: ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇଏଏସ୍ ନିକୁ ବିହାରୀ ଧଳ ଆଜି ସମ୍ବଲପୁର ଠାରେ ଚାରୋଟି ଲୋକସଭା ସଂସଦୀୟ କ୍ଷେତ୍ରରେ ହେବାକୁ ଥିବା ସାଂସଦ ଓ ବିଧାନସଭା ନିର୍ବାଚନର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବରେ ପରିଚାଳନା କରିବା ଓ ଆଦର୍ଶ ଆଚରଣ ବିଧି ପାଳନ କରିବା ପାଇଁ ସେ ଉପସ୍ଥିତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଭୋଟରମାନଙ୍କ ସୁବିଧା ପାଇଁ ବ୍ୟବସ୍ଥା କରିବାକୁ ସେ ଜୋର୍ ଦେଇଥିଲେ । ନିର୍ବାଚନ ପରିଚାଳନା ଅଧିକାରୀ, କର୍ମଚାରୀ ଏବଂ ଭ୍ରାମ୍ୟମାଣ ଟିମ୍ର ସୁବିଧା ପ୍ରତି ଦୃଷ୍ଟି ଦେବା ସହିତ ଦିବ୍ୟାଙ୍ଗ ମତଦାତା ଏବଂ ବରିଷ୍ଠ ନାଗରିକ ମତଦାତାମାନଙ୍କୁ ଭୋଟକେନ୍ଦ୍ର ପର୍ଯ୍ୟନ୍ତ ନେବା ଆଣିବା ପାଇଁ ବ୍ୟବସ୍ଥା କରିବା, ପୋଷ୍ଟାଲ ବେଲଟ୍କୁ ସୁନିଶ୍ଚିତ କରାଯିବ । ଅତ୍ୟାବଶ୍ୟକ ଡୁ୍ୟଟି ଏବଂ ନିର୍ବାଚନ କାର୍ଯ୍ୟରେ ଲାଗିଥିବା ଗାଡ଼ି ମୋଟରର ଚାଳକ, କଣ୍ଡକ୍ଟର ଏବଂ ସହାୟକମାନଙ୍କ ପାଇଁ ସୁବିଧା କେନ୍ଦ୍ରରେ ଭୋଟ ଦାନର ବ୍ୟବସ୍ଥା କରାଯାଇଛି । ଭୋଟର ମାନଙ୍କ ପାଇଁ ମତଦାନ କେନ୍ଦ୍ରରେ ପର୍ଯ୍ୟାପ୍ତ ପିଇବା ପାଣିର ବ୍ୟବସ୍ଥା ଏବଂ ଆବଶ୍ୟକ ସ୍ଥଳେ ଆଚ୍ଛାଦାନ ସୁବିଧା କରାଯିବ । ୮୫ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ଭୋଟର ଏବଂ ୪୦ ପ୍ରତିଶତରୁ କମ୍ ଦୃଷ୍ଟି ଶକ୍ତି ଥିବା ଲୋକଙ୍କୁ ସେମାନଙ୍କ ଘରେ ଭୋଟ ଦେବାର ସୁବିଧା କରାଯାଉଛି । ପୁଲିଂ ପାର୍ଟି ସେମାନଙ୍କ ଘରକୁ ଯିବେ । ଜାଲ୍ ଭୋଟକୁ ସମ୍ପୂର୍ଣ୍ଣ ଭାବେ ରୋକାଯିବ । ସେହିଭଳି ନକ୍ସଲ କାର୍ଯ୍ୟକଳାପ ଉପରେ ନଜର ରହିବ । ସ୍ୱଚ୍ଛ ଅବାଧ ନିର୍ବାଚନ ଉପରେ ଫୋକସ୍ ଦିଆଯିବା ସଙ୍ଗେ ସଙ୍ଗେ ୬୦ ରୁ ୭୦ ପ୍ରତିଶତ ବୁଥ୍ରେ ୱେବ୍ କାଷ୍ଟିଂ କରାଯିବ । ଏହାକୁ ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳମାନେ ନିୟନ୍ତ୍ରଣ କକ୍ଷରେ ଥାଇ ଦେଖି ପାରିବେ । ଆଇନ ଶୃଙ୍ଖଳା ପରିସ୍ଥିତି ସ୍ୱଭାବିକ ଅଛି । ସମୀକ୍ଷା ବୈଠକରେ ସମ୍ବଲପୁର, ସୁନ୍ଦରଗଡ଼, ଢ଼େଙ୍କାନାଳ, ବରଗଡ଼ ଓ ଲୋକସଭା କ୍ଷେତ୍ର ଏବଂ ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବରଗଡ଼, ଝାରସୁୁଗୁଡ଼ା, ସୁନ୍ଦରଗଡ଼ ଏବଂ ଢ଼େଙ୍କାନାଳ ପ୍ରଭୃତି ଜିଲ୍ଲାର ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ମଧ୍ୟ ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଥିଲା । ରାଜସ୍ୱ କମିଶନର ଶ୍ରୀକାନ୍ତ ପୃଷ୍ଟି, ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ରାଉରକେଲା ଓ ତାଲଚେରରେ ଡିଆଇଜି ଏବଂ ୭ଟି ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନେ ବୈଠକରେ ଉପସ୍ଥିତ ଥିଲେ ।