ସୂର୍ଯ୍ୟ, ସଂସ୍କୃତି ଏବଂ ସ୍ତ୍ରୀ
ଗୋପାଳ ମହାପାତ୍ର : ଶୀତ ଋତୁରେ ଜାଡ଼ ମଧ୍ୟରେ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି ଏବଂ ଅନ୍ଧକାର ରୁ ପ୍ରକାଶ ଆଡ଼କୁ ଯାତ୍ରା ଆରମ୍ଭ ହୋଇଥାଏ । ସେତେବେଳେ ମକର ସଂକ୍ରାନ୍ତି କେବଳ ତିଥି ପରିବର୍ତ୍ତନର ସଂଙ୍କେତ ଦେଇନଥାଏ ବରଂ ଭାରତୀୟ ଚେତନାର ନବ ଜାଗରଣର ଉଦ୍ଘୋଷ କରିଥାଏ । ମକର ସଂକ୍ରାନ୍ତି ପର୍ବ ଋତୁ, କୃଷି, ଆସ୍ଥା ଏବଂ ସାମାଜିକ ଏକତାର ସଙ୍ଗମ ଅଟେ । ଭାରତ ଭଳି ସଂସ୍କୃତି ସମୃଦ୍ଧ ଦେଶରେ ମକର ସଂକ୍ରାନ୍ତି ଅନେକ ନାମରେ ଓ ଅନେକ ରୂପରେ ପାଳିତ ହୋଇଥାଏ କିନ୍ତୁ ଏହାର ଆତ୍ମା ଗୋଟିଏ ଥାଏ । ଆଧୁନିକ ଯୁଗର ବ୍ୟବସ୍ଥା ସତ୍ତେ୍ୱ ନାରୀ ଶକ୍ତି ଏହି ପର୍ବକୁ ପରମ୍ପରା ଏବଂ ପରିବର୍ତ୍ତନର ସନ୍ତୁଳନ ସହ ଆଗକୁ ବଢ଼ାଇଥାନ୍ତି । ମକର ସଂକ୍ରାନ୍ତି ହେଉଛି ସୂର୍ଯ୍ୟ ଉପାସନାର ପର୍ବ ଯାହା ଜୀବନର ସକାରାତ୍ମକତା, ଶକ୍ତି ଏବଂ ସନ୍ତୁଳନର ପ୍ରତୀକ ଅଟେ । ମକର ସଂକ୍ରାନ୍ତି ଏଭଳି ଏକ ସମୟ ଯେଉଁ ସମୟରେ କୃଷକ ନୂଆ ଫସଲ ଅମଳ କରି ଉତ୍ସବ ପାଳନ କରିଥାନ୍ତି ଏବଂ ସମାଜ ଶ୍ରମ ସମ୍ମାନକୁ ସ୍ୱୀକାର କରିଥାଏ । ମହିଳା ମାନଙ୍କ ପାଇଁ ଏହି ପର୍ବ କେବଳ ଧାର୍ମିକ ଅନୁଷ୍ଠାନ ନୁହେଁ ବରଂ ପରିବାର ଓ ସମାଜକୁ ଯୋଡିବାର ଏକ ମାଧ୍ୟମ ଅଟେ । ଘରର ରୋଷେଇ ଠାରୁ ଆରମ୍ଭ କରି ସାମୁଦାୟିକ ଆୟୋଜନ ପର୍ଯ୍ୟନ୍ତ ସବୁ ସ୍ତରରେ ପର୍ବର ଆତ୍ମାକୁ ସାକାର କରିଥାନ୍ତି ମହିଳାମାନେ । ମହିଳାଙ୍କ ସହଭାଗିତାରେ ଏହି ଉତ୍ସବ ଭାବନାତ୍ମକ, ସାମାଜିକ ଏବଂ ସଂସ୍କୃତିକ ରୂପରେ ସମୃଦ୍ଧ ହୋଇଥାଏ । ଅଗ୍ନିର ଚାରିପଟେ ପ୍ରଦକ୍ଷିଣ କରିବା ସହ ରାଶି, ଗୁଡ, ବାଦାମ ଏବଂ ଖୀର (ରାବିଡି) ଅର୍ପଣ କରିଥାନ୍ତି ।
ଓଡ଼ିଶାରେ ମକର ସଂକ୍ରାନ୍ତି ଦିନ ମକର ·ଉଳ କରାଯିବାର ବିଧି ରହିଛି । ଉତ୍ତରଭାରତରେ ଏହାକୁ ଲୁହାଡି ଓ ମାଘି ରୂପରେ ପାଳନ କରାଯାଥାଏ । ପଞ୍ଜାବ ହରିଆଣାରେ ଏହିଦିନ ନବ ବିବାହିତ ବୋହୂ ମାନଙ୍କୁ ବିଶେଷ ଭାବେ ସମ୍ମାନ ପ୍ରଦର୍ଶନ କରାଯାଇଥାଏ । ପଶ୍ଚିମ ଭାରତରେ ଏହି ପର୍ବକୂ ମଧ୍ୟ ଧୁମ୍ଧାମରେ ପାଳନ କରାଯାଇଥାଏ । ମହାରାଷ୍ଟ୍ରରେ ମକର ସଂକ୍ରାନ୍ତି ନାମରେ ହଳଦୀ-କୁଙ୍କୁମ ଏବଂ ରାଶି, ଗୁଡ୍ର ପରମ୍ପରା ରହିଛି । ବିବାହିତ ମହିଳାମାନେ ପରସ୍ପରକୁ ରାଶି ଏବଂ ଗୁଡ଼ରେ ପ୍ରସ୍ତୁତ ରାଶିମୁଆଁ ପ୍ରଦାନ କରିଥାନ୍ତି ଘରେ ଘରେ ସୌହାର୍ଦ୍ୟ ଏବଂ ଆପଣାପଣର ବାତାବରଣ ସୃଷ୍ଟି ହୋଇଥାଏ । ନବ ବିବାହିତା ମହିଳାମାନେ ଏହିଦିନ ପୂଜାର୍ଚ୍ଚନା କରିଥାନ୍ତି ଏବଂ ପାରମ୍ପାରିକ ବସ୍ତ୍ର ପରିଧାନ କରିବାର ପରମ୍ପରା ମଧ୍ୟ ରହିଛି । ଏହି ପର୍ବ ମହିଳା ମାନଙ୍କ ମଧ୍ୟରେ ସହଯୋଗ, ସମ୍ମାନ ଏବଂ ସାମାଜିକ ସମ୍ପର୍କକୁ ମଜଭୁତ କରିବାର ଏକ ମାଧ୍ୟମ ପାଲଟିଯାଇଥାଏ । ମଧ୍ୟ ଭାରତରେ ମକର ସଂକ୍ରାନ୍ତିକୁ ସୁକରାତ ବା ସତ୍କ୍ରାତ କୁହାଯାଏ । ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ମହିଳାମାନେ ହଳଦୀ କୁଙ୍କୁମ ଲଗାଇଥାନ୍ତି, ପରସ୍ପରକୁ ଆମନ୍ତ୍ରିତ କରି ରାଷି ଲଡୁ, ଖେଚେଡ଼ି ଓ ବିଭିନ୍ନ ପ୍ରକାରର ମିଠାର ଆଦାନ ପ୍ରଦାନ କରିଥାନ୍ତି ।
ନଦୀରେ ସ୍ନାନ, ପୂଜା-ଅର୍ଚ୍ଚନା ଏବଂ ଦାନ-ପୁଣ୍ୟର ପରମ୍ପରା ସୌଭାଗ୍ୟ ଏବଂ ପାରିବାରିକ ସୁଖର କାମନାରେ ଯୋଡି ହୋଇଥାଏ । ଏହି ପର୍ବକୁ ମହିଳା ଶସକ୍ତିକରଣ ଏବଂ ସାମାଜିକ ସମରମତ୍ତାର ପ୍ରତୀକ ବୋଲି କୁହାଯାଇପାରେ । ଗୁଜୁରାଟରେ ମକର ସଂକ୍ରାନ୍ତିକୁ ଉତ୍ତରାୟଣ ନାମରେ ପାଳନ କରାଯାଇଥାଏ । ରଙ୍ଗ ବେରଙ୍ଗର ଗୁଡି ଉଡ଼ାଯାଇଥାଏ । ମହିଳାମାନେ ମଧ୍ୟ ଗୁଡି ଉଡ଼ାଉଥିବା ଦେଖାଯାଇଥାଏ । ଓଡ଼ିଶାରେ ମଧ୍ୟ ଏହିଦିନ ଗୁଡି ଉଡ଼ାଇବା ଓ ଗୁଡି ଉଡ଼ାଇବାର ପ୍ରତିଯୋଗିତା ହୋଇଥାଏ । ରାଜସ୍ଥାନ ରେ ଏହି ପର୍ବ ସୁହାଗ ଏବଂ ସୌଭାଗ୍ୟ ସହ ଯୋଡିହୋଇଛି । ମହିଳାମାନେ ଗୁୁରୁଜନ ମାନଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥାନ୍ତି ଏପରିକି ବିବାହିତା ମହିଳାମାନଙ୍କୁ ବସ୍ତ୍ର ଏବଂ ଅନ୍ୟ ଶୃଙ୍ଗାର ସାମଗ୍ରୀ ପ୍ରଦାନ କରିଥାନ୍ତି । ଏହି ଦିନ ଅନେକ ପରିବାର ପକ୍ଷରୁ ସାମୂହିକ ଭୋଜିର ଆୟାଜନ ମଧ୍ୟ କରାଯାଇଥାଏ । ଏହି ପରମ୍ପରା ମହିଳାମାନଙ୍କ ସାମାଜିକ ଭୂମିକା ଏବଂ ପାରିବାରିକ ସନ୍ତୁଳନକୁ ଉଜାଗର କରିଥାଏ । ତାମିଲନାଡୁରେ ଏହାକୁ ପୋଙ୍ଗଲ ନାମରେ ପାଳନ କରାଯାଇଥାଏ କିନ୍ତୁ କର୍ଣ୍ଣାଟକ, କେରଳ ତଥା ଆନ୍ଧ୍ର ପ୍ରଦେଶରେ ଏହାକୁ କେବଳ ସଂକ୍ରାନ୍ତ ବୋଲି କହିଥାନ୍ତି । ଭାରତର ଏହା ଏକ ପ୍ରମୁଖ ପର୍ବ ହୋଇଥିବା ବେଳେ ପଡେ଼ାଶୀ ଦେଶ ନେପାଳରେ ମଧ୍ୟ ଏହି ପର୍ବ ପାଳିତ ହୋଇଥାଏ । ମକର ସଂକ୍ରାନ୍ତି ପାଳନ ପଛରେ ଅନେକ ପୌରାଣିକ କାହାଣୀ ମଧ୍ୟ ରହିଛି । ଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତି ଦିନ ଭଗବାନ ସୂର୍ଯ୍ୟ ତାଙ୍କ ପୁତ୍ର ଶନିଦେବଙ୍କୁ ଭେଟିବା ପାଇଁ ତାଙ୍କର ଘର (ମକର ରାଶି)କୁ ଯାଇଥାନ୍ତି । ଅନ୍ୟ ଏକ ତଥ୍ୟ ଅନୁସାରେ ଏହି ଦିନ ଗଙ୍ଗା ନଦୀ ରାଜା ଭଗିରଥଙ୍କ ତପସ୍ୟାରେ ପ୍ରସନ୍ନ ହୋଇ କପିଳ ମୁନିଙ୍କ ଆଶ୍ରମ ଦେଇ ସାଗରରେ ମିଶିଥିଲେ । ମହାଭାରତ କଳରେ ଭୀଷ୍ମ ପିତାମହ ତାଙ୍କର ଇଚ୍ଛା ମୃତ୍ୟୁ ପାଇଁ ଏହି ଦିନଟିକୁ ବାଛିଥିଲେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଏହିଦିନ ଧନୁରାଶିରୁ ମକର ରାଶିକୁ ଚଳନ କରିଥାନ୍ତି ଯାହାକୁ ସୂର୍ଯ୍ୟଙ୍କ ଉତ୍ତରାୟଣ ବୋଲି କୁହାଯାଏ ।
Samir Kumar Rout