ଟମକାରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବା
ଟମକା: ସରକାର ପରିବର୍ତନକୁ ଛ’ମାସରୁ ଅଧିକ ସମୟ ବିତିଲାଣି । ଇତି ମଧ୍ୟରେ ବର୍ଷ ଯାଇ ନୂତନ ବର୍ଷ ଆସିଲାଣି । ହେଲେ ଟମକାରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବାରେ ପରିବର୍ତନ ଆସୁନି । ବର୍ଷକ ତଳୁ ଏଠାରେ ଡାକ୍ତର ନଥିବା ବେଳେ ଜଣେ ନର୍ସିଂ କର୍ମଚାରୀ ଏହାର ଭାର ସମ୍ଭାଳୁଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ନିର୍ମିତ ନୂତନ ଗୃହ ଉଦ୍ଘାଟନ ହେବା ପାଇଁ ମଧ୍ୟ କାହା ମନ ବଳୁନି । ନିର୍ମାଣ ସରିବାକୁ ୭ମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ ବହୁ ପ୍ରତିକ୍ଷିତ ଉକ୍ତ ଗୃହରୁ ତାଲା ଖୋଲୁନି । ପୂର୍ତ୍ତ ବିଭାଗର ଡାକ ବଙ୍ଗଳାର ଏକ ଘରେ ଏହି କେନ୍ଦ୍ର ଅସ୍ଥାୟୀ ଭାବେ ଚାଲୁଥିବା ବେଳେ, ଏହି ଆଦିବାସୀ ଅଧୂଷିତ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପ୍ରତି କାହାର ଆନ୍ତରିକତା ନରହିବା ପରିତାପର ବିଷୟ ପାଲଟିଛି । ଦାନଗଦୀ ବ୍ଲକ୍ର ଆଦିବାସୀ ବହୁଳ ଅଞ୍ଚଳ ଭାବେ ପରିଗଣିତ ଟମକା । ଜିଲା ସୀମାନ୍ତରେ ଅବସ୍ଥାପିତ ଏହି ଅଂଚଳର ଦୀର୍ଘଦିନର ସମସ୍ୟା ଥିଲା ଡାକ୍ତରଖାନା । ଉକ୍ତ ଅଞ୍ଚଳଟି ଖଣି ପ୍ରଭାବିତ ଅଞ୍ଚଳ ଭାବେ ପରିଗଣିତ ହେଉଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଆଖି ଆଗରେ ରଖି ପୂର୍ବ ସରକାର ତଥା ପ୍ରାକ୍ତନମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ଉଦ୍ୟମ ଆରମ୍ଭ ହୋଇଥିଲା । ଏନେଇ ଟମକା ଠାରେ ସାପ୍ତାହିକ ୬ ଦିନ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବାକୁ ସେତେ ବେଳର ଜିଲ୍ଲାପାଳ ଚର୍କବର୍ତି ସିଂ ରାଥୋର୍ ଚିଠି ନମ୍ବର ୭୨୬/ତା୨ା୩ା୨୦୨୧ରେ ପତ୍ର ଲେଖି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ନିଦେ୍ର୍ଦଶନାମା ଅନୁସାରେ ଗତ ୩ବର୍ଷ ତଳୁ ଟମକା ଡାକ ବଙ୍ଗଳା ଠାରେ ସ୍ୱାସ୍ଥ୍ୟ ଶିବିର ଆରମ୍ଭ କରାଯାଇଥିଲା । ଦାନଗଦୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଜନୈକ ଡାକ୍ତରଙ୍କୁ ଉକ୍ତ ଶିବିରର ଭାର ଅର୍ପଣ କରାଯାଇଥିଲା । ପରବର୍ତି ସମୟରେ ଡାକ୍ତର ପ୍ରତିଭା ରାଉତଙ୍କୁ ଏହାର ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ, ତାଙ୍କର ବଦଳି ହେବା ପରେ ଏହି ପଦବୀ ଗତ ବର୍ଷକ ତଳୁ ଖାଲି ପଡିଛି । ଜନୈକ ନର୍ସିିଂ କର୍ମଚାରୀ ହାତରେ ଏହାର ଭାର ଟେକି ଦେଇ ସ୍ୱାସ୍ଥ୍ୟ ବିଭାଗ ନିଜର ଦାୟିତ୍ୱରୁ ଓହରି ଯାଇଥିବା ବେଳେ, ଏହି ଅଞ୍ଚଳର ଲୋକମାନେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚôତ ହୋଇ ନାନାଦି ହଇରାଣ ହରକତ ହେଉଛନ୍ତି । ସେହିପରି ଭାବେ ପୂର୍ବ ସରକାର ଏଠାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆରମ୍ଭ କରିବାକୁ ନୂତନ ଗୃହ ପାଇଁ ସ୍ଥାନୀୟ କିଆଝର ପଞ୍ଚାୟତ ଅନ୍ତର୍ଗତ ୧୧ନମ୍ବର ୱାର୍ଡ ପଥର ଛଇରେ ଜାଗା ଚିହ୍ନଟ କରାଯାଇ ଗୃହ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ୨୦୨୧/୨୨ଆର୍ଥିକ ବର୍ଷରେ ଏହି ଗୃହ ନିର୍ମାଣ ପାଇଁ ଜିଲା ଖଣିଜ ନ୍ୟାସ ପାଣ୍ଠିରୁ ଅନୁଦାନ ପ୍ରଦାନ କରାଯାଇଥିଲା । ୩୨ଲକ୍ଷ ୮୭ହଜାର ୬୩୪ ଟଙ୍କାରେ ଉକ୍ତ କାର୍ଯ୍ୟକୁ ସନ୍ତୋଷ କୁମାର ଧଳ ନାମକ ଠିକାଦାର କାର୍ଯ୍ୟାଦେଶ ପାଇଥିଲେ । ତେବେ ଉକ୍ତ ଠିକାଦାର ଜଣଙ୍କ ଉକ୍ତ କାର୍ଯ୍ୟକୁ ଗତ କିଛି ମାସ ତଳୁ ସମାପ୍ତ କରିଥିଲେ ମଧ୍ୟ ଏହା ଉଦଘାଟନ ଅପେକ୍ଷାରେ ପଡି ରହିଛି । ଗୋଟେପଟେ ନର୍ସିିଂ କର୍ମଚାରୀ ହାତରେ ସ୍ୱାସ୍ଥ୍ୟ ସେବାର ଭାର ଓ ଅନ୍ୟପଟେ ନୂତନ ଗୃହକୁ ଉଦଘାଟନ ନକରିବା ଅବା ଏଠାରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ନିୟୋଜିତ ନହେବା ଘଟଣା ଅଞ୍ଚଳବାସୀଙ୍କ ଉପଯୁକ୍ତ ସ୍ୱାସ୍ଥ୍ୟସେବାର ସ୍ୱପ୍ନକୁ ଧୂଳିସାତ୍ କରୁଥିବା ବେଳେ ପ୍ରଶାସନ ଓ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏଦିଗରେ ଧ୍ୟାନ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।