ଝାଲପଡାରେ ମନରେଗା କେଳେଙ୍କାରୀ : ମୁଠେ ମାଟି ନ ପଡି ମୁଠାମୁଠା ଟଙ୍କା ଲୁଟ୍
ବ୍ରହ୍ମବରଦା : ଶ୍ରମିକଙ୍କୁ ଦୈନିକ କାମ ଯୋଗାଇ ଦେବାକୁ ମନରେଗା ଯୋଜନାରେ ସରକାର କୋଟିକୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି । କିନ୍ତୁ ପଂଚାୟତସ୍ତରରେ କିଛି ଅସାଧୁ କର୍ମୀମାନେ ମେସିନ ସାହାଯ୍ୟରେ କାମ କରି ଶ୍ରମିକମାନଙ୍କୁ ଦୈନିକ କର୍ମନିଯୁକ୍ତି ଯୋଗାଇ ଦିଆଯାଉଥିବାର କାଗଜପତ୍ରରେ ଦର୍ଶାଯାଉଛି । କିନ୍ତୁ ଏଠାକାର କେଳେଙ୍କାରୀ ତା ଠାରୁ ଅଧିକ ବଳି ଯାଇଛି । ଏଠି ନାଁ ଅଛି ମେସିନ, ନାଁ ଅଛି ମାଟି, ନାଁ ଅଛନ୍ତି ଶ୍ରମିକ କିଛି ନଥାଇ ବି ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଛି । ଏଭଳି କେଳଙ୍କାରୀ ଯାଜପୁର ବ୍ଲକ ଝାଲପଡା ପଂଚାୟତ ଅଧିନ କାକୁଡିକୁଦ ଓ ନିଳକଣ୍ଠପୁର ଗ୍ରାମରେ ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାୟୀ କାକୁଡିକୁଦ ଗ୍ରାମ ଦ୍ୱିଜ ମହାରଣାଙ୍କ ଘର ଠାରୁ ବ୍ରାହ୍ମଣୀ ନଦୀବନ୍ଧ ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ କରିବା ପାଇଁ ୨୫ଫେବୃୟାରୀ ୨୦୨୫ରେ ମଞ୍ଜୁର ନମ୍ବର ୨୪୨୦୦୦୭/୨୦୨୪-୨୦୨୫/୨୪୦୫୭/ଏଏସରେ ୫ଲକ୍ଷ ଟଙ୍କା ବ୍ୟୟବରାଦରେ ମାଟି ରାସ୍ତା ନିର୍ମାଣ ପାଇଁ ଯୋଜନା ଆସିଥିଲା । ହେଲେ ଠିକାଦାର ବୋଝେ ବି ମାଟି ନ ପକାଇ ସମ୍ପୂର୍ଣ୍ଣ ଜାଲିଆତି କରି ୪୮ଦିନରେ ୩୩୬ ଜଣ ଶ୍ରମିକଙ୍କ ମଜୁରି ବାବଦରେ ୯୧ ହଜାର ୭ଶହ ୨୮ଟଙ୍କା ଉଠାଇ ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଏହି ସ୍ଥାନଟି ଦୁର୍ଯେ୍ୟାଧନ ମହାରଣାଙ୍କ ବ୍ୟକ୍ତିଗତ ମାଲିକାନାରେ ଥିବା ବେଳେ, ଏହାକୁ କାକୁଡିକୁଦ ରାଜସ୍ୱ ନିରୀକ୍ଷକ ଲ୍ୟାଣ୍ଡ ପର୍ଟିକୁଲାର ଦେଲେ କିପରି ସରପଂଚ ନିବେଦନ ଫର୍ମରେ ମଞ୍ଜୁର ପ୍ରଦାନ କଲେ କିପରି ପିଇଓ, ଆକାଉଟାଣ୍ଟ ଓ ଡାଟା ଏଣ୍ଟ୍ରି ଅପରେଟର (ଏଡିଇଓ) ଓ ବିଭାଗୀୟ ଯନ୍ତ୍ରୀ ଏହି କାମ ହୋଇଛି କି ନାହିଁ ତାହାର ବିନ୍ଦୁ ବିସର୍ଗ କିଛି ପାଇ ପାରିଲେ ନାହିଁ କିପରି? ନା ଏମାନେ ସମସ୍ତଙ୍କ ଜଣାତରେ ଏଭଳି କେଳଙ୍କାରୀ ହୋଇଛି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ବିଭାଗୀୟ ଅଧିକାରୀ ତୁରନ୍ତ ତଦନ୍ତ କରି ଦୁଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।