ଜୟଦେବ ଭବନରେ ପଖାଳ ଦିବସ

ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ବିଶ୍ୱ ପଖାଳ ଦିବସ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ସଭାରେ ମୁରଲୀଧର ପଲାଇଙ୍କ ପୌରହିତ୍ୟରେ ଆୟୋଜିତ ଭଜନ ସମାରୋହକୁ ପରିଷଦ ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ ପରିଚାଳନା କରିଥିଲେ । ପରିଷଦର ସଭାପତି ସଞ୍ଚିତା ମହାନ୍ତି ସଭାରେ ସଭାପତିତ୍ୱ କରି ଜନସାଧାରଣଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ହିଁ ଏହି ଆୟୋଜନର ମୁଖ୍ୟ ଉଦେ୍ଦଶ୍ୟ ବୋଲି କହିଥିଲେ  । ପଖାଳ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ହୋଇଥିବାରୁ, ଏହାର ଉପକାରିତା ସମସ୍ତଙ୍କୁ ଜଣାଇବାକୁ ପରିଷଦ ପ୍ରୟାସ କରିଆସିଛି ବୋଲି ସେ କହିଛନ୍ତି  । ପରିଷଦର ଉପଦେଷ୍ଟା ପ୍ରଭାତ ନନ୍ଦ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ଗୋପୀନାଥ ମହାନ୍ତିଙ୍କୁ ସ୍ମରଣ କରିବାସହ ପରିଷଦକୁ ଗଠନ କରି ଜଗନ୍ନାଥ ତତ୍ତ୍ୱର ପ୍ରଚାର ପ୍ର୍ରସାର ନିମିତ୍ତ ତାଙ୍କର କ୍ରମାଗତ ଚେଷ୍ଟାର ସୂଚନା ପ୍ରଦାନ କରିଥିଲେ । ପରିଷଦ ଉପଦେଷ୍ଟା ମନୋରଞ୍ଜନ ପାଣିଗ୍ରାହୀ ପଖାଳର ଔଷଧିୟ ଗୁଣ ଓ ଏହା ସାମାଜିକ କ୍ଷେତ୍ରରେ ଓଡ଼ିଆ ଜାତିର ଏକତାର ସୂତ୍ର ବୋଲି ମତ ଦେଇଥିଲେ । କାର୍ଯ୍ୟକ୍ରମରେ ପଣ୍ଡିତ ଦାଶରଥି ସାମନ୍ତରାୟ, ଡ. ଶରତ ଚନ୍ଦ୍ର ମହାନ୍ତି, ବିଶ୍ୱନାଥ ସାମନ୍ତରାୟ, ରାମ ଦାସ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନ ପାଇଁ ବିବେଚିତ ହୋଇଥିବା ଡ. ଅଶୋକ ମହାପାତ୍ର, ଦୁର୍ଗା ଚରଣ ରଣବୀର, ଅଦ୍ୱୈତ ଗଡ଼ନାୟକ ଓ ଡ. ପ୍ରତୀଭା ଶତପଥୀଙ୍କୁ ସୁରେଶ ପୁଜାରୀଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଶେଷରେ ଉପସଭାପତି ରବି ନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଶ୍ରୀକ୍ଷେତ୍ରରୁ ଆସିଥିବା ପଖାଳ, ନିର୍ମାଲ୍ୟ ଓ ତୁଳସୀ ଆଦିର ପ୍ରଦର୍ଶନୀ ହୋଇଥିବାବେଳେ, ଶୁଖିଲା ଖଜା, ନିର୍ମାଲ୍ୟ ଓ ତୁଳସୀ ସମସ୍ତଙ୍କୁ ବଣ୍ଟା ଯାଇଥିଲା