ଜୟଙ୍କ ମନ୍ତବ୍ୟ ନେଇ ସରକାରଙ୍କ ସ୍ପଷ୍ଟୀକରଣ ; ‘ଓଡ଼ିଶାର ଅଖଣ୍ଡତା ପାଇଁ ବଦ୍ଧ ପରିକର’

ଜୟଙ୍କ ମନ୍ତବ୍ୟ ନେଇ ସରକାରଙ୍କ ସ୍ପଷ୍ଟୀକରଣ  ;  ‘ଓଡ଼ିଶାର ଅଖଣ୍ଡତା ପାଇଁ ବଦ୍ଧ ପରିକର’

 ଭୁବନେଶ୍ୱର : ଜୟ ନାରାୟଣ ମିଶ୍ରଙ୍କ ବିବୃତ୍ତି ସହ ସରକାର ସହମତ ନୁହଁନ୍ତି  । ଓଡ଼ିଶାର ଏକତା, ଅଖଣ୍ଡତା ପାଇଁ ସରକାର ବଦ୍ଧ ପରିକର  । ବିଧାନସଭାରେ ବିବୃତ୍ତି ରଖି ଏହା କହିଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତିଯେ, ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ବିଧାନସଭା ବାହାରେ ଏକ ସାଧାରଣ ସଭାରେ ଦେଇଥିବା ବିବୃତ୍ତି ସହ ସରକାର ସହମତ ନାହାନ୍ତି  । ଏହା ତାଙ୍କର ବ୍ୟକ୍ତିଗତ ମତାମତ  । ଓଡ଼ିଶା ପ୍ରଦେଶର ଏକତା, ଅଖଣ୍ଡତା ପାଇଁ ଆମ ସରକାର ବଦ୍ଧ ପରିକର  । ଏନେଇ କାହାମନରେ ଦ୍ୱନ୍ଦ୍ୱ ରହିବା ଆବଶ୍ୟକ ନାହିଁ  । ରାଜ୍ୟର ପ୍ରତ୍ୟେକ ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ ସରକାର କାର୍ଯ୍ୟରତ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ସଶକ୍ତ ଓ କ୍ରିୟାଶୀଳ କରିବା ସହ ଏଥିପାଇଁ ଦକ୍ଷିଣ ତଥା ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରି ସରକାର ରାଜ୍ୟର ସାମଗ୍ରୀକ ବିକାଶ ପାଇଁ ଗଠନମୂଳକ କାର୍ଯ୍ୟ କରୁଛନ୍ତି ।
ସେହିପରି ବୀର ସୁରେନ୍ଦ୍ର ସାଏ ଓ ସହିଦ୍‌ ମାଧୋ ସିଂହଙ୍କର ଏ ରାଜ୍ୟର ସ୍ୱାଧୀନତା ପାଇଁ ପ୍ରାଣବଳୀ ଏବଂ ଓଡ଼ିଆ ଭାଷା ପାଇଁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ଓଡ଼ିଆ ଭାଷା ସାହିତ୍ୟର ଅବଦାନ ଓଡ଼ିଆ ଜାତି ପାଇଁ ଚିର ସ୍ମରଣୀୟ ହୋଇରହିବେ  । ରାଜନୀତିରେ ଆଲୋଚନା, ସମାଲୋଚନା ଓ ବିକ୍ଷୋଭ ପ୍ରଦର୍ଶନ ଏକ ସାମ୍ବିଧାନିକ ଅଧିକାର  । କିନ୍ତୁ ଆଜି ଗୃହରେ ଯେପରି ଭାବେ ବିରୋଧୀ ଦଳ ପକ୍ଷରୁ ହିଂସାତ୍ମକ ଏବଂ ଅସଂସଦୀୟ ଆଚରଣ କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ  । ସରକାର ଯେକୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଏବଂ ଆମ ସରକାର ତାଙ୍କୁ ଆଲୋଚନକୁ ନିମନ୍ତ୍ରଣ କରୁଛନ୍ତି  । ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ସମସ୍ତେ ମିଳିମିଶି ଗୃହ ଚଳାଇବାକୁ ସରକାର ବିରୋଧୀଙ୍କୁ ନିବେଦନ କରିଛନ୍ତି ।