ବଢୁଛି ଜମି ମାଫିଆଙ୍କ ଆତଙ୍କରାଜ : ଜମି ଓ ପୋଖରୀ ହୁଡାରୁ ମାଟି ଆଣି କରୁଛନ୍ତି ରାସ୍ତା

ବ୍ରହ୍ମପୁର:  ଡବଲ ଇଞ୍ଜିନ ସରକାର ଥିବାବେଳେ ଗଞ୍ଜାମ ଜିଲ୍ଲାରେ ଜମି ମାଫିଆମାନଙ୍କ ଜୋର ଜୁଲୁମ ଦିନକୁ ଦିନ ବୃଦ୍ଧି ପାଉଛି । ତାହାର ନଗ୍ନ ନମୁନା ଏବେ କୁକୁଡାଖଣ୍ଡି ବ୍ଲକର ଜଗଦଳପୁର ନିକଟରେ ଥିବା ଡେରିଣୀ ବନ୍ଧର ମାଟି କାଢ଼ି ନିଜ ପ୍ଲଟ ପାଇଁ ଯିବାକୁ ରାସ୍ତା ନିର୍ମାଣ କରିବା ଫଳରେ ଗାଁରେ ଉତ୍ତେଜନା ଭଳି ପରିସ୍ଥିତି ଉପୁଜିଛି । ବନ୍ଧ ହୁଡ଼ାକୁ କାଟି ମାଟି କାଢ଼ିବାକୁ ଅନୁମତି ଦେଲା କିଏ ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି । ଯାହାକୁ ନେଇ ଜମି ମାଫିଆଙ୍କ ଆତଙ୍କରାଜ ବିରୋଧରେ ଗାଁ ଲୋକେ ପ୍ରଶାସନକୁ ଅଭିଯୋଗପତ୍ର ଦେଇ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । 
କୁକୁଡାଖଣ୍ଡି ବ୍ଲକରେ ଦୀର୍ଘ ଏକ ବର୍ଷରୁ ଊଦ୍ଧ୍ୱର୍ ହେଲା କିଛି ଜମି ମାଫିଆ ସାଙ୍ଗକୁ ମଦ ମାଫିଆମାନଙ୍କ ଆତଙ୍କ ରାଜ ଦିନକୁ ଦିନ ବଢ଼ିବାରେ ଲାଗିଛି । ମଦ ଦୋକାନକୁ ଯିବା ପାଇଁ ସରକାରୀ ଅର୍ଥରେ ରାସ୍ତା ନିର୍ମାଣ ହୋଇଥିବା ନେଇ ପ୍ରଶାନିକ ଅଧିକାରୀଙ୍କୁ ପୂର୍ବରୁ ଅଭିଯୋଗ ହୋଇଥିଲା । ବର୍ତ୍ତମାନ ଜମି ମାଫିଆ ନିଜ ପ୍ଲଟ ପାଇଁ ରାସ୍ତା ଓ ରୋଡ଼ ନିର୍ମାଣ ପାଇଁ ନିକଟରେ ଥିବା ଲୋକଙ୍କ ନିଜସ୍ୱ ଜମି ଓ ପୋଖରୀ ହୁଡାରୁରୁ ମାଟି ନେଇ ରାସ୍ତା ନିର୍ମାଣ କରିବା ଦ୍ୱାରା ସାଧାରଣ ଲୋକଙ୍କ ଯାତାୟାତରେ ବାଧା ଉପୁଜୁଛି । ପଚାରିଲେ ମା’ବୁଢ଼ୀ ସାନ୍ତାଣି ମନ୍ଦିରକୁ ଯିବାକୁ ରାସ୍ତା କରାଯାଉଛି ବୋଲି ଉକ୍ତ ଜମି ମାଫିଆ ସଫେଇ ଦେଉଛି ।  ହେଲେ  ପୂର୍ବରୁ ଠାକୁରାଣୀ ମନ୍ଦିରକୁ ଯିବା ପାଇଁ ରାସ୍ତା ରହିଛି, କିନ୍ତୁ ବର୍ତ୍ତମାନ ଜୋର ଜବରଦସ୍ତି ଭାବେ ନିଜ ସ୍ୱାର୍ଥ ହାସଲ କରୁଛନ୍ତି ବୋଲି ଗାଁ ଲୋକ ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ଅଭିଯୋଗ କଲେ ଧମକ ମିଳୁଥିବା ଯୋଗୁଁ ଗାଁ ଲୋକେ ମେଳି ବାନ୍ଧି ପ୍ରଶାସନକୁ ଅଭିଯୋଗପତ୍ର ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ଏହା ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।